ଆଜି ବିଶ୍ବ ଜଳାତଙ୍କ ଦିବସ: ଜଳାତଙ୍କ(ରେବିଜ୍‌) ରୋଗ

ଜଳାତଙ୍କ ଉଭୟ ପ୍ରାଣୀ ଓ ମନୁଷ୍ୟଙ୍କୁ ଆକ୍ରାନ୍ତ କରୁଥିବା ଏକ ମାରାତ୍ମକ ଭୂତାଣୁଜନିତ ସଂକ୍ରାମକ ରୋଗ। ପଶୁମାନଙ୍କଠାରୁ ମନୁଷ୍ୟକୁ ସଂକ୍ରମିତ ହେଉଥିବା ଏହା ଏକ ଜୁନୋଟିକ୍‌ ରୋଗ, ଯେଉଁଥିରେ ପ୍ରତିବର୍ଷ ଆମ‌ ଦେଶରେ ପ୍ରାୟ କୋଡ଼ିଏ ହଜାର ଲୋକ ମୃତ୍ୟୁବରଣ କରିଥାନ୍ତି। ଲିସା(Lyssa) ଭାଇରସ୍‌ ନାମକ ଏକ ଭୂତାଣୁ ରେବିଜ୍‌ ରୋଗ କରିଥାଏ। ଏହି ରୋଗର କୌଣସି ଫଳପ୍ରଦ ଚିକିତ୍ସା ଉପଲବ୍ଧ ନଥିବାରୁ ଲକ୍ଷଣ ଥରେ ପ୍ରକାଶ ପାଇଲେ ଆକ୍ରାନ୍ତ ପଶୁ/ମନୁଷ୍ୟର ମୃତ୍ୟୁ ସୁନିଶ୍ଚିତ। ତେବେ ଉପଯୁକ୍ତ ପ୍ରତିଷେଧକ ବ୍ୟବସ୍ଥା ଦ୍ବାରା ଏହି ରୋଗକୁ ରୋକା ଯାଇପାରିବ। କୁକୁର, ବିଲେଇ ଆଦି ଗୃହପାଳିତ ପଶୁ ତଥା ନେଉଳ, ବିଲୁଆ ଆଦି ବନ୍ୟଜନ୍ତୁ ଏହି ରୋଗର ବାହକ ଭାବେ କାର୍ଯ୍ୟ କରନ୍ତି। ରୋଗାକ୍ରାନ୍ତ ପ୍ରାଣୀ ସୁସ୍ଥ ପ୍ରାଣୀ/ବ୍ୟକ୍ତିକୁ କାମୁଡ଼ିବା ବା ରାମ୍ପୁଡ଼ିବା ଦ୍ବାରା ସଂକ୍ରମିତ ଲାଳ ସଂସ୍ପର୍ଶରେ ଆସି ଜଳାତଙ୍କ ଭୂତାଣୁ ସୁସ୍ଥ ପ୍ରାଣୀର ଶରୀରରେ ପ୍ରବେଶ କରେ ଏବଂ ତା’ଠାରେ ରୋଗର ଲକ୍ଷଣ ପ୍ରକାଶ ପାଇଥାଏ। ଆମ ଦେଶରେ ଜଳାତଙ୍କ ରୋଗର ୯୫ ପ୍ରତିଶତ କୁକୁର କାମୁଡ଼ିବା ଦ୍ବାରା ହୋଇଥାଏ।

ରୋଗ ସୃଷ୍ଟିକାରୀ ଭୂତାଣୁ ସୁସ୍ଥ ପ୍ରାଣୀ/ମନୁଷ୍ୟର ଶରୀରରେ ପ୍ରବେଶ କରିବାର ୩ରୁ ୮ ସପ୍ତାହ ମଧ୍ୟରେ ରୋଗର ଲକ୍ଷଣ ପ୍ରକାଶ ପାଇଥାଏ। କେତେକ କ୍ଷେତ୍ରରେ ଏହି ସମୟସୀମା ଅତ୍ୟନ୍ତ ଦୀର୍ଘ ହୋଇ ୨୦ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ପ୍ରାରମ୍ଭିକ ଅବସ୍ଥାରେ କାମୁଡ଼ା ସ୍ଥାନ ପୋଡ଼ାଜଳା କରେ ଓ ଯନ୍ତ୍ରଣା ଅନୁଭୂତ ହୁଏ। କ୍ରମଶଃ ଶରୀରର ତାପମାତ୍ରା ବୃଦ୍ଧି, ମୁଣ୍ଡ ବ୍ୟଥା, କ୍ଷୁଧାହୀନତା, ଗିଳିବାରେ ଅସୁବିଧା, ଦ୍ବନ୍ଦ୍ବ, ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ ଆଦି ଲକ୍ଷଣ ଦେଖାଯାଏ। ମାନସିକ ଭାରସାମ୍ୟ ହରାଇବା ସଙ୍ଗେ ସଙ୍ଗେ ରୋଗୀ ଅତ୍ୟଧିକ ଉତ୍ତେଜିତ ଓ ହିଂସ୍ର ହୋଇପଡ଼େ। ରୋଗୀ ପାଣି ପିଇବାରେ ବହୁତ କଷ୍ଟ ଅନୁଭବ କରେ, ଏପରିକି ପାଣି ଦେଖିଲେ ମଧ୍ୟ ଭୟଭୀତ ହୋଇପଡ଼େ। ତେଣୁ ଏହି ରୋଗର ଅନ୍ୟ ନାମ ହେଉଛି ଜଳାତଙ୍କ (ଜଳ+ଆତଙ୍କ) ବା ହାଇଡ୍ରୋଫୋବିଆ। ସାଧାରଣତଃ ଲକ୍ଷଣ ପ୍ରକାଶ ପାଇବାର ୭ ରୁ ୧୦ଦିନ ମଧ୍ୟରେ ରୋଗୀର ମୃତ୍ୟୁ ଘଟେ।

ପ୍ରତିକାର ନିମନ୍ତେ ପ୍ରାଣୀ ଚିକିତ୍ସକଙ୍କ ପରାମର୍ଶ ନେଇ ୩ ମାସ ଓ ତଦୂର୍ଦ୍ଧ୍ୱ ବୟସର କୁକୁରମାନଙ୍କୁ ନିୟମିତ ଭାବେ ଟିକାକରଣ କରିବା ଆବଶ୍ୟକ। ରେବିଜ୍‌ ଆକ୍ରାନ୍ତ ପ୍ରାଣୀର ଦୁଗ୍ଧ ମାଧ୍ୟମରେ ସଂକ୍ରମଣ ସମ୍ଭାବନା ଥିବାରୁ ଦୁଗ୍ଧକୁ ଫୁଟାଇ ବ୍ୟବହାର କରିବା ଉଚିତ। ଦୁଗ୍ଧ ଦୁହୁଁଥିବା ବ୍ୟକ୍ତିକୁ ସଂକ୍ରମଣର ସମ୍ଭାବନା ଅଧିକ ଥିବାରୁ ସେ ବ୍ୟକ୍ତି ପ୍ରତିଷେଧକ ଟିକା ନେବା ଆବଶ୍ୟକ। କୌଣସି ବ୍ୟକ୍ତି ବା ଗୃହପାଳିତ ପଶୁ, କୁକୁର ଅଥବା ବନ୍ୟଜନ୍ତୁ କାମୁଡ଼ା/ରାମ୍ପୁଡ଼ାର ଶିକାର ହେଲେ ତତ୍‌କ୍ଷଣାତ କ୍ଷତ ସ୍ଥାନକୁ ସାବୁନ୍‌ ପାଣିରେ ଅନ୍ୟୁନ ୧୫ ମିନିଟ୍‌ ଯାଏ ଧୋଇବା ଆବଶ୍ୟକ। କାମୁଡ଼ା ବା ରାମ୍ପୁଡ଼ା ଦ୍ବାରା କ୍ଷତ ସୃଷ୍ଟି ହେବାଠାରୁ ୨୪ ଘଣ୍ଟା ମଧ୍ୟରେ ରେବିଜ୍‌ ପ୍ରତିଷେଧକ ଟିକାର ପ୍ରଥମ ମାତ୍ରା ଦିଆଯିବା ଅତ୍ୟନ୍ତ ଜରୁରୀ। ପ୍ରଥମ ମାତ୍ରା ଟିକା ଦେବାର ଦିନକୁ ୦(ଶୂନ୍ୟ) ଦିନ ଧାର୍ଯ୍ୟ କରି ଯଥାକ୍ରମେ ୦, ୩, ୭, ୧୪ ଏବଂ ୨୮ ଦିନରେ ଟିକା ଦେବା ଉଚିତ। କ୍ଷତ ଗଭୀର ଓ ମସ୍ତିଷ୍କର ନିକଟତର ହୋଇଥ‌ିଲେ ନିୟମିତ ଟିକା ସହ ଜଳାତଙ୍କ ପ୍ରତିପିଣ୍ଡ ବା ରେବିଜ୍‌ ଇମ୍ମୁନୋଗ୍ଲୋବୁଲିନ୍‌ ଦିଆଯାଇଥାଏ। ସଂପ୍ରତି ମଣିଷଙ୍କୁ ଅନ୍ତଃଚର୍ମ ଉପାୟ‌ରେ ୦. ୩, ୭, ଏବଂ ୨୮ ଦିନରେ ପ୍ରତିଷେଧକ ଟିକା ଦିଆଯାଉଛି। ଅନ୍ଧବିଶ୍ବାସ ଓ ଗୁଣିଗାରେଡ଼ି ମାଧ୍ୟମରେ ଜଳାତଙ୍କର ଚିକିତ୍ସା ସମ୍ଭବ ନୁହେଁ। ଏଣୁ ଡାକ୍ତରୀ ପରାମର୍ଶକ୍ରମେ ପ୍ରତିଷେଧକ ଟିକାର ସଂପୂର୍ଣ୍ଣ ମାତ୍ରା ନେବା ସର୍ବାଦୌ ବାଞ୍ଛନୀୟ।
ଡା. ଦୁର୍ଗାପ୍ରସାଦ ଦାସ
ପ୍ଲଟ ନଂ୮୭/୨, ଲେନ୍‌-୩, ଜଗନ୍ନାଥବିହାର, ବରମୁଣ୍ଡା, ଭୁବନେଶ୍ୱର

ସମ୍ବନ୍ଧିତ ଖବର