ବିଧାୟକଙ୍କ ପାଇଁ ବହୁତଳ ଅଟ୍ଟାଳିକା: କଟିଲା ୬୮୦ ଗଛ, ପଦା ହୋଇଗଲା ସବୁଜିମା

ଭୁବନେଶ୍ବର : ରାଜଧାନୀ ଛାତି ଉପରୁ କଟିଗଲା ୬୮୦ ଗଛ। ୟୁନିଟ୍‌-୪ ଅଞ୍ଚଳରେ ବିଧାୟକଙ୍କ ଲାଗି ନିର୍ମାଣ ହେବାକୁ ଥିବା ବହୁତଳ ଅଟ୍ଟାଳିକା ପାଇଁ ବିଧାୟକ କଲୋନିରେ ଥିବା ସମସ୍ତ ଗଛକୁ ବଳି ଦିଆଯାଇଛି। ବିରୋଧ, ପ୍ରତିବାଦ, ରାଜ୍ୟପାଳଙ୍କୁ ଦାବିପତ୍ର ସତ୍ତ୍ବେ ଗଛ କଟା ଉପରେ କୌଣସି ରୋକ ଲାଗିପାରି ନାହିଁ। ଏମିତିକି ଗଛ କଟା ଉପରେ ସ୍ଥଗିତାଦେଶ ଲଗାଇବାକୁ ହାଇକୋର୍ଟରେ ମାମଲା ହୋଇଥିଲେ ମଧ୍ୟ ତାହାର କୌଣସି ପ୍ରଭାବ ପଡ଼ିନି। ବରଂ ହାଇକୋର୍ଟରେ ମାମଲା ଚାଲିଥିଲେ ମଧ୍ୟ ସମସ୍ତ ଗଛକୁ କାଟି ଦିଆଯାଇଛି। କ୍ବାଟର୍ସ ନିର୍ମାଣ ହେବାକୁ ଥିବା ୧୨ ଏକର ପରିମିତ ସ୍ଥାନରେ ଟିଣ ପାଚେରି ବୁଲାଇ ଗଛ କାଟିବା ସହ କାମ ଆରମ୍ଭ କରାଯାଇଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ୨୦୨୨ ଜୁନ୍‌ ୧୩ରେ ସିଟି ଡିଏଫଓ କାର୍ଯ୍ୟାଳୟର ଅଧିକାରୀ, ସାଧାରଣ ପ୍ରଶାସନ ବିଭାଗ, ବିଡିଏର ମୁଖ୍ୟ ହର୍ଟିକଲଚରିଷ୍ଟ, ବ୍ରିଜ୍‌‌ କର୍ପୋରେସନ୍ ଓ ଓଏଫଡିସି ପ୍ରତିନିଧିଙ୍କ ଉପସ୍ଥିତିରେ ଏକ ଟିମ୍‌ ଯାଞ୍ଚ କରି କଟାଯାଇ ନ ଥିବା ଗଛଗୁଡ଼ିକୁ ବୁଦ୍ଧପାର୍କ(ଲୁମ୍ବିନୀ ବିହାର), ଉତ୍କଳ ହସ୍ପିଟାଲ(ନୀଳାଦ୍ରିବିହାର) ରାସ୍ତାପାର୍ଶ୍ବ, ଗୁରୁ କେଳୁଚରଣ ପାର୍କକୁ ସ୍ଥାନାନ୍ତର କରିବାକୁ ଯୋଜନା କରିଥିଲେ। ମାତ୍ର ଗୋଟିଏ ବି ଗଛ ଉକ୍ତ ସ୍ଥାନକୁ ସ୍ଥାନାନ୍ତର କରାଯାଇ ନାହିଁ। ବରଂ ‌ଉକ୍ତ ସ୍ଥାନଗୁଡ଼ିକରେ ଓଡ଼ିଶା ବନ ଉନ୍ନୟନ ନିଗମ(ଓଏଫ୍‌ଡିସି) ପକ୍ଷରୁ ନୂତନ ଭାବେ ୧୫ ଫୁଟିଆ ଗଛ ଲଗାଗଲା। ବହୁତଳ ଅଟ୍ଟାଳିକାର ଚାରିପାଖରେ ୧୦ ମିଟରର ଏକ ପାଚେରି ରହିବ, ତେଣୁ ତାହା ଭିତରେ ବି କିଛି ଗଛ ରହିଯିବ ବୋଲି ଆଶା କରାଯାଉଥିଲେ ମଧ୍ୟ ସେଭଳି କିଛି ଦେଖିବାକୁ ମିଳୁ ନାହିଁ। ଟିଣ ପାଚେରି ଆଢ଼ୁଆଳରେ ବେଧଡ଼କ ଗଛ କଟା ଚାଲିଛି। ଛୋଟ ବଡ଼ ସବୁ ଗଛ କାଟି ପଦା କରାଯାଇଛି।

କେଳୁଚରଣ ଓ ବୁଦ୍ଧ ପାର୍କକୁ ସ୍ଥାନାନ୍ତର ହେଲାନି ବୃକ୍ଷ
ବେକାର ଗଲା ବିରୋଧ, ପ୍ରତିବାଦ, ଦାବିପତ୍ର ପ୍ରଦାନ

ଗଛ କଟାକୁ ବିରୋଧ କରି ୨୦୨୨ରେ ପ୍ରବଳ ବିରୋଧ ହୋଇଥିଲା। ରାଜନେତାଙ୍କଠାରୁ ଆରମ୍ଭ କରି ପରିବେଶବିତ୍‌ମାନେ ଗଛକୁ କୁଣ୍ଢେଇ ସୁରକ୍ଷା ପାଇଁ ଝାଳନାଳ ବୁହାଇଥିଲେ। କେତେଜଣ ମତ ଦେଇଥିଲେ ଯେ ବିଧାୟକଙ୍କ ପାଇଁ ସହର ବାହାରେ କ୍ବାଟର୍ସ ନିର୍ମାଣ ହେଉ। ଭୁବନେଶ୍ବରର ସବୁଜିମାକୁ ନଷ୍ଟ କରା ନ ଯାଉ। ବିଧାୟକ କଲୋନି ପରିସରରୁ ଗଛକଟାକୁ ବିରୋଧ କରି ପ୍ରେରଣା ଇଣ୍ଟରନ୍ୟାସନାଲ୍‌ ଗ୍ରିନ୍‌ ଆର୍ମି ପକ୍ଷରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ଚାରି ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ବିଧାୟକ କଲୋନିରୁ ଆଉ ଗଛ ନକାଟିବା, ଯେଉଁ ଗଛ କଟାଯାଇଛି ତା’ର ଭରଣା ପାଇଁ ସହର ଓ ଉପକଣ୍ଠରେ ୧୦୦ଗୁଣ ବୃକ୍ଷରୋପଣ କରି ଉଦ୍ୟାନ ସୃଷ୍ଟି, ଭୁବନେଶ୍ବର ଚାରିପାଖରେ ୫୦ମିଟର ବ୍ୟାସାର୍ଦ୍ଧ ବିଶିଷ୍ଟ ବୃକ୍ଷରାଜିପୂର୍ଣ୍ଣ ଏକ ସବୁଜବଳୟ ସୃଷ୍ଟି, ଦିଲ୍ଲୀ ପରି ଟ୍ରି ଆଇନ୍‌ ପ୍ରଣୟନ କରିବାକୁ ଦାବି କରିଥିଲେ। ଏକାମ୍ର ଜନ ଜାଗରଣ ମଞ୍ଚ ପକ୍ଷରୁ ଜୋରଦାର ବିରୋଧ ହୋଇଥିଲା। ଏତେ ସବୁ ପ୍ରତିବାଦର କୌଣସି ବି ପ୍ରଭାବ ପଡ଼ିଲା ନାହିଁ। ବରଂ ସମ୍ପୂର୍ଣ୍ଣ ପଦା ହୋଇଗଲା ବିଧାୟକ କଲୋନିର ସବୁଜିମା।

ବନ ବିଭାଗର ଜଣେ ଅଧିକାରୀଙ୍କ କହିବାନୁଯାୟୀ ପ୍ରକଳ୍ପ ଅଞ୍ଚଳରେ ୨୬ ପ୍ରଜାତିର ୮୭୦ ଗଛ ରହିଥିବା ସର୍ଭେ ବେଳେ ଜାଣିବାକୁ ମିଳିଥିଲା। ତେଣୁ ବିକଳ୍ପ ଭାବେ ୮ ହଜାର ୭୦୦ ବୃକ୍ଷରୋପଣ କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ୨୦୨୨ ଏପ୍ରିଲ ୩୦ରେ ଓଡ଼ିଶା ବ୍ରିଜ କର୍ପୋରେସନ୍ ଭୁବନେଶ୍ବର ଇନଫ୍ରା ଡିଭିଜନ ଜେନେରାଲ ମ୍ୟାନେଜର ୬୮ ଲକ୍ଷ ୭୦ ହଜାର ୯୧୨ ଟଙ୍କା ସିଟି ଫରେଷ୍ଟ ଡିଭିଜନ ଡିଏଫଓଙ୍କ ନିକଟରେ ଜମା କରିବା ପରେ ଗଛ କାଟିବାକୁ ଅନୁମତି ଦିଆଯାଇଥିଲା। ମାତ୍ର ପରବର୍ତ୍ତୀ ସମୟରେ ଆଉଥରେ ଗଛ ଗଣନା ପରେ ଏହି ପ୍ରକଳ୍ପ ଦ୍ବାରା ୬୮୦ ଗଛ ପ୍ରଭାବିତ ହେଉଥିବା ଜଣାପଡ଼ିଥିଲା। ତେଣୁ ପର୍ଯ୍ୟା‌ୟକ୍ରମେ ଅନୁମତି ଦିଆଯାଇ ଗଛ କଟା ଯାଇଛି। ଗଛ କାଟିବା ଉପରେ ହାଇକୋର୍ଟ କୌଣସି ସ୍ଥଗିତାଦେଶ ଜାରି କରି ନ ଥିବାରୁ କୌଣସି ଅସୁବିଧା ନାହିଁ।

ସୂଚନାଯୋଗ୍ୟ ଯେ ବିଧାନସଭା ନିକଟରେ ୟୁନିଟ-୪ରେ ଥିବା ବିଧାୟକ କ୍ବାର୍ଟର୍ସ ଭାଙ୍ଗି ସେଠାରେ ବହୁତଳ କୋଠା ନିର୍ମାଣ କରିବାକୁ ରାଜ୍ୟ ସରକାର ୨୦୧୯ରେ ନିଷ୍ପତ୍ତି ନେଇଥିଲେ। ମାତ୍ର ବିଭିନ୍ନ କାରଣ ଲାଗି ଏହା ବିଳମ୍ବିତ ହୋଇଥିଲା। ସେଠାରେ ଗୋଟିଏ ୯ମହଲା ଓ ଗୋଟିଏ ୧୦ମହଲା ବିଶିଷ୍ଟ ସୁଉଚ୍ଚ ଅଟ୍ଟାଳିକା ନିର୍ମାଣ କରିବାକୁ ଯୋଜନା ହୋଇଛି। ଏଠାରେ କାର୍‌ ପାର୍କିଂ, ସୁଇମିଂ ପୁଲ୍‌, ଜଗିଂ ଟ୍ରାକ୍, ଡ୍ରାଇଭରଙ୍କ ପାଇଁ ବିଶ୍ରାମ କକ୍ଷ, ଟେନିସ୍ କୋର୍ଟ, ବ୍ୟାଡମିଣ୍ଟନ୍ କୋର୍ଟ, ପାର୍କ ଆଦି ରଖିବାକୁ ରୂପରେଖ ପ୍ରସ୍ତୁତ କରାଯାଇଛି।

ସମ୍ବନ୍ଧିତ ଖବର