ଏକ ଯୌଥ ପରିବାରର ମନଲୋଭା ଦୃଶ୍ୟ: ହାଣ୍ଡି ଏକ, ପଙ୍ଗତ ଏକ

ଆଜିକାଲି ଦୁନିଆରେ ଯୌଥ ପରିବାର ସଂଖ୍ୟା ଧୀରେଧୀ‌ରେ କମିବାରେ ଲାଗିଛି। କିନ୍ତୁ ଏବେ ବି ବଞ୍ଚିଛି ଏଭଳି ବହୁ ପରିବାର। ପୁରୁଣା ଭୁବନେଶ୍ବରସ୍ଥିତ ବିନ୍ଦୁସାଗର କୂଳରେ ରହିଛି ଗିରୀଶଚନ୍ଦ୍ର ପଟ୍ଟନାୟକଙ୍କ ଯୌଥ ପରିବାର। ହାଣ୍ଡି ଏକ ଓ ୧୮ଜଣ ସଦସ୍ୟଙ୍କ ପଙ୍ଗତ ବି ଏକ। ସେହି ଅଞ୍ଚଳରେ ହରମନ୍ଦିର ଭାବେ ଏହି ପରିବାର ‌ବେଶ୍‌ ପରିଚିତ। ପ୍ରାୟ ତିନି ପୁରୁଷ ଧରି ଏମାନେ ଏକାଠି ରହି ଆସୁଛନ୍ତି। ପରିବାରର ମୁଖ୍ୟ ଗିରୀଶ ବାବୁ ଓ ତାଙ୍କ ସ୍ତ୍ରୀ ସରଳା କୁମାରୀ ଦେବୀଙ୍କ ଯୋଗୁଁ ଏହା ସମ୍ଭବ ହୋଇପାରିଛି ‌ବୋଲି କୁହାଯାଉଛି। ଗିରୀଶ ବାବୁଙ୍କ କହିବାନୁସାରେ, ତାଙ୍କର ଦୁଇ ପୁଅ ଏବଂ ଦୁଇ ବୋହୂ। ତାଙ୍କ ବଡ଼ ଭାଇଙ୍କର ତିନି ପୁଅ ଓ ତିନି ବୋହୂ। ସେମାନଙ୍କ ସହ ନାତି ନାତୁଣୀ ମିଶି ସର୍ବମୋଟ ୧୮ଜଣ ଏକାଠି ରହୁଛନ୍ତି।

ପରିବାରର ରୋଜଗାରିଆ ସଦସ୍ୟମାନେ ଦିନ ବେଳେ ନିଜ ନିଜ କାମକୁ ଚାଲି ଯାଆନ୍ତି। ସମସ୍ତେ ରାତ୍ରଭୋଜନ ବେଳେ ଏକାଠି ହୁଅନ୍ତି। ନିଜ ନିଜର ସୁବିଧା ଅସୁବିଧା ବିଷୟରେ ସମସ୍ତେ ପରସ୍ପର ସହିତ ଆଲୋଚନା କରି ସମାଧାନ କରନ୍ତି। ସମସ୍ତେ ବର୍ତ୍ତମାନ ସୁଦ୍ଧା ତାଙ୍କ ଅନୁଶାସନ ଭିତରେ ଅଛନ୍ତି। ବଡ଼ ଭାଇଙ୍କ ପିଲାମାନେ କେବେ ବି ଅନୁଶାସନରୁ ବାହାର ହୋଇନାହାନ୍ତି। ପରିବାରର କୌଣସି ନିଷ୍ପତ୍ତିକୁ ନେଇ ସେମାନେ ପ୍ରଶ୍ନ ଉଠାଇନାହାନ୍ତି। ତାଙ୍କ ବାପା ଦାଦା ଏକାଠି ଥିଲେ। ସେମାନେ ବି ଆଜି ଏକାଠି ଅଛନ୍ତି। ଏହା ସେମାନଙ୍କ ପାଇଁ ଗର୍ବ ବୋଲି ପିଲାମାନେ ବୁଝିଥିବା କୁହନ୍ତି ଗିରୀଶ ବାବୁ। ନାତି, ନାତୁଣୀ, ପୁଅ ବୋହୂଙ୍କ ଗହଣରେ ଅତି ହସଖୁସିର ସହ ସୁନ୍ଦର ଭାବରେ ସେ ୭୬ ବର୍ଷ ବୟସ ଅତିବାହିତ କରିସାରିଲେଣି। ଏବେ ପିଲାମାନେ ଏକାଠି ରହିଛନ୍ତି। ସେମିତି ଆଗକୁ ନାତି ନାତୁଣୀମାନେ ମଧ୍ୟ ଏକା‌ଠି ରହିବେ ବୋଲି ସେ ପ୍ରଭୁ ଲିଙ୍ଗରାଜଙ୍କ ପାଖରେ ପ୍ରାର୍ଥନା କରୁଛନ୍ତି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର