ଅଭିନ ଚନ୍ଦ୍ର ହୋମିଓପାଥିକ ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟର ସୁବର୍ଣ୍ଣ ଜୟନ୍ତୀ

ନିଜ ବୃତ୍ତିରେ ଉତ୍କର୍ଷର ଉପାସକ ‌ହୁଅ

ଭୁବନେଶ୍ବର: ହୋମିଓପାଥିର ଚାହିଦା ବଢ଼ୁଛି। ଏଲୋପାଥିକ ଚିକିତ୍ସା ଦିନକୁ ଦିନ ବ୍ୟୟବହୁଳ ହେଉଥିବା ବେଳେ ହୋମିଓପାଥି ଚିକିତ୍ସା ଆର୍ଥିକ ଦୃଷ୍ଟିରୁ ଗ୍ରହଣୀୟ ହେବାରେ ଲାଗିଛି। ପ୍ରତ୍ୟେକ ଗାଁ’ରେ ହୋମିଓପାଥି ଚିକିତ୍ସା ଉପଲବ୍ଧ ହେଉଥିବାରୁ ଗରିବ ଲୋକଙ୍କ ପାଇଁ ଗ୍ରହଣୀୟ ହୋଇପାରୁଛି। ମାତ୍ର ଭିନ୍ନଭିନ୍ନ ସମୟରେ ବୃତ୍ତି ଭିତରେ ଜାତିଭେଦ ସୃଷ୍ଟି ହୋଇଛି। ତେବେ କୌଣସି ବୃତ୍ତି ଛୋଟ ନୁହେଁ। ତେଣୁ ହୋମିଓପାଥି ବୃତ୍ତିରେ ଥିବା ବ୍ୟକ୍ତି ଏବଂ ଭବିଷ୍ୟତରେ ଏହି ବୃତ୍ତିକୁ ଆପଣାଇବାକୁ ଯାଉଥିବା ଛାତ୍ରଛାତ୍ରୀମାନେ ନିଜ ବୃତ୍ତିରେ ଉତ୍କର୍ଷର ଉପାସକ ହୁଅନ୍ତୁ। ଡାକ୍ତର ଅଭିନ ଚନ୍ଦ୍ର ହୋମିଓପାଥିକ୍‌ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ସୁବର୍ଣ୍ଣ ଜୟନ୍ତୀର ଉଦ୍‌ଯାପନୀ ଉତ୍ସବରେ ଅତିଥିବୃନ୍ଦ ଏପରି ବକ୍ତବ୍ୟ ରଖିଛନ୍ତି।

ସୁବର୍ଣ୍ଣ ଜୟନ୍ତୀ ସମାରୋହ ସମିତି ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ପୁରାତନ ଛାତ୍ର ତଥା ହୋମିଓପାଥି ଡାକ୍ତର ଓ ସଂପ୍ରତି ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇ କହିଲେ, ଆପଣମାନେ ଜଣେ ଜଣେ ଆମ୍ବାସଡର୍‌ ହୋଇ ହୋମିଓପାଥିର ପ୍ରଚାର କରନ୍ତୁ। ଅଧିକାଂଶ ଏଲୋପାଥିକ ଡାକ୍ତର ଠକାମି କିମ୍ବା ଅଳସୁଆମିବଶତଃ ଗାଁ’କୁ ଯାଆନ୍ତି ନାହିଁ। ମାତ୍ର ହୋମିଓପାଥି ଡାକ୍ତରମାନେ ଗାଁ’ରେ ଥାଆନ୍ତି। ତେଣୁ ହୋମିଓପାଥି ଲୋକପ୍ରିୟ ହେଉଛି ବୋଲି ସେ କହିଥିଲେ। ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ, ଖର୍ଚବହୁଳ ସ୍ବାସ୍ଥ୍ୟ ବ୍ୟବସ୍ଥା ଭିତରେ ଯେଉଁଠି ଏଲୋପାଥିକ ଚିକିତ୍ସା ବ୍ୟବସ୍ଥା ଅପହଞ୍ଚ, ସେଇ ଗାଁ’ରେ ଜଣେ ସହୃଦୟ ହୋମିଓପାଥି ଡାକ୍ତରଙ୍କ ଭୂମିକାର ତୁଳନା ନାହିଁ। ଡାକ୍ତରମାନେ ଶରୀରର ଅସ୍ବାଭାବିକ ସ୍ଥିତିକୁ ସଜାଡ଼ିବା ପାଇଁ କେବଳ ବିଦ୍ୟା ଓ ଜ୍ଞାନ ପ୍ରୟୋଗ କରନ୍ତି। ମାତ୍ର ଅଧା ସ୍ବାସ୍ଥ୍ୟ ମାନସିକ ଅବସ୍ଥା ସଜାଡ଼ି ହୋଇ‌ଗଲେ ଭଲ ହୋଇଯାଏ। ଡାକ୍ତରର ପଦେ ଭଲ କଥା ବି ରୋଗୀର ଅଧା ରୋଗ ଭଲ କରିଦେଇପାରେ ବୋଲି ମୋର ବିଶ୍ବାସ। ସେ ଏକଥା ବି କହିଲେ, ସ୍ବାଭିମାନର ସହ ଆପଣ ବୃତ୍ତିକୁ ଆପଣାନ୍ତୁ। ଏହା କେବଳ ଶସ୍ତା ଔଷଧ ଦେବାର ବୃତ୍ତି ନୁହେଁ, ବରଂ ଆପଣଙ୍କ ନିକଟକୁ ବିଶ୍ବାସରେ ଆସୁଥିବା ଗାଁ’ ଲୋକଟିକୁ ଭଲ ଉପଦେଶ ଦେଇ ଆପଣ ଜାତି ନିର୍ମାଣରେ ମଧ୍ୟ ସହାୟକ ହୋଇପାରିବେ। ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ସଂପ୍ରତି ଡାକ୍ତରମାନେ ଚିକିତ୍ସା ପାଇଁ ଯେଭଳି ଲକ୍ଷଲକ୍ଷ ଟଙ୍କା ଦାବି କରୁଛନ୍ତି ଏହାକୁ ସରକାର ବି ନିୟନ୍ତ୍ରଣ କରିପାରୁନାହାନ୍ତି। ହୁଏତ ଏଇ ସମୟରେ ହୋମିଓପାଥି ବ୍ୟବସ୍ଥା ନଥିଲେ ଗରିବ ଲୋ‌କମାନେ ବହୁ କଷ୍ଟ ଭୋଗୁଥାଆନ୍ତେ। ଓଏନ୍‌ଜିସିର ମହାପ୍ରବନ୍ଧକ ପ୍ରଦୀପ୍ତ ଦାସ ଉପସ୍ଥିତ ଥିଲେ।

ଏହି ଅବସରରେ ସ୍ମରଣିକା ‘ଆଲୁମିନି କନେକ୍ଟ’ ଲୋକାର୍ପିତ ହୋଇଥିଲା। ସୁବର୍ଣ୍ଣ ଜୟନ୍ତୀ ସମାରୋହ ସମିତିର ସଭାପତି ଡାକ୍ତର ନିର୍ମଳ କୁମାର ମହାପାତ୍ର ଅଧ୍ୟକ୍ଷତା କରିଥିବା ‌ବେଳେ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଡାକ୍ତର ସୁଧୀର କୁମାର ଦାଶ ସ୍ବାଗତ ଭାଷଣ ଦେଇଥିଲେ। ଶେଷରେ ସୁବର୍ଣ୍ଣ ଜୟନ୍ତୀ ସମାରୋହ ସମିତିର ସଂଗଠନ ସମ୍ପାଦକ ଡାକ୍ତର ଜୀବନ କୃଷ୍ଣ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର