ଏମ୍‌ସ ୬ ମହଲାରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

ବିଷରୁ ବର୍ତ୍ତିଥିଲେ ବି ମୃତ୍ୟୁ ଛାଡ଼ିଲାନି

ଖଣ୍ତଗିରି: ଶନିବାର ବିଳମ୍ବିତ ରାତିରେ ଭୁବନେଶ୍ବର ଏମ୍‌ସ ହସ୍ପିଟାଲର ୬ମହଲା ମେଡିସିନି ୱାର୍ଡରୁ ଡେଇଁ ଜଣେ ଚିକିତ୍ସାଧୀନ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ, ଖୋର୍ଧା ସଦର ଥାନା ଗୁଡୁମ୍ ଜକରା ଗାଁର ସୁରେନ୍ଦ୍ର ମହାନ୍ତିଙ୍କ ପୁଅ ସତ୍ୟଜିତ୍(୩୨)। ୩ ଦିନ ତଳେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ସତ୍ୟଜିତ୍ ଏମ୍‌ସରେ ଚିକିତ୍ସିତ ହୋଇ ସୁସ୍ଥ ହୋଇ ଆସିଥିଲେ। କିନ୍ତୁ ଠିକ୍ ଘରକୁ ଫେରିବା ପୂର୍ବରୁ ସେ ମୃତ୍ୟୁପଥର ଯାତ୍ରୀ ହୋଇଗଲେ। ଖଣ୍ତଗିରି ଥାନା ପୁଲିସ ମୃତଦେହକୁ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ତଦନ୍ତ ଜାରି ରଖିଥିବା ସୂଚନା ଦେଇଛି।

ସୂଚନାନୁସାରେ, ସତ୍ୟଜିତ୍ ଜଣେ ଗାଡ଼ି ଚାଳକ ଭାବେ କାମ କରି ଜୀବିକା ନିର୍ବାହ କରୁଥିଲେ। ଗତ ମାସରେ ସେ ଚଳାଉଥିବା ଟ୍ରକ୍‌ଟି ଏକ ଗଛରେ ପିଟି ହୋଇ ଯାଇଥିଲା ଓ ଗାଡ଼ିଟି ଭାଙ୍ଗିରୁଜି ପୂରା ନଷ୍ଟ ହୋଇଯାଇଥିଲା। କିନ୍ତୁ ସେ ସେହି ଭୟଙ୍କର ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ। ସେହିଦିନଠାରୁ କାମ ନପାଇ ଘରେ ବସି ରହିଥିଲେ। ଗତ ୧୭ ତାରିଖ ଦିନ ସେ ମାନସିକ ଦୁଶ୍ଚିନ୍ତାରେ ଘରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ଭୁବନେଶ୍ବର ଏମ୍‌ସରେ ଭର୍ତ୍ତି କରାଇଥିଲେ। ତାଙ୍କୁ ଦୁଇ ଦିନ ପର୍ଯ୍ୟନ୍ତ ଆଇସିୟୁରେ ରଖି ଚିକିତ୍ସା କରାଯିବା ପରେ ସେ ସୁସ୍ଥ ହୋଇଥିଲେ। ଗତକାଲି ତାଙ୍କୁ ମେଡିସିନି ୱାର୍ଡକୁ ଅଣାଯାଇଥିଲା। ରବିବାର ତାଙ୍କୁ ହସ୍ପିଟାଲରୁ ଘରକୁ ପଠାଇ ଦିଆଯିବ ବୋଲି ଡାକ୍ତରମାନେ କହିଥିଲେ। ସବୁ କିଛି ଠିକ୍‌ଠାକ୍ ଥିଲା। ମୃତ୍ୟୁମୁହଁରୁ ବଂଚାଇ ସତ୍ୟଜିତଙ୍କୁ ଘରକୁ ଫେରାଇ ନେବା ନିଶ୍ଚିତ ହେବା ପରେ ତାଙ୍କ ବାପା ଓ ସ୍ତ୍ରୀ ବଡ଼ ଖୁସି ଥିଲେ। କିନ୍ତୁ ମାତ୍ର କେଇ ଘଣ୍ଟା ଭିତରେ ସବୁ ପୁଣି ଓଲଟପାଲଟ ହୋଇଯାଇଥିଲା। ରାତି ପ୍ରାୟ ୧୨ଟା ବେଳକୁ ତାଙ୍କ ସ୍ତ୍ରୀ ଓ ବାପା ଶୋଇପଡ଼ିବା ପରେ ସେ ହଠାତ୍ ବେଡ୍‌ରୁ ଚାଲିଯାଇ ସେହି ୱାର୍ଡର ବାରଣ୍ତା କାନ୍ଥ କାଚ ଝରକା ଭାଙ୍ଗି ତଳକୁ ଡେଇଁ ପଡ଼ିଥିଲେ। କାଚ ଝରକା ଭାଙ୍ଗିବା ଶବ୍ଦ ଶୁଣି ସୁରକ୍ଷାକର୍ମୀ ଘଟଣାସ୍ଥଳକୁ ଧାଇଁ ଆସିବା ବେଳକୁ ସବୁ କିଛି ଶେଷ ହୋଇ ସାରିଥିଲା। ସତ୍ୟଜିତଙ୍କ ଏଭଳି ଚରମ ପଦକ୍ଷେପ ପଛରେ କି କାରଣ ରହିଛି, ତାହା ସ୍ପଷ୍ଟ ହୋଇପାରିନାହିଁ। ପାରିବାରିକ କଳହ ନା ଗାଡ଼ି ଦୁର୍ଘଟଣାକୁ ନେଇ ଘଟିଥିବା ଗଣ୍ତଗୋଳକୁ ନେଇ କିଛି ବିବାଦ ଥିଲା, ତାହା ରହସ୍ୟ ହୋଇ ରହିଛି।

ସମ୍ବନ୍ଧିତ ଖବର