ବିରିୟାନିରେ ଅସରପା: ନାମୀ ରେସ୍ତୋରାଁକୁ ୨ଲକ୍ଷ ଜରିମାନା

ଭୁବନେଶ୍ବର: ବିରିୟାନିରୁ ଅସରପା ବାହାରିବା ପରେ ରାଜଧାନୀର ଏକ ନାମୀ ରେସ୍ତୋରାଁକୁ ୨ଲକ୍ଷ ଟଙ୍କାର ତଣ୍ଡ ଗଣିବାକୁ ପଡ଼ିଛି। ରାଜଭବନ ନିକଟରେ ଥିବା ଏହି ରେସ୍ତୋରାଁକୁ ତୁରନ୍ତ ଜରିମାନା ଦେବାକୁ ନିର୍ଦେଶ ଦିଆଯାଇଛି। ରାଜଧାନୀରେ ନିମ୍ନମାନର ଖାଦ୍ୟ ବିକ୍ରି କରିଥିବା ଅଭିଯୋଗରେ ଲକ୍ଷାଧିକ ଟଙ୍କାର ଜରିମାନା ଆଦାୟ କରାଯିବା ପ୍ରଥମ ଘଟଣା ବୋଲି କୁହାଯାଉଛି। ସୂଚନା ଅନୁସାରେ, ଗତବର୍ଷ ଅକ୍ଟୋବର ମାସରେ ଜଣେ ବରିଷ୍ଠ ପ୍ରଶାସକ ଏହି ରେସ୍ତୋରାଁରେ ବିରିୟାନି ଖାଉଥିବା ସମୟରେ ସେଥିରେ ଏକ ଅସରପା ପଡ଼ିଥିବା ନଜରକୁ ଆସିଥିଲା। ଏହାକୁ ସେ ସଂପୃକ୍ତ ରେସ୍ତୋରାଁ ମାଲିକଙ୍କ ନଜରକୁ ଆଣିଥିଲେ। ମାତ୍ର ରୋସ୍ତୋରାଁ ମାଲିକ ଏହି ଘଟଣାକୁ ନେଇ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଥିଲା। ପରବର୍ତୀ ସମୟରେ ସଂପୃକ୍ତ ଅଧିକାରୀ ଖାଦ୍ୟ ସୁରକ୍ଷା ଓ ନଗର ସ୍ବାସ୍ଥ୍ୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଖାଦ୍ୟ ସୁରକ୍ଷା ପକ୍ଷରୁ ରେସ୍ତୋରାଁରୁ ଏକାଧିକ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଲାବୋରେଟାରିକୁ ପଠାଯାଇଥିଲା। ରିପୋର୍ଟରେ ରେସ୍ତୋରାଁରେ ବିକ୍ରି ହେଉଥିବା ଖାଦ୍ୟ ସ୍ବାସ୍ଥ୍ୟ ଉପଯୋଗୀ ନ ଥିବା ଜଣାପଡ଼ିଥିଲା। ପରେ ରେସ୍ତୋରାଁକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନ ପ୍ରାଧିକରଣ ବା ଏଫ୍ଏସ୍‌ଏସ୍‌ଏଆଇର ନିୟମ ଅନୁସାରେ ଖାଦ୍ୟ ସୁରକ୍ଷାର ଆଡଜୁକେଟିଂ ଅଫିସରଙ୍କ ନିକଟକୁ ମାମଲା ହସ୍ତାନ୍ତର ହୋଇଥିଲା। ଏଡିଏମ୍‌ ଏହାର ବିଚାର କରିବା ସହିତ ୨ଟି ଦଫାରେ ୨ଲକ୍ଷ ଟଙ୍କାର ଜରିମାନା ଦେବାକୁ କୁହାଯାଇଛି। ଏହିଭଳି ନିମ୍ନମାନର ଖାଦ୍ୟ ବିକ୍ରି କରିଥିବା ଅନ୍ୟ ୨ଟି ରେସ୍ତୋରାଁକୁ ମିଶାଇ ୩ଜଣଙ୍କ ନାଁରେ ମାମଲା ରୁଜୁ କରିବା ପାଇଁ ନିର୍ଦେଶ ଦିଆଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର