ସହରରେ ଆଉ ୪ ବହୁତଳ ପାର୍କିଂ

ଟ୍ରାଫିକ୍‌ ସମସ୍ୟା କମାଇବାକୁ ଅଣ୍ଟା ଭିଡ଼ିଲା ବିଡିଏ

ଭୁବନେଶ୍ୱର: ଟ୍ରାଫିକ୍‌ ସମସ୍ୟାରେ କଲବଲ ହେଲେଣି ରାଜଧାନୀବାସୀ। କଳ୍ପନାରୁ କିଟ୍‌ ଛକ ହେଉ କି ରସୁଲଗଡ଼ରୁ ଖଣ୍ଡଗିରି, ସବୁଠି ପ୍ରତିଦିନ ଟ୍ରାଫିକ୍‌ ଜାମ୍‌। ୪ ଚକିଆ ଯାନ ଚଳପ୍ରଚଳ କରିବା ଦୂରର କଥା ଦୁଇ ଚକିିଆ ଯାନ ବି ଭିଡ଼ ଭିତରେ ଘଣ୍ଟା ଘଣ୍ଟା ଧରି ଅଟକି ରହୁଛି। ରାସ୍ତା ଉପରେ ପାର୍କିଂ ହେଉଥିବାରୁ ସମସ୍ୟା ଦିନକୁ ଦିନ ଜଟିଳ ହେଉଛି। ଏବେ ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ(ବିଡିଏ)ର ନିଦ ଭାଙ୍ଗିଛି। ସହରର ଜନଗହଳିପୂର୍ଣ୍ଣ ୪ଟି ସ୍ଥାନରେ ବହୁତଳ କାର୍‌ ପାର୍କିଂ(ଏମ୍‌ଏଲ୍‌ସିପି) ବ୍ୟବସ୍ଥା କରାଯିବ।  ଏନେଇ ବିଡିଏ ପକ୍ଷରୁ ସାଧାରଣ ପ୍ରଶାସନ ବିଭାଗକୁ ପ୍ରସ୍ତାବ ଦିଆଯାଇଛି। ପ୍ରସ୍ତାବକୁ ଅନୁମତି ଦେବା ସହ ଜମିଗୁଡ଼ିକୁ ନଗର ଉନ୍ନୟନ ବିଭାଗକୁ ହସ୍ତାନ୍ତର କରାଯିବା ପରେ ପ୍ରକଳ୍ପ କାର୍ଯ୍ୟ ଆଗେଇବ ବୋଲି ବିଡିଏ କର୍ତୃପକ୍ଷ ସୂଚନା ଦେଇଛନ୍ତି। ପ୍ରଦର୍ଶନୀ ପଡ଼ିଆ ଥିବା ୟୁନିଟ୍‌-୩ ତଥା ଖାରବେଳ ନଗର ଅଞ୍ଚଳରେ ଅଧିକ ଜଳଗହଳି ହେଉଥିବାରୁ ସେଠାରେ ଭିଡ଼ କମାଇବା ପାଇଁ ବଡ଼ ପାର୍କିଂ ସ୍ଥଳ କରାଯିବ। ଏଥିପାଇଁ ରାମମନ୍ଦିର ପଛପାର୍ଶ୍ୱରେ ୧.୫ ଏକର ପରିମିତ ଜମି ଚିହ୍ନଟ ହୋଇଛି। ନୂଆପଲ୍ଲୀ ଅଞ୍ଚଳରେ ଭିଡ଼ କମାଇବା ପାଇଁ ଜୁପିଟର ସାଇନ୍ସ କଲେଜ ପଛପାର୍ଶ୍ୱ ତଥା ଇନ୍ଦ୍ରଧନୁ ମାର୍କେଟ ନିକଟରେ ୧.୧୧୬ ଏକର ପରିମିତ ଜମି, ଜନତା ମଇଦାନଠାରେ ଏକ ଏକର  କଳ୍ପନା ଛକ ନିକଟରେ ୦.୯୮୪ ଏକର ପରିମିତ ଜମି ଚିହ୍ନଟ ହୋଇଛି। ପ୍ରକଳ୍ପ ଅନୁଯାୟୀ ୪ଟି ଯାକ ଏମ୍‌ଏଲ୍‌ସିପିରେ ଦୁଇଟି ଲେଖାଏ ବେସମେଣ୍ଟ ଓ ଗ୍ରାଉଣ୍ଡ ଫ୍ଲୋର ମଧ୍ୟ ରହିବ। ପ୍ରଥମ, ଦ୍ୱିତୀୟ ଓ ତୃତୀୟ ମହଲାରେ ଗାଡ଼ି ପାର୍କିଂ ଲାଗି ବ୍ୟବସ୍ଥା ହେବ। ୪ର୍ଥରୁ ୬ଷ୍ଠ ମହଲା ବ୍ୟବସାୟ ପାଇଁ ସ୍ଥାନ ରଖାଯିବ। ଫଳରେ ଏମ୍‌ଏଲ୍‌ସିପିର ବିକାଶ ଲାଗି ଖର୍ଚ୍ଚ ହେଉଥିବା ଅର୍ଥର ୬୦ ପ୍ରତିଶତ ଆଦାୟ ହୋଇପାରିବ। ନୂଆ ପ୍ରକଳ୍ପ ଅନୁଯାୟୀ ଏମ୍‌ଏଲ୍‌ସିପିରେ ଏକାସଙ୍ଗେ ୪୫୦ଟି କାର ରହିବା ପରି ବ୍ୟବସ୍ଥା ହେବ। ଗୋଟିଏ କାର୍‌ ପାଇଁ ପ୍ରାୟ ୨୩ ବର୍ଗ ମିଟର ଜାଗା ସଂରକ୍ଷିତ ରହିବ। ଫଳରେ କାର୍‌ର ପ୍ରବେଶ ଓ ପ୍ରସ୍ଥାନ ପାଇଁ ସୁବିଧା ହୋଇପାରିବ। ଏହି ପ୍ରକଳ୍ପରେ ନିର୍ମାଣ ହେବାକୁ ଥିବା କୋଠାଗୁଡ଼ିକୁ ପରିବେଶ ଅନୁକୂଳ କରାଯିବ। ୨୪ ଘଣ୍ଟିଆ ବିଦ୍ୟୁତ୍‌ ସେବା ଉପଲବ୍ଧ ହେବ। ଏନେଇ ବଡିଏ ଓ ଇପିସି ଠିକାଦାରଙ୍କ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ କରାଯାଇ ଏହି ବହୁତଳ ପାର୍କିଂର ଡିଜାଇନ୍‌ ଓ ନିର୍ମାଣ କାର୍ଯ୍ୟ ପ୍ରସ୍ତାବକୁ ମଞ୍ଜୁରି ଦିଆଯାଇଛି।

ସୂଚନାଯୋଗ୍ୟ ଯେ ସହରରେ ପାର୍କିଂ ସମସ୍ୟା ଜଟିଳ ହେଉଥିବାରୁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌) ଅଧୀନରେ ସହିଦନଗର ଓ ୟୁନିଟ୍‌-୨(ରାଜମହଲ) ନିକଟରେ ଦୁଇଟି ବହୁତଳ ପାର୍କିଂ କାର୍ଯ୍ୟ ଏବେ ଜାରି ରହିଛି। ପ୍ରସ୍ତାବିତ ୪ଟି ବହୁତଳ ପାର୍କିଂ ହେବା ପରେ ସହରରେ ଟ୍ରାଫିକ୍‌ ସମସ୍ୟା ବହୁ ପରିମାଣରେ ଦୂର ହୋଇପାରିବ ବୋଲି ବିଡିଏ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର