୫ମ ଜାତୀୟ ହସ୍ତତନ୍ତ ଦିବସ, ବରଗଡ଼ରେ ବୁଣାକାର ହାଟ

ଭୁବନେଶ୍ବର : ଦେଶ ବିଦେଶରେ ଓଡ଼ିଶା ହସ୍ତତନ୍ତ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ବୁଣାକାରମାନେ ହସ୍ତତନ୍ତର ବିକ୍ରିବଟା କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ହସ୍ତତନ୍ତ ବିକ୍ରୟ ପାଇଁ ବରଗଡ଼ ଜିଲ୍ଲାରେ ଏକ ବୁଣାକାର ହାଟ ଖୋଲା ଯାଉଛି। ମହିଳା ବୁଣାକାରଙ୍କୁ ଦୃଷ୍ଟିରେ ରଖି କେନ୍ଦୁଝର ଜିଲ୍ଲାରେ ଏକ ‘ମହିଳା ବୁଣାକାର କେନ୍ଦ୍ର’ ସ୍ଥାପନ କରାଯାଉଛି। ଏଥିସହ ଇ-କମର୍ସ ଜରିଆରେ ବିକ୍ରୟ ନିମନ୍ତେ ଉଦ୍ୟମ ହେଉଛି ବୋଲି କହିଛନ୍ତି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ। ଶିକ୍ଷା ଓ ଅନୁସନ୍ଧାନ କ୍ୟାମ୍ପସ-୨ରେ ଅନୁଷ୍ଠିତ ‘ଜାତୀୟ ହସ୍ତତନ୍ତ ଦିବସ’ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ ଏହା କହିଛନ୍ତି।

ଉତ୍ସବରେ ଭାରତ ସରକାରଙ୍କ ବସ୍ତ୍ର ମନ୍ତ୍ରାଳୟର ସଚିବ ରବି କପୁର ଅତିଥି ଭାବେ ଯୋଗଦେଇ କହିଲେ, ହସ୍ତତନ୍ତର ବଜାରକୁ ବିସ୍ତୃତ କରିବା ପାଇଁ ହସ୍ତତନ୍ତକୁ ଅନ୍ତର୍ଜାତୀୟ ଫେସନ୍‌ରେ ପରିଣତ କରାଯିବ। ବୁଣାକାର ଓ ଗ୍ରାହକଙ୍କ ମଧ୍ୟରେ ଦୂରତା କମିବ। ବୁଣାକାରମାନେ ଯେଭଳି ସିଧାସଳଖ ନିଜ ହସ୍ତତନ୍ତ ସାମଗ୍ରୀର ବିକ୍ରିବଟା କରିବେ, ସେନେଇ ସୁଯୋଗ ସୃଷ୍ଟି ହେବ। ଏହା ବୁଣାକାରମାନଙ୍କୁ ୧୦ ଗୁଣ ଲାଭ ପ୍ରଦାନ କରିପାରିବ। ଏହା ହିଁ ବୁଣାକାରଙ୍କ ପରିବାର ପିଢ଼ି ପରେ ପିଢ଼ିକୁ ଏହି ବୃତ୍ତି ଆପଣେଇବାକୁ ପ୍ରୋତ୍ସାହନ ଯୋଗାଇପାରିବ ବୋଲି ସେ କହିଥିଲେ। ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ସଚିବ ଶୁଭା ଶର୍ମା ଅତିଥି ଭ‌ାବେ ଯୋଗଦେଇ କହିଲେ, କୃଷି କ୍ଷେତ୍ର ପରେ ହସ୍ତତନ୍ତ କ୍ଷେତ୍ର ରାଜ୍ୟବାସୀଙ୍କ ଅନ୍ୟତମ ବୃହତ୍‌ ରୋଜଗାର କ୍ଷେତ୍ର। ମହିଳାମାନେ ଏହା ସହ ବହୁ ସଂଖ୍ୟାରେ ଜଡ଼ିତ। ତେଣୁ ଏହି ସୁନ୍ଦର ହସ୍ତତନ୍ତ କୃତିକୁ ମାର୍କେଟିଂ ପାଇଁ କ୍ଷେତ୍ର ଆହୁରି ବିସ୍ତୃତ କରିବା ଉପରେ ‌ଗୁରୁତ୍ବ ଦେଇଥିଲେ। ଏହି ଅବସରରେ ଚତୁର୍ଥ ‘ସର୍ବଭାରତୀୟ ହସ୍ତତନ୍ତ ସେନ୍‌ସସ୍‌ ରିପୋର୍ଟ’ ଉନ୍ମୋଚିତ ହୋଇଥିଲା। ଓଡ଼ିଶା ପାଇଁ ହସ୍ତତନ୍ତ କ୍ଷେତ୍ରରେ ସୁନାମ ଆଣିଥିବା ପଦ୍ମଶ୍ରୀ ଓ ସନ୍ଥ କବୀର ପୁରସ୍କାରପ୍ରାପ୍ତ ବୁଣାକାରଙ୍କୁ ସମ୍ବର୍ଧିତ କରାଯାଇଥିଲା। ସେମାନଙ୍କ ଦ୍ବାରା ବୁଣା ଯାଇଥିବା ଉତ୍କୃଷ୍ଟ ହସ୍ତତନ୍ତର ଏକ ପ୍ରଦର୍ଶନୀ ଆକର୍ଷଣ ସାଜିଥିଲା। ବୁଣାକାର ଭାଇ ଭଉଣୀମାନଙ୍କୁ ପରିଚୟପତ୍ର, ରୋଜଗାର ପାସ୍‌ବୁକ୍‌, ମୁଦ୍ରା ଲୋନ୍‌, ଆଲୋକୀକରଣ ୟୁନିଟ୍‌ ପାଇଁ ସାମଗ୍ରୀ, ହସ୍ତତନ୍ତ ସମ୍ବର୍ଧନା ସହାୟତା ଓ କର୍ମଗୃହ ପାଇଁ ସହାୟତା ପ୍ରଦାନ କରାଯାଇଥିଲା। ହସ୍ତତନ୍ତ ଉନ୍ନୟନ କମିସନର ସଞ୍ଜୟ ରସ୍ତୋଗି ଅତିଥିଙ୍କୁ ସ୍ବାଗତ କରିଥିଲେ।

ସମ୍ବନ୍ଧିତ ଖବର