ଟ୍ରାଫିକ୍‌ ସମସ୍ୟା ସମୀକ୍ଷା କଲେ ୫ଟି ସଚିବ

ଚାଲିଛି ମାଷ୍ଟରପ୍ଲାନ୍‌ ପ୍ରସ୍ତୁତି, ହଟିବ ଜବରଦଖଲ, ଥଇଥାନ ହେବେ ବିସ୍ଥାପିତ

ଭୁବନେଶ୍ବର : ରାଜଧାନୀର ଟ୍ରାଫିକ୍‌ ସମସ୍ୟା ଏବେ ଚିନ୍ତାର କାରଣ ପାଲଟିଛି। ଅଧିକାଂଶ ସମୟରେ ଲୋକମାନେ ଟ୍ରାଫିକ୍‌ ଜାମ୍‌ରେ ହନ୍ତସନ୍ତ ହେଉଛନ୍ତି। ‌ଅନେକ ସମସୟରେ ଆମ୍ବୁଲାନ୍ସ ଅଟକି ରହିବାର ସ୍ଥିତି ବି ନଜରକୁ ଆସିଛି। ଏଥିରେ ପୂର୍ଣ୍ଣ‌ଚ୍ଛେଦ ପକାଇବା ପାଇଁ ପ୍ରଶାସନ ଅଣ୍ଟା ଭିଡ଼ିଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ଖୋଦ୍‌ ୫-ଟି ସଚିବ ଭିକେ ପାଣ୍ଡିଆନ୍‌ ଆଜି ଭୋର୍‌ରୁ ରାଜଧାନୀର ସମସ୍ୟା ବହୁଳ ଟ୍ରାଫିକ୍‌ ଛକଗୁଡ଼ିକୁ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଶିଶୁ ଭବନ ଛକ, ରବି ଟକିଜ ଛକ, କଳ୍ପନା ଛକ , ବେହେରା ସାହି ଛକ, ରସୁଲଗଡ଼ ଛକ ଏବଂ ଆଇଗିଣିଆ ଅଣ୍ଡର୍‌ପାସ୍‌ ଆଦି ସ୍ଥାନ ବୁଲିବା ସହ ସ୍ଥିତି ସମୀକ୍ଷା କରିଛନ୍ତି।

ସମୀକ୍ଷା ସମୟରେ ବିଭିନ୍ନ ଦିଗକୁ ବିଚାରକୁ ନିଆଯାଇଛି। ପ୍ରତିଦିନ ରାଜଧାନୀରେ ଲୋକସଂଖ୍ୟା ବୃଦ୍ଧି ସାଙ୍ଗକୁ ଗାଡ଼ି ମୋଟର ସଂଖ୍ୟା ମଧ୍ୟ ବଢ଼ୁଛି। ହେଲେ ରାସ୍ତାଗୁଡ଼ିକର ବିକାଶ କରାଯାଇଥିଲେ ମଧ୍ୟ ଏବେ ବି ଅନେକ ସମସ୍ୟା ରହିଛି। ରାସ୍ତାପାର୍ଶ୍ବ ଗୁଡ଼ିକରେ ଜବରଦଖଲ ବଢ଼ିଛି। କେତେକ ସ୍ଥାନରେ ବେଆଇନ୍‌ ଭାବେ ଗାଡ଼ିମୋଟର ପାର୍କିଂ କରାଯାଉଛି। ଅଣ ଓସାରିଆ ରାସ୍ତା ସାଙ୍ଗକୁ ଗାଡ଼ି ପାର୍କିଂ ଟ୍ରାଫିକ୍‌ ସ୍ଥିତିକୁ ବିଗାଡ଼ିଛି। ତେଣୁ ଏସବୁର ସମାଧାନ ପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ କରାଯାଉଛି। ରବିଟକିଜ୍‌ ଛକ, କଳ୍ପନାଛକ, ଶିଶୁଭବନ ଛକ, ଏସ୍‌ପ୍ଲାନେଡ୍‌ ଛକ, ବେହେରାସାହି ଛକରେ ରାସ୍ତା ଅଣଓସାରିଆର ଥିବାରୁ ଏହାର ଉଭୟ ପାର୍ଶ୍ବକୁ ପ୍ରଶସ୍ତୀକରଣ କରାଯିବ। ସେହିପରି ଶିଶୁଭବନରୁ ମାଉସୀମା’ ଛକ ପର୍ଯ୍ୟନ୍ତ ଓଭରବ୍ରିଜ୍‌ର ଲେଭଲିଂ କରାଯିବ। ରବିଟକିଜ୍‌ ଛକରେ ଥିବା ଟ୍ରାଫିକ୍‌ ପୋଷ୍ଟର ନବୀକରଣ ସହ ନିକଟରେ ଥିବା ବେଆଇନ୍‌ ପାର୍କିଂକୁ ହଟାଯିବ। ରସୁଲଗଡ଼ ପଟୁ କଳ୍ପନା ଟ୍ରାଫିକ ଭାୟା ମ୍ୟୁଜିୟମ ଟ୍ରାଫିକ୍‌କୁ ଥ୍ରୋ ଫେୟାର କରାଯିବ ଅର୍ଥାତ ସବୁବେଳେ ଗ୍ରିନ୍‌ ଲାଇଟ୍‌ ରହିବ। ସେଠାରେ ସିଧା ଯିବା ପାଇଁ ହେଲେ ଆଉ କେହି ଅଟକିବେ ନାହିଁ। ଛକ ଉପରେ ଥିବା ଆଇଲାଣ୍ଡ ‌ଆକୃତିର ସ୍ଥାନକୁ ଛୋଟ କରାଯିବ। ଏସ୍‌ପ୍ଲାନେଡ୍‌ ଛକରୁ ରସୁଲଗଡ଼ ଟ୍ରାଫିକ୍‌ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବକୁ ଚଉଡ଼ା କରାଯିବା ସହ ଶିଳ୍ପାଞ୍ଚଳକୁ ଯାଉଥିବା ରାସ୍ତାର ମଧ୍ୟ ବିକାଶ କରାଯିବ। ଆଇଗିଣିଆ ଛକର ଟ୍ରାଫିକ୍‌ରେ ବ୍ୟାପକ ପରିବର୍ତ୍ତନ କରାଯାଇ ସମସ୍ୟାର ସମାଧାନ ହେବ। ଚିହ୍ନଟ ସମସ୍ତ ରାସ୍ତାପାର୍ଶ୍ବରେ ଥିବା ଜବରଦଖଲକାରୀଙ୍କୁ ହଟାଯିବ। ପରବର୍ତ୍ତୀ ସମୟରେ ସେମାନଙ୍କୁ ଥଇଥାନ କରାଯିବ ବୋଲି ଜଣାପଡ଼ିଛି। ଏହାକୁ ପରୀକ୍ଷାମୂଳକ ଭାବେ ନିଆଯାଇଛି। ସମସ୍ୟାର ସମାଧାନ ପରେ ପରବର୍ତ୍ତୀ ପର୍ଯ୍ୟାୟରେ ରାଜଧାନୀର ଅନ୍ୟତମ ସମସ୍ୟା ବହୁଳ ଟ୍ରାଫିକ୍‌ଗୁଡ଼ିକରେ ମଧ୍ୟ ସମାନ ଢଙ୍ଗରେ ପଦକ୍ଷେପ ନିଆଯିବ।

ଟ୍ରାଫିକ୍‌ ଛକଗୁଡ଼ିକର ସ୍ଥିତି ସମୀକ୍ଷା ସମୟରେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ ପୁଲିସ କମିସନର ଉମାଶଙ୍କର ଦାସ, ଡିସିପି ପ୍ରତୀକ ସିଂହ, ପୂର୍ତ ସଚିବ ଭି ଭି ଯାଦବ, ବିଏମ୍‌ସି କମିସନର ବିଜୟ ଅମୃତ କୁଲାଙ୍ଗେ ଓ ଟ୍ରାଫିକ୍‌ ଡିସିପି ଠାକୁର ପ୍ରସାଦ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର