ଭିସୁଟ୍‌କୁ ଶହେ ଏକର ଜମି: କୃତଜ୍ଞତା ଜଣାଇଲେ ପୁରାତନ ଛାତ୍ରଛାତ୍ରୀ

ଭୁବନେଶ୍ବର: ବୁର୍ଲାସ୍ଥିତ ବୀର ସୁରେନ୍ଦ୍ରସାଏ ୟୁନିଭରସିଟି ଅଫ ଟେକ୍‌ନୋଲେଜି(ଭିସୁଟ୍‌)ର ଉନ୍ନତୀକରଣ ପାଇଁ ପ୍ରସ୍ତାବିତ ମାଷ୍ଟରପ୍ଲାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଥିବାରୁ ପୁରାତନ ଛାତ୍ରଛାତ୍ରୀ କୃତଜ୍ଞତା ଜଣାଇଛନ୍ତି। ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଭିସୁଟ୍‌ କୁଳପତି ପ୍ରଫେସର ବି. ମାଝି, ପ୍ରତିଷ୍ଠାତା କୁଳପତି ପ୍ରଫେସର ଦେବ କୁମାର ତ୍ରିପାଠୀ, ଆଲୁମିନି ଆସୋସିଏସନ୍‌ ଭୁବନେଶ୍ବର ଚାପ୍ଟର ସଭାପତି ବ୍ରହ୍ମା ମିଶ୍ର, ଗ୍ଲୋବାଲ ଆଲୁମିନି ଆସୋସିଏସନ୍‌ ସଭାପତି ଅଶେଷ ପାଢ଼ୀ, ରେଣୁବାଳା ମହାନ୍ତି, ମେଜର ପି ସି ପଟ୍ଟନାୟକ, ସୁଦୀପ୍ତ ଦାସ ଯୋଗଦେଇ କହିଲେ ରାଜ୍ୟର ଏହି ସର୍ବପୁରାତନ ବୈଷୟିକ ଶିକ୍ଷାନୁଷ୍ଠାନର ବିକାଶ ଲାଗି ବହୁ ଦିନ ହେଲା ଦାବି କରାଯିବା ସହ ପ୍ରସ୍ତାବ ଦିଆଯାଇଥିଲା।

ଅଗଷ୍ଟ ମାସରେ ମୁଖ୍ୟ ଶାସନ ସଚିବଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ବିଶ୍ବବିଦ୍ୟାଳୟ ଭିତ୍ତିଭୂମି ତଦାରଖ କରିବା ସହ ବିକାଶର ନକ୍ସା‌ ପ୍ରସ୍ତୁତ କରିଥିଲେ। ଯୋଜନା ଅନୁଯାୟୀ ୨୦୨୬ ସୁଦ୍ଧା ଏହି ଅନୁଷ୍ଠାନରେ ୨୪ଟି ଅଣ୍ଡର ଗ୍ରାଜୁଏଟ ବିଭାଗରେ ୧୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢ଼ିବାର ବ୍ୟବସ୍ଥା କରାଯିବ। ଏଥିପାଇଁ ୩ଟି ପର୍ଯ୍ୟାୟରେ ୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିସହ ଭିତ୍ତିଭୂମି ବିକାଶ ଲାଗି ବିଶ୍ବବିଦ୍ୟାଳୟକୁ ଲାଗି ରହିଥିବା ଶହେ ଏକର ସରକାରୀ ଜମିକୁ ବିଶ୍ବବିଦ୍ୟାଳୟକୁ ହସ୍ତାନ୍ତର କରାଯିବ। ୨୭ଟି ଉତ୍କର୍ଷ କେନ୍ଦ୍ର ଖୋଲିବ, ଯାହା ମାଧ୍ୟମରେ ଶିଳ୍ପ ସଂସ୍ଥା, ପୁରାତନ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଯୋଡ଼ାଯାଇ ପାରିବ। ୭ଟି ସ୍କୁଲରେ ୨୪ଟି ଇଞ୍ଜିନିୟରିଂ ପ୍ରୋଗ୍ରାମ, ୧୪ରୁ ଅଧିକ ବିଭାଗ ଓ ୨୭ରୁ ଅଧିକ ଉତ୍କର୍ଷ କେନ୍ଦ୍ର ଗଠନ ହେବ। ପ୍ରତ୍ୟେକ ସ୍କୁଲରେ ଶ୍ରେଣୀ ଗୃହ, ଲାବୋରେଟୋରି, ପ୍ରଫେସରମାନଙ୍କ ଚାମ୍ବର ଓ ଗ୍ୟାଲେରି ରହିବ।

ସମସ୍ତ ସ୍କୁଲରେ ଅତ୍ୟାଧୁନିକ ଗବେଷଣା କେନ୍ଦ୍ର ଓ ଲାବୋରେଟୋରି ସୁବିଧା ଉପଲବ୍ଧ ହେବ। ପ୍ରତି ଉତ୍କର୍ଷ କେନ୍ଦ୍ର ସହ ଶିଳ୍ପାନୁଷ୍ଠାନର ସହଭାଗିତା କରାଯିବ। ଏଥିରେ ଅତି କମ୍‌ରେ ଜଣେ ପୂର୍ବତନ ଛାତ୍ର ମେଣ୍ଟର ଭାବେ ଦାୟିତ୍ବ ଗ୍ରହଣ କରିବେ। ଏହାଦ୍ବାରା ପ୍ରତ୍ୟେକ ଉତ୍କର୍ଷ କେନ୍ଦ୍ର ଶିଳ୍ପାନୁଷ୍ଠାନଗୁଡ଼ିକ ପାଇଁ ଅତ୍ୟାଧୁନିକ ଗବେଷଣା ଓ ପରାମର୍ଶ କେନ୍ଦ୍ର ଭାବରେ କାର୍ଯ୍ୟ କରିପାରିବ। ଶିକ୍ଷାନୁଷ୍ଠାନର ବିକାଶ ଲାଗି ସବୁ ପୁରାତନ ଛାତ୍ରଛାତ୍ରୀ ଆଗେଇ ଆସିବାକୁ ଆହ୍ବାନ ‌ଦିଆଯାଇଛି।

ସମ୍ବନ୍ଧିତ ଖବର