ଜମି ଦେବା ନାଁରେ ୩୫ ଲକ୍ଷ ଚଳୁ, ଜେଲ୍‌ ଗଲେ ବିଲ୍ଡର୍‌

ବାଲିଅନ୍ତା: ଜମି ଦେବା ନାଁରେ ୩୫ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ବାଲିଅନ୍ତା ଥାନା ପୁଲିସ୍‌ ଆଜି ଜଣେ ବିଲ୍ଡର୍‌ଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ, ସ୍ଥାନୀୟ ଅଟଳା ଗ୍ରାମର ସଂଗ୍ରାମ କୁମାର ଜେନା (୩୪)। ଜାମିନ୍‌ ନାମଂଜୁର ହେବାରୁ ସଂଗ୍ରାମଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସଂଗ୍ରାମଙ୍କ ବିରୋଧରେ ନନ୍ଦନକାନନ ଥାନା ଅଞ୍ଚଳର ସୁରେଶ କୁମାର ବେହେରା ଅଭିଯୋଗ କରିଥିଲେ।

ପୁଲିସ୍‌ ସୂଚନା ଅନୁଯାୟୀ ଲକ୍‌ଡାଉନ୍ ସମୟରେ ସଂଗ୍ରାମ ଅଣ୍ଡିଲୋ ମୌଜାରେ ୨୪ଶହ ବର୍ଗଫୁଟ୍‌ର ଏକ ଘରବାଡ଼ି ଜାଗା ଯୋଗାଇ ଦେବାକୁ କହି ସୁରେଶଙ୍କଠାରୁ ୩୫ ଲକ୍ଷ ଟଙ୍କା ନେଇଥିଲେ। ହେଲେ ପରବର୍ତ୍ତୀ ସମୟରେ ତାଙ୍କୁ ଜମି ଦେବା ପରିବର୍ତ୍ତେ ଆଜିକାଲି କହି ଦିନ ଗଡ଼ାଇ ଚାଲିଥିଲେ। ଟଙ୍କା ମଧ୍ୟ ଫେରାଇ ନଥିଲେ। ସୁରେଶ ଟଙ୍କା ମାଗିବାରୁ ମିଛ ମାମଲାରେ ଫସାଇ ଦେବାକୁ କହି ଓଲଟି ତାଙ୍କୁ ଧମକାଇଥିଲେ। ତେଣୁ ସୁରେଶ ଗତକାଲି ଏନେଇ ପ‌ାହାଳ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ଫାଣ୍ଡି ଅଧିକାରୀ ଓମ୍‌ ପ୍ରକାଶ ମହାନ୍ତି ଘଟଣାର ତଦନ୍ତ କରି ଆଜି ସଂଗ୍ରାମଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ସୂଚନା ମିଳିଛି। ଏହା ପୂର୍ବରୁ ମଧ୍ୟ ସଂଗ୍ରାମଙ୍କ ନାମରେ ବାଲିଅନ୍ତା ଥାନାରେ ଦୁଇଟି ଏବଂ କଟକ ସଦର ଥାନା ଅଞ୍ଚଳରେ ଗୋଟିଏ ଜମି ଠକେଇ ମାମଲା ରହିଥିବା ଫାଣ୍ଡି ଅଧିକାରୀ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର