ବନ୍ଦେ ଉତ୍କଳ ଜନନୀରେ କମ୍ପିଲା ରାଜଧାନୀ, ୯୫୮ ସ୍ଥାନରେ ବୋଲିଲେ ଲକ୍ଷେ ଲୋକ

ନିଆରା ଢଙ୍ଗରେ ସମ୍ମାନ ଜଣାଇଲା କଂଗ୍ରେସ

ଭୁବନେଶ୍ବର, ୩୦।୫ (ଇମିସ): ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନକ୍ରମେ ଆଜି ଓଡ଼ିଆମାନେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାଇଥିଲେ। ଭୁବନେଶ୍ବରରେ ବିଏମ୍‌ସି ସଂଯୋଜନାରେ ଏକ ଲକ୍ଷରୁ ଅଧିକ ଲୋକ ବନ୍ଦେ ଉତ୍କଳ ଜନନୀ ଗାଇଥିବା କୁହାଯାଇଛି। ବିଏମ୍‌ସି ପକ୍ଷରୁ ୯୫୮ସ୍ଥାନରେ ବିଭିନ୍ନ ପ୍ରକାରର ଆୟୋଜନ କରାଯାଇଥିଲା। ଏଥିରେ ରାଜଧାନୀବାସୀ ସ୍ବଇଚ୍ଛାରେ ବନ୍ଦେ ଉତ୍କଳ ଜନନୀ ଗାଇଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି। ସେହିପରି ବିଏମ୍‌ସି କାର୍ଯ୍ୟାଳୟ ପରିସରରେ କମିସନର ପ୍ରେମ ଚନ୍ଦ୍ର ଚୌଧରୀଙ୍କ ସମେତ ସମସ୍ତ କର୍ମଚାରୀ ବନ୍ଦେ ଉତ୍କଳ ଜନନୀ ଗାଇଥିଲେ। ଏହାବାଦ୍ ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ୍‌ ପକ୍ଷରୁ ୭ଟି ସ୍ଥାନରେ ଯଥା ଲିଙ୍ଗରାଜ ‌ମନ୍ଦିର, ଏକାମ୍ର ପ୍ଲାଜା, ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ଆଇ ଲଭ୍‌ ଭୁବନେଶ୍ବର ପ୍ଲାଜା ନିକଟ, ସ୍ମାର୍ଟ ପାର୍କ, ବିଏମ୍‌ସି-ଆଇସିଓଏମ୍‌ସି କୋଠା ନିର୍ମାଣସ୍ଥଳୀ, ଭୁବନେଶ୍ବର ଅପରେସନ୍ ସେଣ୍ଟର, ବିଏମ୍‌ସି-ଭବାନୀ ମଲ୍‌ ପ୍ରବେଶ ଫାଟକ ନିକଟରେ ଶତାଧିକ ଲୋକ ବନ୍ଦେ ଉତ୍କଳ ଜନନୀ ଗାଇଥିଲେ। ବିଡିଏ କାର୍ଯ୍ୟାଳୟରେ ବି କର୍ମଚାରୀମାନେ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।

ବିଜେଡି କାର୍ଯ୍ୟାଳୟ

ଭୁବନେଶ୍ବର: ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନ କରାଯାଇଛି। ବିଧାୟକ ତଥା ବିଜେଡି ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ୱରେ ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ଯୋଜନା ବୋର୍ଡ଼ ଉପାଧକ୍ଷ ସଞ୍ଜୟ ଦାସବର୍ମା ଗଣମାଧ୍ୟମକୁ କହିଥିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନରେ ସାରା ରାଜ୍ୟରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଉଛି। ଏହା କେବଳ ଓଡ଼ିଆ ଜାତିକୁ ଏକାଠି କରି ନାହିଁ, ବରଂ ଏହି କଠିନ ସମୟରେ ଦେଶସେବା ପାଇଁ ଉତ୍ସର୍ଗୀକୃତ ମନୋଭାବକୁ ଆହୁରି ପ୍ରେରଣା ଦେଇଛି। ଏହି ଅବସରରେ ଦଳର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ, ଭୁବନେଶ୍ୱର ଜିଲ୍ଲା ସଭାପତି ତଥା ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ କୁମାର ରାଉତ, ବିଧାୟିକା ପ୍ରମିଳା ମଲ୍ଲିକ, ବିଜୟ ନାୟକ, ଅମରେଶ ପତ୍ରି, ରାଣା ପ୍ରତାପ ପତ୍ର, କସ୍ତୁରୀ ମହାପାତ୍ର, ଗୀତାଞ୍ଜଳି ବସ୍ତିଆ, ରବି ସାମଲ ଓ ଅମରେଶ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ନିଆରା ଢଙ୍ଗରେ ସମ୍ମାନ ଜଣାଇଲା କଂଗ୍ରେସ

ଭୁବନେଶ୍ବର: ଆଜି ରାଜ୍ୟ କଂଗ୍ରେସ ପକ୍ଷରୁ ନିଆରା ଢଙ୍ଗରେ କରୋନା ଯୋଦ୍ଧାଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରାଯାଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃ୍ତ୍ବରେ ସ୍ଥାନୀୟ କଂଗ୍ରେସ ଭବନରେ ସନ୍ଧ୍ୟା ୫ଟାରେ ଜାତୀୟ ସଙ୍ଗୀତ ଓ ସନ୍ଧ୍ୟା ୫ଟା ୩୦ ମିନିଟ୍‌ରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଛି। ଏହାସହିତ ସମବେତ କଣ୍ଠରେ ଦେଶାତ୍ମବୋଧକ ସଙ୍ଗୀତ ସହ ଗାନ୍ଧିଜୀଙ୍କ ପ୍ରୀୟ ଭଜନ ରଘୁପତି ରାଜାରାମ ପରିବେଷଣ କରାଯାଇଛି।
କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ନିୟୋଜିତ ସମସ୍ତ ବର୍ଗର ଭାଇ ଓ ଭଉଣୀମାନଙ୍କୁ ଏହି ଅବସରରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କୃତଜ୍ଞତା ଜଣାଇଛନ୍ତି। ଏହାସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅପରିଣାମଦର୍ଶିତା ଯୋଗୁଁ ରାଜ୍ୟର ଲକ୍ଷ ଲକ୍ଷ ସନ୍ତାନ ପ୍ରବାସରେ ଅସହ୍ୟ ଯନ୍ତ୍ରଣାରେ ଆଜି ଛଟପଟ ହେଉଥିବା ନେଇ ଅଭିଯୋଗ କରିଛନ୍ତି। ରାଜ୍ୟକୁ ଫେରିବା ବାଟରେ ପ୍ରାଣ ହରାଇଥିବା ପ୍ରବାସୀ ଶ୍ରମିକମାନଙ୍କ ଆତ୍ମାର ସଦଗତି ନିମନ୍ତେ ୨ ମିନିଟ୍‌ ନୀରବ ପ୍ରାର୍ଥନ କରାଯିବା ସହ ସେମାନଙ୍କ ପରିବାର ବର୍ଗ ପ୍ରତି ଦଳ ପକ୍ଷରୁ ସମବେଦନା ଜ୍ଞାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଏଆଇସିସି ସାଧାରଣ ସମ୍ପାଦକ ରାମଚନ୍ଦ୍ର ଖୁଣ୍ଟିଆ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ସଙ୍ଗୀତଜ୍ଞ ଆଶା ଆଲୋକ ବାରିକ ଓ ପ୍ରଭାସିନୀ ରାଉତଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ବିଜୟଲକ୍ଷ୍ମୀ ସାହୁ, ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ, ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ, ହଳଧର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର