ଶ୍ରୀଜଗନ୍ନାଥକୈନ୍ଦ୍ରିକ ୭ ପୁସ୍ତକ ଲୋକାର୍ପିତ

ଭୁବନେଶ୍ବର: ଭୁବନେଶ୍ବରସ୍ଥିତ ‘ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷଣା ପରିଷଦ’ ପକ୍ଷରୁ ରୟାଲ କଲେଜ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଏବଂ ଓଡ଼ିଶା ସାହିତ୍ୟ ଏକାଡେମି ମିଳିତ ସହଯୋଗରେ ଆଜି ରୟାଲ କଲେଜ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିରେ ‘ସପ୍ତମ ଜାତୀୟ ସଂପାନ ଓ ପୁସ୍ତକ ଲୋକାର୍ପଣ ଉତ୍ସବ’ ଅନୁଷ୍ଠିତ ହୋଇଯାଇଛି। ପରିଷଦର ସଭାପତି ପ୍ରଫେସର ନିତ୍ୟାନନ୍ଦ ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ରାଜେନ୍ଦ୍ର ପ୍ରସାଦ କୃଷି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର କୁଳାଧିପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ମୁଖ୍ୟ ଅତିଥି, କିସ୍‌ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ ବିଶିଷ୍ଟ ଅତିଥି ଓ ଶ୍ରୀମନ୍ଦିର ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ୭ଟି ପୁସ୍ତକ ଉନ୍ମୋଚିତ ହୋଇଥିଲା। ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷଣା ପରିଷଦ ଦ୍ବାରା ସଂପାଦିତ ପୁସ୍ତକ ‘ରତ୍ନ ସିଂହାସନରେ ସପ୍ତଧାବିଗ୍ରହ ଉପାସନା’, ମଥୁରେନ୍ଦ୍ର ପୃଷ୍ଟିଙ୍କ ଲିଖିତ ‘ଶ୍ରୀଜଗନ୍ନାଥ ଚେତନାରେ ଦଧିବାମନ ଉପାସନା’, ସାରଙ୍ଗଧର ରାୟଗୁରୁଙ୍କ ଲିଖିତ ‘ଜଗନ୍ନାଥ ସଂସ୍କୃତିରେ ଦକ୍ଷିଣ କାଳିକା’ ଓ ‘ବୈଷ୍ଣବାଗମରେ ରାଧାରାଣୀ’, ପ୍ରଫେସର୍‌ ଧ୍ରୁବଚରଣ ନାୟକଙ୍କ ଲିଖିତ ‘କାହାଣୀ ଶୁଣିବ ଆସ’, ଧରଣୀଧର ନାୟକଙ୍କ ଲିଖିତ ‘ସାରଳା ମହାଭାରତରେ ଶକ୍ତି ଉପାସନା’ ଏବଂ ଲକ୍ଷ୍ମୀଧର ସାହୁଙ୍କ ଲିଖିତ ‘କଳିଙ୍ଗ ଜୀନାସିନ ଇତିହାସ’ ଆଦି ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ବହୁ ପ୍ରତିଭାବାନ୍‌ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଧିତ କରାଯାଇଥିଲା। ‘ଆମ ଓଡ଼ିଶା’ ପ୍ରକାଶନୀ ପକ୍ଷରୁ ପ୍ରକାଶିତ ତଥା କେନ୍ଦ୍ର ସାହିତ୍ୟ ଅକାଦେମି ଅନୁବାଦ ପୁରସ୍କାରପ୍ରାପ୍ତ ପୁସ୍ତକ ‘ଶ୍ରୀମୟୀ ମା’ର ଅନୁବାଦିକା ଶ୍ରଦ୍ଧାଞ୍ଜଳି କ‌ାନୁନ୍‌ଗୋଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ବନ୍ଧିତ ଖବର