ଜୀବନ ବିଜ୍ଞାନକୁ ବୁଝିବା ଦରକାର: ରାଜ୍ୟପାଳ

ଜୈନ ଶ୍ବେତାମ୍ବର ମହାପ୍ରଜ୍ଞ ସ୍ମୃତି ବ୍ୟାଖ୍ୟାନମାଳା

ଭୁବନେଶ୍ବର: ଶ୍ବେତାମ୍ବର ତଥା ତେରାପନ୍ଥ ଧର୍ମସଂଘର ଦଶମ ଆଚାର୍ଯ୍ୟ ମହାପ୍ରଜ୍ଞଜୀଙ୍କ ଜନ୍ମ ଶତାବ୍ଦୀ ସମଗ୍ର ଭାରତ ବର୍ଷରେ ପାଳନ ହେଉଥିବା ବ‌େଳେ କଟକ ରୋଡ୍‌ସ୍ଥିତ ତୋରାପନ୍ଥ ଭବନରେ ଆଚାର୍ଯ୍ୟ ମହାପ୍ରଜ୍ଞ ସ୍ମୃତି ବ୍ୟାଖ୍ୟାନମାଳା ଅନୁଷ୍ଠିତ ହୋଇଯାଇଛି। ରାଜ୍ୟପାଳ ପ୍ରଫେସର ‌ଗଣେଶୀ ଲାଲ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ସମସ୍ତ ବୈଷୟିକ ଜ୍ଞାନ କୌଶଳ ଥାଇ ମଧ୍ୟ ମଣିଷ ଆଜି ବିଷାଦଗ୍ରସ୍ତ। ଏହାର କାରଣ ହେଉଛି ମଣିଷ ନିଜକୁ କେବଳ ଶରୀର ଭାବି ନେଇଛି। ମାତ୍ର ମହାପ୍ରଜ୍ଞଜୀଙ୍କ ଦର୍ଶନ ମୁତାବକ, ବାହାର ଶରୀରକୁ ନେଇ ଆମେ ବଞ୍ଚୁଥିଲେ ହେଁ ଆମକୁ ଶରୀର ଭିତରେ ରହିବାକୁ ପଡ଼ିବ। ଅନନ୍ତର ଉପଲବ୍ଧି ପାଇଁ ଏହା ନିତାନ୍ତ ଆବଶ୍ୟକ। ଏଥିସହ ଜୀବନ ବିଜ୍ଞାନକୁ ଲୋକେ ବୁଝିବା ଦରକାର ବୋଲି ସେ କହିଛନ୍ତି। ଆଚାର୍ଯ୍ୟ ମହା ଶ୍ରମଣଜୀଙ୍କ ବିଦୁଷୀ ଶିଷ୍ୟା ସମଣୀ ମଳୟ ପ୍ରଜ୍ଞାଜୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଚାର୍ଯ୍ୟ ମହାପ୍ରଜ୍ଞଜୀ ଥିଲେ ଆତ୍ମଦ୍ରଷ୍ଟା, ଯୁଗଦ୍ରଷ୍ଟା ଓ ଭବିଷ୍ୟଦ୍ରଷ୍ଟା। ସେ ଜ୍ଞାନ, ଗୁରୁ ଓ ଆତ୍ମଭକ୍ତିର ଉପାସକ ଥିଲେ। ଏଥିସହ ସେ ମହାପ୍ରଜ୍ଞଙ୍କ ବ୍ୟକ୍ତିତ୍ବ, କର୍ତୃତ୍ବ ଓ ନେତୃତ୍ବ ବାବଦରେ ବିଶେଷ ଭାବେ ଆଲୋଚନା କରିଥିଲେ। ଉତ୍ସବରେ ସମଣୀ ନିତି ପ୍ରଜ୍ଞାଜୀ ମଧ୍ୟ ବକ୍ତବ୍ୟ ରଖି ୯୦ ବର୍ଷର ଜୀବନ କାଳ ମଧ୍ୟରେ ମହାପ୍ରଜ୍ଞଙ୍କ ଆନନ୍ଦ, ଜ୍ଞାନ ଓ ଶକ୍ତି ଉପାସନା ସମ୍ପର୍କ‌ରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ମହାସଭାର ସଂରକ୍ଷକ ସୁଭାଷର ଭୁରା, ସଭାର ଅଧ୍ୟକ୍ଷ ମହେଶ ସେଠିୟା ଏବଂ ସୁନିଲ ସୁରାଣା ପ୍ରମୁଖ ଉପସ୍ଥିତ ରହି ମହାପ୍ରଜ୍ଞ ଜୀଙ୍କ କାର୍ଯ୍ୟାବଳୀ ଓ ମାର୍ଗଦର୍ଶନ ସମ୍ବନ୍ଧରେ ଆଲୋକପାତ କରିଥିଲେ।

ସମ୍ବନ୍ଧିତ ଖବର