ଅଘୋର ତପରେ ଝୁଲିଲେ ୭ କାଳେସୀ

ଚନ୍ଦ୍ରଶେଖରପୁର: ୨୧ ଦିନର ଉପବାସ ପରେ ଆଜି ଶେଷ ହୋଇଛି ଝାମୁଯାତ୍ରା। ଦଣ୍ଡୁଆମାନେ ନିଜ ମାନସିକ ପୂରଣ ପାଇଁ ରଡ଼ ନିଆଁରେ ଚାଲିବାସହ କାଳେସୀମାନେ ଅଘୋର ତପ ଗାଡ଼ରେ ଝୁଲି ନିଜ ଭକ୍ତିର ପରୀକ୍ଷା ଦେଇଥିଲେ। ଉତ୍ତର ଭୁବନେଶ୍ୱର ଅଞ୍ଚଳର ସବୁଠାରୁ ବଡ଼ ଦଣ୍ଡଯାତ୍ରା ପୀଠ ଭାବରେ ପ୍ରସିଦ୍ଧି ଲାଭ କରିଥିବା ମଞ୍ଚେଶ୍ୱର ରଙ୍ଗମାଟିଆ ମା’ବାସୁଳାଇ ପୀଠରେ ଆଜି ଶେଷ ହୋଇଛି ଝାମୁଯାତ୍ରା। କାଳେସୀ ଓ ଦଣ୍ଡୁଆମାନେ ଚାଲିଚାଲି ଅଘୋର ତପରେ ଝୁଲି ନିଆଁ ଝୁଣାମାଡ଼ ଖାଇଥିଲେ। କଳେସୀ ନିଆଁରେ ଝୁଲିବାପରେ ଦଣ୍ଡୁଆମାନେ ପ୍ରଥମେ ନିଅାଁ ସଳିତା ଖାଇ ରଡ଼ ନିଆଁରେ ଚାଲିଥିଲେ। ଏହି ସମୟରେ କାଳେସୀମାନେ କିଛି ମାନସିକ ପିଲାଙ୍କୁ ମଧ୍ୟ ନିଆଁରେ ଚଲାଇଥିଲେ। ପ୍ରାୟ ୧୦ ମିନିଟ ଝାମୁଯାତ୍ରା ଚାଲିବାପରେ ସମସ୍ତ ଦଣ୍ଡୁଆ ମା’ବାସୁଳାଇଙ୍କ ପୀଠରେ ଅଧିଆ ପଡ଼ିଥିଲେ। ଏହି ଝାମୁଯାତ୍ରା ଉତ୍ସବରେ ଦଣ୍ଡୁଆମାନଙ୍କୁ ସହଯୋଗ କରିଥିଲେ ‘ମା’ ବାସୁଳାଇ ଯୁବକ ସଂଘ’ର ସଭ୍ୟମାନେ। ଝାମୁଯାତ୍ରା ମୁଖ୍ୟ କାଳେସୀ ଭଗବାନ ମହାରଣା ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ନିଆଁରେ ଚାଲିଲେ, ତପରେ ଝୁଲିଲେ
ମେଣ୍ଢାଶାଳ: ଭୁବନେଶ୍ୱର ଉପକଣ୍ଠସ୍ଥ ମେଣ୍ଢାଶାଳରେ ଶ୍ରୀ ବାଲୁଙ୍କେଶ୍ୱର ଦେବଙ୍କ ପୀଠରେ ଅଘୋର ତପ ଯାତ୍ରା ପାଳିତ ହୋଇଥିଲା। ଝାମୁ ଯାତ୍ରାରେ ମିଶିଥିବା ପାଟୁଆ ଓ ଦଣ୍ଡୁଆ କାଳେସୀମାନେ ୭ଦିନ ପୂର୍ବରୁ ଏହି ଅଘୋର ତପ ଯାତ୍ରାରେ ମିଶିଥା’ନ୍ତି। ଆଜି ମହାବିଷୁବ ସଂକ୍ରାନ୍ତ ଅବସରରେ ପାଟୁଆମନେ ନିଆଁରେ ଚାଲିଥିଲେ। କାଳେସୀମାନେ ତପରେ ଝୁଲିଥିଲେ। ତେବେ ଏଭଳି କଷ୍ଟକର ବ୍ରତକୁ ମଧ୍ୟ ମାନସିକଧାରୀ ଅଘୋର ତପୀମାନେ ଖୁବ୍‌ ନିଷ୍ଠାର ସହ ପାଳନ କରିଥିଲେ। ଏହି ପବିତ୍ର ଯାତ୍ରା ଦେଖିବାକୁ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର