ପୁରୁଣା ଭୁବନେଶ୍ୱର: ଶ୍ରାବଣ ଶେଷ ସୋମବାରରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ୫ହଜାରରୁ ଊର୍ଧ୍ବ କାଉଡ଼ିଆ ଜଳଲାଗି କରିଥିବା ବେଳେ ୨୦ହଜାର ସାଧାରଣ ଭକ୍ତ ଦର୍ଶନ କରିଛନ୍ତି। ସେହିପରି ଏକାମ୍ର କ୍ଷେତ୍ରର ଅନ୍ୟାନ୍ୟ ଶିବ ମନ୍ଦିରରେ ହଜାରେରୁ ଊର୍ଧ୍ବ କାଉଡ଼ିଆ ଜଳଲାଗି କରିଥିଲେ। ଗତକାଲି ସନ୍ଧ୍ୟାରୁ ସେମାନେ ମନ୍ଦିର ନିକଟରେ, ବିନ୍ଦୁସାଗର କୂଳ ଓ କେଦାର ଗୌରୀ ମନ୍ଦିର ଆଦି ସ୍ଥାନରେ ଅପେକ୍ଷା କରିଥିଲେ। ଭୋର ୪ଟାରେ ସାହାଣମେଲା ଦର୍ଶନ ଆରମ୍ଭ ପରେ କାଉଡ଼ିଆ ମାନେ ଧାଡ଼ିରେ ଯାଇ ଠାକୁରଙ୍କୁ ଦର୍ଶନ କରିବା ସହ ଜଳଲାଗି କରିଥିଲେ। ସେହିପରି ଡାକରା ବିଭିଷଣେଶ୍ୱର, ତିର୍ଥେଶ୍ୱର, କପିଳେଶ୍ୱର, ଗୋସାଗରେଶ୍ୱର, ରାମେଶ୍ୱର, କେଦାରେଶ୍ୱର, ବ୍ରହ୍ମେଶ୍ୱର, ମେଘେଶ୍ୱର ଆଦି ବିଭିନ୍ନ ଶିବ ମନ୍ଦିରରେ କାଉଡ଼ିଆ ମାନେ ଜଳ ଲାଗି କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଭିଆଇପିଙ୍କ ଭିଡ଼: ଶ୍ରୀଲିଙ୍ଗରାଜ ମନ୍ଦିରରେ ଦର୍ଶନ ପାଇଁ ଆଜି ବହୁ ଭିଆଇପିଙ୍କ ଭିଡ଼ ଜମିଥିଲା। ଦେବୋତ୍ତର କମିଶନର ଚିତ୍ତରଞ୍ଜନ ମହାପାତ୍ର, ଡେପୁଟି କମିଶନର ପ୍ରବୀର କୁମାର ଚୌଧୁରୀ, ସହକାରୀ ଦେବୋତ୍ତର କମିଶନର ଆଶିଷ ପଟ୍ଟନାୟକ, ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ, ଶ୍ରମ କମିଶନର ନିରଞ୍ଜନ ସାହୁ, ପୋଲିସ କମିଶନର ସତ୍ୟଜିତ ମହାନ୍ତି, ଡେପୁଟି ପୋଲିସ କମିଶନର ଅନୁପ ସାହୁ, ଡେପୁଟି ଆଇଜିଆର ଦେବଦତ୍ତ ମହାନ୍ତି ପ୍ରମୁଖ ମନ୍ଦିରକୁ ଦର୍ଶନ କରିବାକୁ ଆସିଥିଲେ।