‘ସଲାମ ଜୀବନ’ର ସର୍ବେକ୍ଷଣ : ରାଜଧାନୀର ୭୩ % ବସ୍ତି ପିଲା ଖାଉଛନ୍ତି ତମାଖୁ

ଭୁବନେଶ୍ବର: ରାଜଧାନୀର ୭୩ ପ୍ରତିଶତ ବସ୍ତି ପିଲା ଗୁଟ୍‌ଖା, ପାନ ମସଲା ଓ ଅନ୍ୟାନ୍ୟ ତମାଖୁ ଜାତୀୟ ଦ୍ରବ୍ୟ ସେବନ କରୁଛନ୍ତି। ତମାଖୁ ସେବନ କରୁଥିବା ପିଲାଙ୍କ ହାରାହାରି ବୟସ ୧୨ବର୍ଷ ବୋଲି ଜଣାପଡ଼ିଛି। ସ୍ବେଚ୍ଛାସେବୀ ସଂଗଠନର ‘ସଲାମ ଜୀବନ’ ପକ୍ଷରୁ ରାଜଧାନୀର ବିଭିନ୍ନ ବସ୍ତିର ୩ଶହ ପିଲାଙ୍କୁ ନେଇ ଏହି ସ‌‌ର୍ବେକ୍ଷଣ କରାଯାଇଥିଲା। ସ‌‌‌ର୍ବେକ୍ଷଣରୁ ଜଣାପଡ଼ିଛି ଯେ ୬୨.୭୦ ପ୍ରତିଶତ ପିଲାଙ୍କୁ ସେମାନଙ୍କ ବାପା ମା’ମାନେ ବିଭିନ୍ନ ସମୟରେ ତମାଖୁ କିଣିବା ପାଇଁ ପଠାଇଥାନ୍ତି। ୬୭.୨୦ ପ୍ରତିଶତ ପିଲା ତମାଖୁର କୁ-ପ୍ରଭାବ ସଂପର୍କରେ ଅବଗତ ନ ଥିବା କହିଛନ୍ତି। ୬୬.୩୦ ପ୍ରତିଶତ ପିଲା ସେମାନଙ୍କ ବିଦ୍ୟାଳୟର ଆଖପାଖ ଅଞ୍ଚଳରେ ତମାଖୁ ଜାତୀୟ ଦ୍ରବ୍ୟ ବିକ୍ରି ହେଉଥିବା ସୂଚନା ଦେଇଛନ୍ତି। ରାଜ୍ୟରେ ଗତ ୬ବର୍ଷ ହେବ ଗୁଟ୍‌ଖା ନିଷିଦ୍ଧ ହୋଇଥିଲେ ହେଁ ୩୯ପ୍ରତିଶତ ପିଲା ଏ ସଂପର୍କରେ ଅବଗତ ନ ଥିବା କହିଛନ୍ତି। ସର୍ବେକ୍ଷଣର ଏକ ଗୁରୁତ୍ବପୂର୍ଣ୍ଣ ଦିଗ ହେଉଛି ଯେ ଯେଉଁ ପିଲାମାନେ ତମାଖୁ ଖାଇବାରେ ଅଭ୍ୟସ୍ତ, ସେମାନଙ୍କୁ ମଧ୍ୟରୁ ୭୮.୨୦ ପ୍ରତିଶତ ପିଲା ଏହାକୁ ଛାଡ଼ିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ମାତ୍ର ସେମାନଙ୍କୁ ଉପଯୁକ୍ତ ପରାମର୍ଶ ଓ ଦିଗଦର୍ଶନ ଜରୁରୀ ବୋଲି ସ୍ପଷ୍ଟ ହୋଇଛି। ସଂଗଠନ ପକ୍ଷରୁ ଇମ୍ରାନ୍ ଅଲ୍ଲୀଙ୍କ ନେତୃତ୍ବରେ ଏହି ସର୍ବେକ୍ଷଣ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବିଜୟ ସାହୁ, ବନ୍ଦନା ସାହୁ ଓ ସମୀର ରଂଜନ ମହାମାଲିକ ପ୍ରମୁଖ ସର୍ବେକ୍ଷଣରେ ସାମିଲ ହୋଇଥିଲେ।

ତମାଖୁ ଜନିତ ରୋଗରେ ପ୍ରତିଦିନ ମରୁଛନ୍ତି ୨୨ଶହ
ତମାଖୁ ବ୍ୟବହାର ଦ୍ବାରା ଦେଶରେ ପ୍ରତିବର୍ଷ ୮ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି। ହିସାବକୁ ନେଲେ ପ୍ରତିଦିନ ୨୨ଶହ ଭାରତୀୟ ତମାଖୁ ଜନିତ ରୋଗରେ ପ୍ରାଣ ହରାଉଛନ୍ତି। ପ୍ରତି ୧୦୦ଜଣରୁ ୪୦ଜଣ କର୍କଟ ତମାଖୁ ଯୋଗୁଁ କର୍କଟ ରୋଗର ଶିକାର ହେଉଛନ୍ତି। ଆଜି ସମ୍ ହସ୍ପିଟାଲର କର୍କଟ ବିଶେଷଜ୍ଞ ‌ଡା. ସୌମ୍ୟ ସୁରତ ପଣ୍ଡା ଓ ମାନସିକ ରୋଗ ବିଶେଷଜ୍ଞ ଡା. ଶୁଭେନ୍ଦୁ ନାରାୟଣ ମିଶ୍ର ମିଳିତ ଭାବେ ପ୍ରେସ୍ କ୍ଲବ୍ ଅଫ ଓଡ଼ିଶାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏପରି ମତ ଦେଇଛନ୍ତି। ଏଥିରେ ଡା. ପଣ୍ଡା କହିଲେ, ତମାଖୁ ସେବନ ଦ୍ବାରା ଫୁସଫୁସ, ମୁଖ ଗହ୍ବର, ଜିଭ, ବାକ୍ ଯନ୍ତ୍ର ଓ ମୁତ୍ରାଶୟରେ କର୍କଟ ରୋଗ ଦେଖାଯାଇଥାଏ। ତମାଖୁରେ ୭ ହଜାରରୁ ଅଧିକ ବିଷାକ୍ତ ପଦାର୍ଥ ଥାଏ। ନିକୋଟିନ୍, କାର୍ବନ ମନୋକ୍ସାଇଡ୍‌, ଆର୍ସେନିକ୍, ଆମୋନିଆ, ମିଥାନଲ, କାଡମିୟମ୍, ବ୍ୟୁଟେନ୍ ଓ ଷ୍ଟିଅରିକ୍ ଏସିଡ୍ ପ୍ରମୁଖ କର୍କଟ ରୋଗ ସୃଷ୍ଟି କରିଥାଏ। ତେଣୁ ଲୋକମାନଙ୍କୁ ସଚେତନତା କରିବାର ଆବଶ୍ୟକତା ରହିଛି। ତମାଖୁ ଛାଡ଼ିବାକୁ ଚାହୁଁଥିବା ଲୋକମାନେ ମନକୁ ଅନ୍ୟଆଡ଼େ ବ୍ୟସ୍ତ ରଖିଲେ ତମାଖୁ ଖାଇବାର ଲାଳସାକୁ ଦୂର କରିପାରିବେ। ଏହାସହ ବିଶେଷଜ୍ଞଠାରୁ ଥେରାପି ‌ମଧ୍ୟ ନେଇପାରିବେ ବୋଲି ଡା. ପଣ୍ଡା କହିଥିଲେ।

ସମ୍ବନ୍ଧିତ ଖବର