ଭଡ଼ା କାର୍‌ରେ ଅସାମାଜିକଙ୍କ ଖେଳ, ଚିନ୍ତାରେ ଟ୍ରାଭେଲ୍‌ ଏଜେନ୍‌ସି

ଚନ୍ଦ୍ରଶେଖରପୁର: ଲକ୍‌ଡାଉନ୍‌ କାଳରେ ଟ୍ରାଭେଲ୍‌ ଏଜେନ୍‌ସିରୁ ଭଡ଼ାରେ କାର୍‌ ନେଇ ଅସାମାଜିକ ତତ୍ତ୍ବମାନେ ବିଭିନ୍ନ ‌ବେଆଇନ କାମ କରୁଛନ୍ତି। କେତେବେଳେ ଭଡ଼ା କାର୍‌ରେ ନିଶା ଦ୍ରବ୍ୟ ଚାଲାଣ କରାଯାଉଛି ତ କେତେବେଳେ ଲୁଟ୍‌ପାଟ୍‌ ଓ ଅନ୍ୟାନ୍ୟ ଅନୈତିକ କାର୍ଯ୍ୟ କରାଯାଉଛି। ବହୁ ସମୟରେ ଦୁର୍ବୃତ୍ତମା‌ନେ ଭଡ଼ା ବାହାନାରେ କାର୍‌ ନେଇ ପୂରା ପାର୍ ହୋଇଯାଉଛନ୍ତି। ତେଣୁ ଟ୍ରାଭେଲ୍‌ ଏଜେନ୍‌ସି ମାଲିକମାନେ ଚିନ୍ତାରେ ପଡ଼ିଛନ୍ତି। ଭଡ଼ା ଦେବା ବେଳେ ପରିଚୟପତ୍ର ରଖି ବି ପରେ ତାହା ନକଲି ବୋଲି ଜଣାପଡ଼ୁଥିବାରୁ ଏଜେନ୍‌ସି ମାଲିକମାନେ ହରଡ଼ଘଣାରେ ପଡ଼ୁଛନ୍ତି। ଗତ ଚାରି ମାସ ଭିତରେ ଚନ୍ଦ୍ରଶେଖରପୁର ଓ ଇନ୍‌ଫୋସିଟି ଥାନା ଅଞ୍ଚଳରେ ଏମିତି ବହୁ ମାମଲା ନେଇ ଥାନାରେ ଅଭିଯୋଗ ହୋଇଛି। ପୁଲିସ କିଛି କାର୍‌ ଠାବ କରିଥିଲେ ବି ଦୁର୍ବୃତ୍ତମାନଙ୍କୁ ଧରିବାରରେ ସକ୍ଷମ ହୋଇନାହିଁ। ଆଉ କିଛି କାର୍‌ର ପତ୍ତା ବି ମିଳି ପାରିନାହିଁ।

ସୂଚନାନୁସାରେ ଟ୍ରାଭେଲ୍ ଏଜେନ୍‌ସି ମାଲିକ ଅର୍ଣ୍ଣବ ମିଶ୍ର ଇନ୍‌ଫୋସିଟି ଛକରେ ଏକ କାଉଣ୍ଟର କରିଛନ୍ତି। ଦୁଇ ମାସ ପୂର୍ବେ ସଚ୍ଚିଦାନନ୍ଦ ଚାନ୍ଦ୍‌ ନାମକ ଜଣେ ବ୍ୟକ୍ତି ତାଙ୍କଠାରୁ ଏକ କାର୍‌ ଭଡ଼ାରେ ନେଇଥିଲା। ଦୈନିକ ହଜାରେ ଟଙ୍କା ଭଡ଼ା ଦରରେ ସେ ଗାଡ଼ି ନେବା ପରେ ପ୍ରଥମେ କିଛି ଦିନ ଅନ୍‌ଲାଇନ୍ ମାଧ୍ୟମରେ ଟଙ୍କା ପଠାଇଥିଲା। କିନ୍ତୁ ପରେ ହଠାତ୍ ତା ଫୋନ୍ ବନ୍ଦ ହୋଇଯାଇଥିଲା ଓ ସେ କାର୍‌ ସହ ଗାଏବ ହୋଇଯାଇଥିଲା। ଏନେଇ ଅର୍ଣ୍ଣବ ପୁଲିସର ଦ୍ବାରସ୍ଥ ହୋଇଥିଲେ ବି ସଚ୍ଚିଦାନନ୍ଦର ଖୋଜ୍‌ ଖବର ନାହିଁ। ସେହିଭଳି ଅନ୍ୟ ଜଣେ ଏଜେନ୍‌ସି ମାଲିକ ଦେବଦତ୍ତ ମହାନ୍ତିଙ୍କ କହିବା କଥା ଶୈଳଶ୍ରୀବିହାର ଅଞ୍ଚଳର ଦୁଇଜଣ ଯୁବକ ତାଙ୍କଠାରୁ ଏକ କାର୍‌ ଭଡ଼ାରେ ନେଇଥିଲେ। କେନ୍ଦ୍ରାପଡ଼ା ଆଳି ନିକଟରେ କାର୍‌ରୁ ଜିପିଆରଏସ୍ କାଢ଼ି ରାସ୍ତା କଡ଼ରେ ଫୋପାଡ଼ି ଦେଇ ଅନ୍ତର୍ଧାନ ହୋଇଯାଇଥିଲେ। ତେବେ ସୌଭାଗ୍ୟକୁ ପୁଲିସ କେନ୍ଦ୍ରାପଡ଼ା ଚେକ୍‌ ଗେଟ୍ ନିକଟରୁ ଲୁଟ୍ କାର୍‌କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲା। କିନ୍ତୁ ଦୁର୍ବୃତ୍ତମାନେ ଫେରାର୍ ହୋଇଯାଇଥିଲେ।

ଅନ୍ୟ ଏକ ମାମଲାରେ ଦୁର୍ବୃତ୍ତମାନେ କାର୍‌ ଭଡ଼ା ନେଇ ସେଥିରେ ଯୁବତୀ ଅପହରଣ କାଣ୍ଡ କରିଥିଲେ। ଏହି ମାମଲାରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ନାବାଳିକାକୁ ନୟାଗଡ଼ରୁ ଉଦ୍ଧାର କରିବା ସହ ଗାଡ଼ିକୁ ଜବତ କରିଥିଲା। ସେମିତି ଅନ୍ୟ ଏକ ମାମଲାରେ ୨ ଦିନ ତଳେ ଚନ୍ଦ୍ରଶେଖରପୁର ଥାନା ପୁଲିସ ପାରାଦୀପରୁ ପ୍ରଣୟ ‌ବେହେରା ନାମକ ଜଣେ ଠକକୁ ଧରିଛି। ସେ ଗତ କିଛି ଦିନ ହେଲା ଅରବିନ୍ଦ ବେହେରାଙ୍କ କାର୍‌ ଭଡ଼ାରେ ନେଇ ଚମ୍ପଟ ମାରିଥିଲା। ତେବେ ସେ କାର୍‌ରେ କି’ କି’ କାଣ୍ଡ କରିଛି, ତାହାକୁ ନେଇ ପୁଲିସ ତଦନ୍ତ ଜାରି ରଖିଛି। ସୂଚନାଯୋଗ୍ୟ ଗତ ସପ୍ତାହରେ ଚନ୍ଦ୍ରଶେଖରପୁର ଥାନାରେ ଦୁଇଟି ଓ ଇନ୍‌ଫୋସିଟି ଥାନାରେ ଏ ସଂପର୍କିତ ତିନିଟି ଅଭିଯୋଗ ହୋଇଛି। ସ୍ଥାନୀୟ ଅଞ୍ଚଳର ଟ୍ରାଭେଲ୍ ଏଜେନ୍‌ସି କରିଥିବା ଦେବଦତ୍ତ ମହାନ୍ତି, ରବିକାନ୍ତ ବେହେରା, ଅର୍ଣ୍ଣବ ମିଶ୍ର, ସୁଚିକାନ୍ତ ସାମଲ, ବିଶ୍ବଜିତ୍ ନାୟକ ଓ ନୀଳମଣି ଓଝା ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର