ଭୁବନେଶ୍ୱରରୁ ୨୧.୭ ଗ୍ରାମ୍‌ ବ୍ରାଉନ୍‌ ସୁଗାର ଜବତ, ଜଣେ ଗିରଫ

ଭୁବନେଶ୍ୱର: ବ୍ରାଉନ୍‌ ସୁଗାର କାରବାର ଅଭିଯୋଗରେ ଏସ୍‌ଟିଏଫ୍‌ ରାଜଧାନୀ ଭୁବନେଶ୍ୱରସ୍ଥିତ ସୁନ୍ଦରପଦା ଅଞ୍ଚଳରୁ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତର ନାମ ହେଲା ପ୍ରଦୀପ କୁମାର ସାହୁ (୩୮) । ସେ ସୁନ୍ଦରପଦା ଥାନା ଅନ୍ତର୍ଗତ କାଳିପ୍ରସାଦ ଉପରସାହିର ବଳରାମ ସାହୁଙ୍କ ପୁଅ। ଏସ୍‌ଟିଏଫ୍‌ ପ୍ରଦୀପ ନିକଟରୁ ବୁଧବାର ରାତ୍ରିକାଳୀନ ଚଢ଼ାଉ କରି ୨୧.୭ ଗ୍ରାମ୍‌ ବ୍ରାଉନ୍‌ ସୁଗାର ଜବତ କରିଛି। ଜବତ ହୋଇଥିବା ବ୍ରାଉନ୍‌ ସୁଗାରର ମୂଲ୍ୟ ୨ ଲକ୍ଷ ୧୭ ହଜାର ଟଙ୍କା ହେବ। ପ୍ରଦୀପକୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।

ବିଗତ ମାସକ ମଧ୍ୟରେ ଏସ୍‌ଟିଏଫ୍‌ ପୁରୀ, ବାଲେଶ୍ୱର, ଅନୁଗୁଳ, ଖୋର୍ଦ୍ଧା, ପିପିଲି, ଢେଙ୍କାନାଳ, ଭୁବନେଶ୍ୱର ଓ ଭଦ୍ରକର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପ୍ରାୟ ୧୦ଟି ମାମଲା ରୁଜୁ କରିଛି। ଏହି ଚଢ଼ାଉ ସମୟରେ ଏସ୍‌ଟିଏଫ୍‌ ୨୧ ଜଣଙ୍କୁ ଗିରଫ କରିଥିବା ବେଳେ ଅଭିଯୁକ୍ତମାନଙ୍କ ଠାରୁ ୮୧୬.୭ ଗ୍ରାମ୍‌ ବ୍ରାଉନ୍‌ ସୁଗାର ଜବତ କରିଛି। ସେହିଭଳି ୩୨୬ ଗ୍ରାମ୍‌ ଅଫିମ୍‌, ନଗଦ ୧୩ ଲକ୍ଷ ୨୧ ହଜାର ଟଙ୍କା, ଗୋଟିଏ ମାରୁତି କାର, ୮ଟି ମୋଟର ସାଇକେଲ, ବ୍ୟାଙ୍କ ଆକାଉଣ୍ଟ ଓ ଅନ୍ୟ ଜିନିଷପତ୍ର ଜବତ କରିଛି ଏସ୍‌ଟିଏଫ୍‌।

ରାଜଧାନୀ ଭୁବନେଶ୍ୱରରେ ଧଳା ଜହର ବ୍ୟବସାୟ ଦନିକୁ ଦିନ ଅଧିକ ସକ୍ରିୟ ଦେଖାଯାଉଛି। ଗତ ଜାନୁଆରି ୧୫ ତାରିଖରେ ଖଣ୍ଡଗିରି ଥାନା ପୁଲିସ ୧୫ଗ୍ରାମ୍‌ ବ୍ରାଉନ୍‌ ସୁଗାର ଜବତ କରି ୨ଜଣଙ୍କୁ କୋର୍ଟ ଚାଲାଣ କରିଛି। ସେମାନେ ହେଲେ, ଆଇଗିଣିଆ ଆଳୁଗଦି ଅଞ୍ଚଳରେ ରହୁଥିବା ନୟାଗଡ଼ ମାଛିପଡ଼ାର ରବି ସାହୁ ଓରଫ ସିଦ୍ଧାର୍ଥ(୨୦) ଓ ଖୋର୍ଦ୍ଧା ବିଡିଏ କଲୋନିର ମୋହିତ ଘୋଷ ଓରଫ ବାବୁ(୨୩)। ସେହିଭଳି ଜାନୁଆରି ୯ ତାରିଖରେ ମଧ୍ୟ କ୍ୟୁଏଟି ଓ ଖଣ୍ଡଗିରି ଥାନା ପୁଲିସ ବରମୁଣ୍ଡା ଅଞ୍ଚଳରୁ ଶିରିପୁର କନ୍ଧସାହିର ଶତୁରା ନାୟକ ଓ ଖୋର୍ଦ୍ଧା ବୁଢ଼ୀବଗିଚା ଅଞ୍ଚଳର ପ୍ରଶାନ୍ତ ସାହୁକୁ ଗିରଫ କରି ୨୨ଗ୍ରାମ୍‌ ବ୍ରାଉନସୁଗାର ଜବତ କରିଥିଲା।

ସମ୍ବନ୍ଧିତ ଖବର