ଆଜିଠୁ ମାଟ୍ରିକ ଖାତା ଦେଖା, ଖୋର୍ଧାରେ ୩ ମୂଲ୍ୟାୟନ କେନ୍ଦ୍ର

କ୍ୟାପିଟାଲ ହାଇସ୍କୁଲରେ ଖାତା ଦେଖିବେ ୪୨୫ ଶିକ୍ଷକ

ଭୁବନେଶ୍ବର: ଗୁରୁବାରଠାରୁ ମାଟ୍ରିକ୍‌ ଖାତା ଦେଖା। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମୂଲ୍ୟାୟନକାରୀ ଶିକ୍ଷକ ଶିକ୍ଷୟିତ୍ରୀ ଆଜି ସନ୍ଧ୍ୟା ସୁଦ୍ଧା ମୂଲ୍ୟାୟନ କେନ୍ଦ୍ରରେ ନାମ ପଞ୍ଜୀକରଣ କରିଥିବା ବେଳେ ଆସନ୍ତାକାଲି ସକାଳଠାରୁ ଖାତା ଦେଖା ଆରମ୍ଭ ହେବ। ସାରା ରାଜ୍ୟରେ ୬୧ଟି ମୂଲ୍ୟ‌ାୟନ କେନ୍ଦ୍ର ହୋଇଥିବା ବେଳେ ଖୋର୍ଧା ଜିଲ୍ଲାରେ ୩ଟି କେନ୍ଦ୍ରରେ ପ୍ରାୟ ଏକ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଖାତା ଦେଖିବେ। ମାଟ୍ରିକ୍‌ ଖାତା ମୂଲ୍ୟାୟନ ପାଇଁ ଖୋର୍ଧା ଜିଲ୍ଲାର ବିଜେବି ହାଇସ୍କୁଲ ଓ କ୍ୟାପିଟାଲ ହାଇସ୍କୁଲରେ ମୂଲ୍ୟାୟନ କେନ୍ଦ୍ର ହୋଇଛି। ଏହାବ୍ୟତୀତ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ଛାତ୍ରଛାତ୍ରୀଙ୍କ ଉତ୍ତର ଖାତା ମୂଲ୍ୟାୟନ ଲାଗି ଖୋର୍ଧା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ମୂଲ୍ୟାୟନ କେନ୍ଦ୍ର କରାଯାଇଛି। କ୍ୟାପିଟାଲ ହାଇସ୍କୁଲରେ ସର୍ବାଧିକ ୪୨୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଖାତା ଦେଖିବେ। ଆଜି ସନ୍ଧ୍ୟା ସୁଦ୍ଧା ୧୦ ଜଣକୁ ଛାଡ଼ି ସମସ୍ତ ମୂଲ୍ୟାୟନକାରୀ ନାମ ପଞ୍ଜୀକରଣ କରିଥିବା ଜଣାପଡ଼ିଛି। ମୂଲ୍ୟାୟନକାରୀ ୩ଟି ପର୍ଯ୍ୟାୟରେ ଖାତା ଦେଖାରେ ସାମିଲ ହେବେ। ସକାଳ ୮ଟା ୩୦ରୁ ଅପରାହ୍ନ ୨ଟା ୩୦ ପର୍ଯ୍ୟନ୍ତ ପ୍ରଥମ ସିଟିଂ ହୋଇଥିବା ବେଳେ ସକାଳ ୯ଟା ୩୦ରୁ ଅପରାହ୍‌ଣ ୩ଟା ୩୦ ପର୍ଯ୍ୟନ୍ତ ଦ୍ବିତୀୟ ଓ ପୂର୍ବାହ୍ନ ୧୦ଟା ୩୦ରୁ ୪ଟା ୩୦ ପର୍ଯ୍ୟନ୍ତ ତୃତୀୟ ସିଟିଂ ଉତ୍ତର ଖାତା ମୂଲ୍ୟାୟନ ହେବ। ଶିକ୍ଷକ ଶିକ୍ଷୟିତ୍ରୀ ନିର୍ଦ୍ଧାରିତ ସମୟ ପୂର୍ବରୁ ମୂଲ୍ୟାୟନ କେନ୍ଦ୍ରରେ ପହଞ୍ଚିବାକୁ କୁହାଯାଇଛି। କରୋନାକୁ ଦୃଷ୍ଟିରେ ରଖି ମୂଲ୍ୟାୟନ କେନ୍ଦ୍ରଗୁଡ଼ିକରେ ବ୍ୟପକ ବ୍ୟବସ୍ଥା ହୋଇଛି। ମୂଲ୍ୟାୟନକାରୀ ଯେପରି କ୍ୟାମ୍ପସରେ ଏକତ୍ର ନ ହୁଅନ୍ତି ସେଥିପାଇଁ ବିଷୟ ଅନୁଯାୟୀ ଶିକ୍ଷକମାନେ ମୂଲ୍ୟାୟନ କେନ୍ଦ୍ରକୁ ଆସିବେ ଓ ସମୟ ଅନୁଯାୟୀ ଛାଡ଼ିବେ। ମୂଲ୍ୟାୟନକାରୀଙ୍କ ମଧ୍ୟରେ ଗୋଟିଏ ଦୂରତା ରଖିବା ଉପରେ କେନ୍ଦ୍ର ସୁପରିନଟେଣ୍ଡେଣ୍ଟ ଗୁରୁତ୍ବ ଦେବେ। ଏନେଇ ନୋଟିସ୍‌ ବୋର୍ଡ‌ରେ ଚାର୍ଟ ଲଗାଯାଇଛି। ଫଳରେ ମୂଲ୍ୟାୟନକାରୀ ଏକତ୍ର ହୋଇ ଭିଡ଼ ଜମାଇବେ ନାହିଁ। ମୂଲ୍ୟାୟନ କେନ୍ଦ୍ରକୁ ଯିବା ପୂର୍ବରୁ ମୂଲ୍ୟାୟନକାରୀ ସାବୁନରେ ହାତକୁ ଭଲ ଭାବେ ଧୋଇବେ, ପ୍ରତିଦିନ କ୍ଲାସରୁମ୍‌କୁ ଅତି କମ୍‌ରେ ଥରେ ସଫା କରାଯିବ। ସ୍ବଚ୍ଛ ପାନୀୟ ଜଳ ବ୍ୟବସ୍ଥା କରାଯାଇଛି। ଖୋର୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ବନ୍ଦନା ମହାପାତ୍ର କହିଛନ୍ତି ଯେ କରୋନା ନେଇ ମୂଲ୍ୟାୟନକାରୀଙ୍କୁ ସ‌ଚେତନ କରାଯାଇଛି। ସାବୁନ ଓ ହାଣ୍ଡୱାସ୍‌ ଯୋଗାଇ ଦିଆଯାଇଛି। ମୂଲ୍ୟାୟନକାରୀଙ୍କ ମଧ୍ୟରେ ଦୂରତା ରଖିବା ଉପରେ ପ୍ରାଥମିକତା ଦିଆଯାଇଛି।

ସମ୍ବନ୍ଧିତ ଖବର