ବର୍ଷା ଉଭାନ୍, ତଳି ପଟାଳି ଫାଟି ଗଲାଣି

ମେଣ୍ଢାଶାଳ: ଆଷାଢ଼ ମାସର ବିତିଗଲାଣି ଅଧାରୁ ଅଧିକ ଦିନ। କିନ୍ତୁ ବର୍ଷା ନାହିଁ। ପହିଲି ଆଷାଢ଼ରେ ହୋଇଥିବା କେଇ ଅସରା ପରେ ଏବେ କିଛି ଦିନ ହେଲା ବର୍ଷା ପ୍ରାୟ ଉଭାନ୍‌ ହୋଇଯାଇଛି। ଫଳରେ ଧାନ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି। ବୁଣା ହୋଇଥିବା ଧାନ ବିଲରେ ଗଜା ମରିବାକୁ ବସିଥିବା ବ‌େଳେ ତଳି କିଆରି ଫାଟି ଆଁ କଲାଣି। ନିଅଣ୍ଟିଆ ବର୍ଷା ପାଇଁ ବିଲ ସବୁ ଘାସରେ ଭର୍ତ୍ତି ହୋଇଗଲାଣି। ଏଭଳି ସ୍ଥିତି ଲାଗି ରହିଲେ, ଆଗକୁ ତଳି ସମ୍ପୂର୍ଣ୍ଣ ନଷ୍ଟ ହେବ ଓ ପରେ ଚାଷୀ ନିକଟରେ ଆଉ ବିହନ ନ ଥିବ। ରାଜଧାନୀ ଉପକଣ୍ଠରେ ଚାଷ କାମ ଜୋର୍‌ଦାର ଆରମ୍ଭ ହୋଇଯାଇଥିଲା। ମାତ୍ର କିଛି ଦିନ ହେଲା ବର୍ଷା ହେଉନଥିବାରୁ ଏବେ ଚାଷୀମାନେ ହାତବାନ୍ଧି ବସିଛନ୍ତି। କିଛି ଚାଷୀ ରଜ ପୂର୍ବରୁ ବିଲରେ ଧାନ ବୁଣି ସାରିଥିଲେ। ପ୍ରଥମ ପ୍ରଥମ ବର୍ଷାରେ ତାହା ଗଛ ହୋଇଯାଇଛି। ମାତ୍ର ଏବେ ବର୍ଷା କମି ଯାଇଥିବାରୁ କିଛି ବିଲରେ ଗଜା ମରୁଡ଼ି ସ୍ଥିତି ସୃଷ୍ଟି ହୋଇଛି ଓ ଆଉ କିଛି ବିଲରେ ପ୍ରଚୁର ଘାସ ଉଠିଥିବାରୁ ଧାନ ଗଛ ଉଧେଇ ପାରୁନାହିଁ। ସେହିଭଳି କିଛି ଚାଷୀ ଧାନ ତଳି ପକାଇ ସାରିଥିବା ବେଳେ କିଛି ଚାଷୀ ତଳି ପକାଇବାକୁ ପ୍ରସ୍ତୁତି ଆରମ୍ଭ କରିଦେଲାଣି। ତଳି ଉଠିଥିବା ପଟାଳିରେ ପାଣି ଅଭାବରୁ ଗଛ ମରିବାକୁ ବସିଲାଣି। ବିହନ ପଡ଼ିନଥିବା ପଟାଳି ଫାଟି ଆଁ କରିଥିବା ଦେଖିବାକୁ ମିଳିଛି। ଏମିତି ଦୃଶ୍ୟ ଅରିଶଲ, ମଦନପୁର, ଛତାବର, ଜାମୁଝରୀ, ପାଣିଓରା, ପଳାଶପୁର ଓ ମେଣ୍ଢାଶାଳ ଆଦି ଅଞ୍ଚଳରେ ଦେଖିବାକୁ ମିଳିଛି। ତେଣୁ ଏହି ସବୁ ଅଞ୍ଚଳରେ ଚାଷୀମାନେ ବର୍ଷାକୁ ଚାତକ ଭଳି ଚାହିଁ ବସିଛନ୍ତି।

ସୂଚନାଯୋଗ୍ୟ ଯେ ମେଣ୍ଢାଶାଳରେ ପାଣି ସୁବିଧା ଥାଇ ମଧ୍ୟ ଚାଷୀମାନେ ଚାଷ ଜମିକୁ ପାଣି ମଡ଼ାଇ ପାରୁନାହାନ୍ତି। ସାତମାଣ, ବାଉଁଶ ମାଳ ଓ ବଡ଼ ଆମ୍ବ ମାଳକୁ ଯାଇଥିବା ମୁଖ୍ୟ ନାଳଟି ପୋତି ହୋଇଯାଇଛି। ରାସ୍ତା ନିର୍ମାଣ ହେବା ଦ୍ବାରା ଏହି ପ୍ରାକୃତିକ ନାଳ ବି‌ଲୁପ୍ତ ହୋଇ ଯାଇଛି।

ସମ୍ବନ୍ଧିତ ଖବର