ପରିବେଶ ସୁରକ୍ଷା ଉପରେ ମାନବ ସମାଜର ଭବିଷ୍ୟତ ନିର୍ଭରଶୀଳ

୧୯ତମ ଓଡ଼ିଶା ବିଜ୍ଞାନ ଓ ପରିବେଶ କଂଗ୍ରେସ ଉଦ୍‌ଘାଟିତ

ଚନ୍ଦ୍ରଶେଖରପୁର : ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଉପଯୋଗ ଫଳରେ ମଣିଷ ଜୀବନ ସରସ ସୁନ୍ଦର ହୋଇପାରିଛି। ମାତ୍ର ବିଜ୍ଞାନ ସୃଷ୍ଟ ପଦ୍ଧତି ଓ ପ୍ରକ୍ରିୟାର ନକାରାତ୍ମକ ପାର୍ଶ୍ୱପ୍ରଭାବ ପୃଥିବୀ ପୃଷ୍ଠରେ ବର୍ତ୍ତମାନ ଭୟଙ୍କର ପରିବେଶ ସମସ୍ୟା ସୃଷ୍ଟି କରୁଛି। ପରିଣାମ ସ୍ୱରୂପ ମଣିଷ, ଅନ୍ୟାନ୍ୟ ଜୀବଜନ୍ତୁ ଓ ଉଦ୍ଭିଦ ଏକ ସୁସ୍ଥ ପରିବେଶରେ ଜୀବନଯାପନ କରିବାରୁ ବଞ୍ଚିତ ହେଉଛନ୍ତି। ଏହି ଧାରା ଜାରି ରହିଲେ ଆଗାମୀ ଶତାବ୍ଦୀରେ ପ୍ରଦୂଷଣ, ବିଶ୍ୱତାପନ, ଜଳବାୟୁ ପରିବର୍ତ୍ତନ ଏବଂ ଜୈବ ବିବିଧତା ହ୍ରାସ ଭଳି ଗମ୍ଭୀର ସମସ୍ୟା ବିଶ୍ୱକୁ ଧ୍ୱଂସାଭିମୁଖୀ କରିବ। ପରିବେଶ ସୁରକ୍ଷାର ଦୃଢ଼ତା ଉପରେ ମାନବସଭ୍ୟତାର ଭବିଷ୍ୟତ ନିର୍ଭର କରୁଛି। ଏନେଇ ବୈଜ୍ଞାନିକମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ୧୯ତମ ଓଡ଼ିଶା ବିଜ୍ଞାନ ଓ ପରିବେଶ କଂଗ୍ରେସ ଉଦ୍‌ଘାଟନୀ ସମାରୋହରେ ଅତିଥିମାନେ ମତ ବ୍ୟକ୍ତ କରିଛନ୍ତି।

ଓଡ଼ିଶା ପରିବେଶ ସମିତି ଏବଂ କିଟ୍‌ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ କିଟ୍‌ ପରିସରରେ ଆୟୋଜିତ ଏହି ଦୁଇଦିନିଆ ସମ୍ମିଳନୀର ଉଦ୍‌ଘାଟନୀ ସମାରୋହରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ସମିତିର ସଭାପତି ଡ. ସୁନ୍ଦର ନାରାୟଣ ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ସିଟିଟିସିର ନିର୍ଦ୍ଦେଶକ ଡ. ସଚ୍ଚିକାନ୍ତ କର, କଟକସ୍ଥିତ ଜାତୀୟ ଧାନ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଡ. ହିମାଂଶୁ ପାଠକ, କିଟ୍‌ ବିଶ୍ୱବିଦ୍ୟାଳୟ କୁଳପତି ହୃଷୀକେଶ ମହାନ୍ତି ପ୍ରମୁଖ ଯୋଗଦେଇ ପରିବେଶ ସୁରକ୍ଷାରେ ବୈଜ୍ଞାନିକମାନଙ୍କର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ଅତିଥିମାନେ ବିଜ୍ଞାନ କଂଗ୍ରେସର ପ୍ରସିଡିଂ ସଂକଳନକୁ ଉନ୍ମୋଚନ କରିଥିଲେ। ଏହାସହିତ ବିଜ୍ଞାନ କ୍ଷେତ୍ରରେ ଜୀବନବ୍ୟାପୀ ଅବଦାନ ନିମନ୍ତେ ବିପିୟୁଟିର ପୂର୍ବତନ କୁଳପତି ପ୍ରଫେସର ଦାମୋଦର ଆଚାର୍ଯ୍ୟ, ଦିଲ୍ଲୀ ଏମ୍‌ସର ପୂର୍ବତନ ଡିନ୍‌ ପଦ୍ମଶ୍ରୀ ସୁବ୍ରତ କୁମାର ଆଚାର୍ଯ୍ୟ, ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନର ପୂର୍ବତନ ପ୍ରଫେସର ଡ. ଚୌଧୁରୀ ରାଜେନ୍ଦ୍ର ପ୍ରହରାଜ ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଧ୍ରୁବରାଜ ନାୟକଙ୍କୁ ମୁଖ୍ୟଅତିଥି ଶ୍ରୀ ସାମଲ ସମ୍ବର୍ନ୍ଧିତ କରିଥିଲେ। କଂଗ୍ରେସ୍‌ର ଆବାହକ ଡ. ଜୟକୃଷ୍ଣ ପାଣିଗ୍ରାହୀ, ଆୟୋଜକ କମିଟିର ସଂଯୋଜିକା ପ୍ରଫେସର୍‌ ବିଶ୍ୱବଂଦିତା କର ପ୍ରମୁଖ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର