ତାତି ବଢ଼ୁଛି, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପିଇବା ପାଣି ମିଳୁନି

ଦୁଇ ସବ୍‌ ସେଣ୍ଟରରେ ଡାକ୍ତର ନାହାନ୍ତି, ବିଧାୟକ ପରିଦର୍ଶନ କରି ସ୍ଥିତି ପରଖିଲେ

ବାଲିପାଟଣା: ମାର୍ଚ୍ଚ ମାସ ସରିବାକୁ ବସିଛି। ଧୀରେ ଧୀରେ ଦିନ ବେଳା ତାତି ବଡ଼ିଲାଣି। ଅଥଚ ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ପିଇବା ପାଣି ମୁନ୍ଦେ ମିଳୁନାହିଁ। ଦୁଇଟି ସବ୍‌ ସେଣ୍ଟରରେ ଡାକ୍ତର ନ ଥିବାରୁ ରୋଗୀ ସେବାରେ ବି ବାଧ‌ା ଉପୁଜିଛି। ବୁଧବାର ଜୟଦେବ ବିଧାୟକ ଡ. ଅରବିନ୍ଦ ଢାଲି ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନରେ ଆସି ଲାଗି ରହିଥିବା ପ୍ରମୁଖ ସମସ୍ୟା ସମ୍ବନ୍ଧରେ ଅଧିକାରୀ ଓ ସ୍ଥାନୀୟ ଜନସାଧାରଣଙ୍କ ଠାରୁ ପଚାରି ବୁଝିଥିଲେ। କରୋନାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟକେନ୍ଦ୍ର ତରଫରୁ ଜନସାଧାରଣଙ୍କୁ ସଚେତନ କରିବା ସହିତ ସେବା ଯୋଗାଇ ଦେବାକୁ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କୁ କହିଥିଲେ। ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ତିନିଟି ସବ୍‌ସେଣ୍ଟର ଅଛି। ବନମାଳିପୁର ସବ୍‌ସେଣ୍ଟରରେ ଡାକ୍ତର ଥିବା ବେଳେ ରାଜସ ଏବଂ ଅଭୟମୁଖିରେ ଡାକ୍ତର ପଦବି ଖାଲି ପଡ଼ିଛି। ସରକାରୀ ଅଧିକାରୀ ମାନଙ୍କୁ ସରକାରୀ କ୍ବାର୍ଟର୍ସରେ ରହିବା ପାଇଁ ନିୟମ କରାଯାଇଥିଲେ ମଧ୍ୟ ବାଲିପାଟଣା ସ୍ବାସ୍ଥ୍ୟକେନ୍ଦ୍ରର କେତେକ ଅଫିସର ଓ କର୍ମଚାରୀ ରହୁ ନ ଥିବା ଜନସାଧାରଣ ବିଧାୟକଙ୍କ ପାଖରେ ଅଭିଯୋଗ କରିଥିଲେ। କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଜନସାଧାରଣ ବ୍ୟବହାର ଲାଗି ଟଏଲେଟ୍ ବି ନାହିଁ। ଡାକ୍ତରଖାନା ପାଇଁ ଏକ ଉଚ୍ଚ ଶକ୍ତିସମ୍ପନ୍ନ ଜେନେରେଟର ଯୋଗାଇ ଦେବାକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ. ମନୋରଂଜନ ହାତୀ ବିଧାୟକଙ୍କୁ ପ୍ରସ୍ତାବ ଦେଇଥିଲେ। କରୋନା ପାଇଁ ଏକ ହଜାର ମାସ୍କ ମଗା ଯାଇଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ତରଫରୁ ମାତ୍ର ୬୦ଟି ଦିଆଯାଇଥିବା କର୍ମଚାରୀମାନେ ଅଭିଯୋଗ କରିଥିଲେ।

ସ୍ବାସ୍ଥ୍ୟକେନ୍ଦ୍ରରେ ଲାଗି ରହିଥିବା ସମସ୍ୟା ଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ ସମାଧାନ କରିବା ସହିତ ଆବଶ୍ୟକ ସରଞ୍ଜାମ ତୁରନ୍ତ ମହଜୁଦ ରଖିବା ପାଇଁ ବିଧାୟକ ଶ୍ରୀ ଢାଲି ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କୁ କହିଥିଲେ। ପିଇବା ପାଣିପାଇଁ ଆକ୍ବାଗାର୍ଡ ଲଗାଇବା ସହିତ ବିଦ୍ୟୁତ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ଶ୍ରୀ ଢାଲି ଜନସାଧାରଣଙ୍କୁ ସଚେତନ ରହିବା ସହିତ କୌଣସି ପରିସ୍ଥିତିରେ ଭୟଭୀତ ନ ହେବା ପାଇଁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ବାଲିପାଟଣା ପ୍ରେସ୍‌ କ୍ଲବର ସମ୍ପାଦକ ତଥା କ୍ରୀଡା ସାମ୍ବାଦିକ ସୁରେଶ ସ୍ବାଇଁ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର