ସାଇବର ଠକେଇର ନୂଆ ଠିକଣା, ଅକ୍ସିମିଟର ଆପ୍ ଓ ହ୍ବାଟ୍‌ସଆପ୍ ପିଙ୍କ୍

ଭୁବନେଶ୍ବର: ସାଇବର ଠକ ଲୋକଙ୍କୁ ଆକାଉଣ୍ଟ୍‌ରୁ ଟଙ୍କା ଗାଏବ୍ କରିବା ପାଇଁ ଏବେ ନୂଆ ପନ୍ଥା ଆପଣାଇଛନ୍ତି। ଲୋକଙ୍କ ଆବଶ୍ୟକତା ଓ ଆକୃଷ୍ଟ କରି ଠକିବା ପାଇଁ ଦୁଇଟି ନୂଆ ତରିକା ଆପଣାଇଛନ୍ତି। ବର୍ତ୍ତମାନ ସାରା ଦେଶରେ କରୋନାର ପ୍ରକୋପ ଚାଲିଥିବାରୁ ଦେହରେ ଅମ୍ଳଜାନର ସ୍ତର ମାପିବା ଓ ରକ୍ତଚାପର ଯାଞ୍ଚ୍ କରିବାକୁ ନେଇ ସାଇବର ଠକ ଏକ ନକଲି ଅକ୍ସିମିଟର ଆପ୍ ବ୍ୟବହାର କରୁଛନ୍ତି। ଏହି ଆପ୍ ମୋବାଇଲ୍‌ରେ ଥରେ ଇନଷ୍ଟଲ୍ ହେବା ପରେ ମୋବାଇଲ୍‌ର ମେସେଜ୍ ବ୍ୟବସ୍ଥାକୁ ହ୍ୟାକ୍ କରେ। ଏହାପରେ ମୋବାଇଲ୍‌ରୁ ଟଙ୍କା ନେଣଦେଣ ପାଇଁ ବ୍ୟବହାର ହେଉଥିବା ଓଟିପିକୁ ନେଇ ଆକାଉଣ୍ଟ୍‌ରୁ ଟଙ୍କା ଲୁଟ୍ ହୁଏ।

ସେହିଭଳି ମୋବାଇଲ୍‌ରେ ଥିବା ବ୍ୟକ୍ତିଗତ ତଥ୍ୟ, କଣ୍ଟାକ୍ଟ ଡିଟେଲ୍ସ ଓ ଫଟୋ ଭଳି ଗୁରୁତ୍ବପୂର୍ଣ୍ଣ ଜିନିଷ ମଧ୍ୟ ସାଇବର ଠକ ଖୁବ୍ ସହଜରେ ନେଇଥାଏ। ତେବେ ଓଡ଼ିଶାରେ ଏନେଇ କୌଣସି ଅଭିଯୋଗ ଆସିନଥିବା ବେଳେ ଗୁଜୁରାଟ, କର୍ଣ୍ଣାଟକ ଓ ହରିୟାଣାରେ ଲୋକେ ଠକାମିର ଶିକାର ହେଉଛନ୍ତି। ଏଥିପାଇଁ ପ୍ରଶାସନ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି।

ସେହିଭଳି ଗୋଲାପୀ ରଙ୍ଗର ହ୍ଵାଟ୍‌ସଆପ୍ ବ୍ୟବହାର କରିବାକୁ କହି ଠକ ଏବେ ମୋବାଇଲ୍‌ରୁ ଟଙ୍କା ଲୁଟି ନେଉଥିବା ଘଟଣା ସାମ୍‌ନାକୁ ଆସିଛି। ନିକଟରେ ରାଜଧାନୀରୁ ଜଣେ ମହିଳା ଏହି ଆପ୍‌କୁ ବ୍ୟବହାର କରିବା ପରେ ତାଙ୍କ ଆକାଉଣ୍ଟରୁ ମନକୁ ମନ ୨ ଲକ୍ଷ ଟଙ୍କା କଟିଯାଇଥିଲା। ଯାହାକୁ ନେଇ ସେ ଥାନାରେ ଅଭିଯୋଗ କରିବା ପରେ ଏଭଳି ନୂଆ ଠକେଇ ସାମ୍‌ନାକୁ ଆସିଥିଲା। ତେବେ ଏଥିରୁ ବଞ୍ଚିବା ପାଇଁ ହେଲେ ପ୍ଲେ ଷ୍ଟୋର୍‌ରୁ ଆପ୍ ଡାଉନ୍‌ଲୋଡ୍‌ କରି ବ୍ୟବହାର କରିବାକୁ ସାଇବର ବିଶେଷଜ୍ଞ ମତ ଦେଇଛନ୍ତି। ଏହା ସହିତ କୌଣସି ଲିଙ୍କ୍‌ରୁ ଆପ୍ ଡାଉନ୍‌ଲୋଡ୍ କରିବା ପାଇଁ ମେସେଜ୍ ଆସିଲେ ତା’ ବିଶ୍ବସନୀୟତାକୁ ଯାଞ୍ଚ୍ କରି ଡାଉନ୍‌ଲୋଡ୍ କରିବାକୁ କହିଛନ୍ତି।

ସମ୍ବନ୍ଧିତ ଖବର