ହାଜତରୁ ଚମ୍ପଟ ମାରିଥିବା ଅଭିଯୁକ୍ତର ପତ୍ତା ମିଳୁନି

୪ ମାସ ତଳେ ଆଉ ଜଣେ ଯାଇଥିଲା

ଭୁବନେଶ୍ବର : ଏୟାରପୋର୍ଟ ଆଦର୍ଶ ଥାନା ହାଜତ୍‌ରୁ ଚମ୍ପଟ ମାରିଥିବା ଅଭିଯୁକ୍ତର ପତ୍ତା ପାଉନି ପୁଲିସ। ଗତ ରାତିରୁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ ମଧ୍ୟ ସଫଳ ହୋଇନାହିଁ। ତାଲାବନ୍ଦ ଯୋଗୁଁ ଦିନେ ପୁଲିସ ବିଭିନ୍ନ ଛକରେ ନାକାବନ୍ଦୀ କରି ଡେରା ପକାଇଥିବା ବେଳେ ୧୨ ଘଣ୍ଟିଆ କର୍ଫ୍ୟୁରେ ମଧ୍ୟ ସହର ପୁଲିସ ନଜରରେ ରହୁଛି। ଏଭଳି ସ୍ଥିତିରେ ଅଭିଯୁକ୍ତର ପତ୍ତା ନ ମିଳିବା ଦୁର୍ଭାଗ୍ୟଜନକ ବୋଲି କୁହାଯାଉଛି। ସେହିଭଳି କର୍ତ୍ତବ୍ୟରେ ଅବହେଳା କରିଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇ ନାହିଁ। ତେବେ ଏହି ଥାନାରୁ ୪ ମାସ ପୂର୍ବେ ଜଣେ ଅଭିଯୁକ୍ତ ଏହି ଢଙ୍ଗରେ ଫେରାର ହୋଇ ଥିଲା। ସେ ହେଉଛି ଶିବ ମହାରଣା। ସେ ମଧ୍ୟ ଏଭଳି ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ସେ ଗିରଫ ହୋଇଥିଲା। ତା’ର ମଧ୍ୟ ଆଜି ଯାଏଁ ପତ୍ତା ମିଳିନାହିଁ।

ତେବେ ଗତକାଲି କେଉଁ ପରିସ୍ଥିତିରେ ଅଭିଯୁକ୍ତ ଭୁବନେଶ୍ବର ଭୀମପୁର ଅଞ୍ଚଳର ଅମିତ ସ୍ବରୂପ ମହାପାତ୍ର ଓରଫ ପିକୁଲ ଫେରାର ହେଲା ସେ ନେଇ ଅନେକ ପ୍ରଶ୍ନ ଉଠିଛି। ଅଭିଯୁକ୍ତକୁ କାହିଁକି ହାଜତ ଭିତରେ ରଖା ଯାଇନଥିଲା? ବାହାରେ ରଖାଯାଇ କାହିଁକି ସୁରକ୍ଷା ବ୍ୟବସ୍ଥା କଡ଼ା କରା ଯାଇନଥିଲା? ୪ ମାସ ତଲେ ଜଣେ ଫେରାର ହେବା ପ‌ରେ ମଧ୍ୟ ଆଉ ଜଣେ ଅଭିଯୁକ୍ତକୁ କିଭଳି ସୁଯୋଗ ଦିଆଗଲା? ସେ ନେଇ ଅନେକ ପ୍ରଶ୍ନ ପୁଲିସକୁ ବିବାଦକୁ ଟାଣିଛି।

ସୂଚନାଯୋଗ୍ୟ, ଗତ ଜାନୁଆରି ୧୯ ତାରିଖ ଦିନ ଏୟାରପୋର୍ଟ ରୋଡ୍‌ରେ ପୁରୁଣା ଭୁବନେଶ୍ବର ହରଚଣ୍ଡୀ ସାହିର ଶିବପ୍ରସାଦ ବେହେରା ଅନ୍ୟ ଦୁଇ ସାଙ୍ଗ ଜଗା ବେହେରା ଓ ପ୍ରସନ୍ନ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଅମିତକୁ ପୁଲିସ ଖୋଜୁଥିଲା। ଗତକାଲି ପୁରୁଣା ଭୁବନେଶ୍ବର ଅଞ୍ଚଳରେ ନିଶା କାରବାର କରୁଥିବା ବେଳେ ତାକୁ ଗିରଫ କରାଯାଇଥିଲା। କୋର୍ଟ ଚାଲାଣ ପାଇଁ କାଗଜପତ୍ର ପ୍ରସ୍ତୁତ କରାଯାଉଥିବା ବେଳେ ଡ୍ୟୁଟିରେ ଥିବା କର୍ମଚାରୀଙ୍କୁ ପାଣି ପିଇବା ପାଇଁ ମାଗି ସେ ନାଟକୀୟ ଢଙ୍ଗରେ ଫେରାର ହୋଇଥିଲା‌। ସେହିଭଳି ୪ ମାସ ତଳେ ଏୟାରପୋର୍ଟ ଅଞ୍ଚଳରେ ଏକ ବସ୍ତିରେ ରହୁଥିବା ଶମ୍ଭୁ ମହାରଣା‌ ପୁଅ ଶିବ ମହାରଣା ଏକ ହତ୍ୟା ଉଦ୍ୟମ ମାମଲାରେ ଗିରଫ ହୋଇଥିଲା। ହେଲେ ଏଭଳି ଅଭିନୟ କରି ଫେରାର ହୋଇ ଯାଇଥିଲା। କୋଭିଡ୍‌-୧୯ ମୁକାବିଲାରେ କମିସନରେଟ୍‌ ପୁଲିସ ପ୍ରମୁଖ ଭୂମିକା ନିଭାଇ ଯୋଦ୍ଧାର ପରିଚୟ ଦେଇଥିବା ବେଳେ କେତେକ କର୍ମଚାରୀଙ୍କ ଅବହେଳା ଯୋଗୁ ଅପବାଦ ମୁଣ୍ଡାଇଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର