ଚେତୁନାହାନ୍ତି ଅମାନିଆ ଚାଳକ: ୬ ମାସରେ ୮୭୨ ଡିଏଲ୍ ବାତିଲ୍, ୧୩୮୨ଙ୍କୁ ଜରିମାନା

ଭୁବନେଶ୍ୱର : ଗାଡ଼ିଚାଳନା ବେଳେ ମୋବାଇଲ୍‌ ଫୋନ୍‌ ବ୍ୟବହାର ମନା। ମଟରଯାନ ଆଇନ ଅନୁସାରେ ବେଆଇନ। କାରଣ ସଡ଼କ ଦୁର୍ଘଟଣାର କାରଣମାନଙ୍କ ମଧ୍ୟରେ ଏହା ହିଁ ଅନ୍ୟତମ। ଏହାକୁ ବନ୍ଦ କରିବା ପାଇଁ ଟ୍ରାଫିକ୍‌ ପୁଲିସ ପକ୍ଷରୁ ଜରିମାନା ଠାରୁ ଡ୍ରାଇଭିଂ ଲାଇସେନ୍‌ସ(ଡିଏଲ୍‌) ବାତିଲ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ୫ ଶହ ଟଙ୍କାରୁ ୫ ହଜାର ପର୍ଯ୍ୟନ୍ତ ଜରିମାନା ଓ ଡିଏଲ୍‌ ବାତିଲ କଲା ଭଳି ପଦ‌କ୍ଷେପ ସତ୍ତ୍ବେ ଅମାନିଆଙ୍କ ସଂଖ୍ୟା କମିବା ନାଁ ଧରୁନାହିଁ। ଗତ ୬ ମାସର ହିସାବକୁ ଦେଖିଲେ ରାଜଧାନୀର ଗାଡ଼ିଚାଳକମାନଙ୍କ ଅସାବଧାନତାର ଚିତ୍ର ଜଳଜଳ ହୋଇ ‌ଦିଶିଯାଉଛି।

ଭୁବନେଶ୍ବର ଟ୍ରାଫିକ୍ ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗତ ୬ମାସ ମଧ୍ୟରେ ଭୁବନେଶ୍ବରରେ ଗାଡ଼ିଚାଳନା ସମୟରେ ମୋବାଇଲ୍ ଫୋନ୍‌ ବ୍ୟବହାର କରୁଥିବା ୮୭୨ଜଣ ଅମାନିଆଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯାଇଛି। ୩ ମାସ ପାଇଁ ସେମାନଙ୍କ ଡିଏଲ୍‌ ବାତିଲ କରାଯାଇଛି। ଏମାନଙ୍କ ମଧ୍ୟରୁ ଅନେକ ଅଭ୍ୟାସଗତ ଅମାନିଆ। ପୂର୍ବରୁ ସେମାନେ ଜରିମାନା ଦେଇଥିବା ସତ୍ତ୍ବେ ପୁଣି ଗାଡ଼ି ଚଳାଇବା ବେଳେ ମୋବାଇଲ୍‌ ଫୋନ୍ ବ୍ୟବହାର କରି ଧରାପଡ଼ିଛନ୍ତି। ସେହିଭଳି ଗତ ୬ ମାସରେ ୧୩୮୨ଜଣଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି। ଟ୍ରାଫିକ୍ ଏସିପି ସ୍ବସ୍ତିକ ପଣ୍ଡାଙ୍କ କହିବାନୁଯାୟୀ, ରାଜଧାନୀରେ ଏବେ ବି ଲୋକେ ବେପାରୁଆ ଢଙ୍ଗରେ ଗାଡ଼ି ଚାଳନା କରୁଛନ୍ତି। ବିଶେଷକରି ବାଇକ୍ ଚାଳକମାନେ ଗାଡ଼ି ଚଳାଇବା ସମୟରେ ବ୍ଲୁଟୁଥ୍ ଲଗାଇ କଥା ହୋଇ ଗାଡ଼ି ଚଳାଉଛନ୍ତି। ଫଳରେ ସଡ଼କ ଦୁର୍ଘଟଣା ବଢ଼ୁଛି।

ସେହିଭଳି କାର୍‌ ଡ୍ରାଇଭ୍‌ କଲା ବେଳେ କିଛି ଅମାନିଆ ମୋବାଇଲ ଫୋନ୍‌ରେ ଗପିବାଠୁ ଆରମ୍ଭ କରି ମେସେଜ୍ ପଠାଇବା, ଗେମ୍ ଖେଳିବା, ଗୀତ ଶୁଣିବା, ଫଟୋ ବା ଭିଡିଓ କରିବା ଆଦି ବେଆଇନ କାମ କରୁଛନ୍ତି। ତେଣୁ ନିୟମିତ ବ୍ୟବଧାନରେ ଯାଞ୍ଚ କରାଯାଉଛି। ପ୍ରଥମ ଥର ନିୟମ ଉଲ୍ଲଂଘନକାରୀଙ୍କୁ ୫ଶହ ଟଙ୍କା, ଦ୍ବିତୀୟ ଥର ନିୟମ ଉଲ୍ଲଂଘନକାରୀଙ୍କୁ ୫ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା କରାଯାଉଛି। ଅଭ୍ୟାସଗତ ଅମାନିଆଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ଡ୍ରାଇଭିଂ ଲାଇନସେନ୍ସ ମଧ୍ୟ ବାତିଲ କରାଯାଉଛି। ତଥାପି ଅମାନିଆ ସାବାଡ୍‌ ହେଉନାହାନ୍ତି। ସେଥିପାଇଁ ଆଗକୁ ଏଭଳି ଅମାନିଆଙ୍କ ଉପରେ କଡ଼ା କଟକଣା ଜାରି କରାଯିବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ୭ଦିନ ମଧ୍ୟରେ ବିକଟାଳ ଶବ୍ଦ କରୁଥିବା ୨୫ଟି ଗାଡ଼ି ଜବତ କରାଯାଇ ସେମାନଙ୍କ ମାଲିକମାନଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି।

ସମ୍ବନ୍ଧିତ ଖବର