ଅଭିନେତ୍ରୀଙ୍କୁ ଅଶ୍ଳୀଳ ମେସେଜ୍‌ : ସୋସିଆଲ୍ ମିଡିଆରେ ନମ୍ବର ଛାଡ଼ିଲା ଯୁବକ, ଦିନକୁ ଆସୁଛି ଶହ ଶହ ଫୋନ କଲ୍‌

ତଦନ୍ତ ଆରମ୍ଭ କଲା ମହିଳା ଥାନା ପୁଲିସ

ଭୁବନେଶ୍ବର : ସାମ୍ବାଦିକ ପରିଚୟ ଦେଇ ଅଭିନେତ୍ରୀଙ୍କ ସହ ସମ୍ପର୍କ ଆରମ୍ଭ। ଇଣ୍ଟରଭ୍ୟୁ ନେବା ଆଳରେ ଫୋନ୍ ନମ୍ବର ସଂଗ୍ରହ କରି ସୈତାନ ବୁଦ୍ଧି ଖଟାଇଲା ଯୁବକ। ଅଭିନେତ୍ରୀଙ୍କୁ ଅଶ୍ଳୀଳ ମେସେଜ୍ ପଠାଇବା ସହ ତାଙ୍କ ଫୋନ ନମ୍ବରକୁ ସୋସିଆଲ୍ ମିଡିଆରେ ସେୟାର କରି ଅପପ୍ରଚାର ଆରମ୍ଭ କରିଦେଲା। ଏହାପରେ ପ୍ରତିଦିନ ଶତାଧିକ କଲ୍ ପାଇ ନୟାନ୍ତ ହୋଇ ପଡ଼ିଲେଣି ଅଭିନେତ୍ରୀ। ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ମହିଳା ଥାନା ପୁଲିସ। ମେସେଜ୍ ପଠାଉଥିବା ଯୁବକ ସମ୍ପର୍କରେ ଖୋଳତାଡ଼ ଚଳାଇଛି। ଯୁବକ ଜଣକ କଟକର ବୋଲି ଜଣାପଡ଼ିଛି। ଶହ ଶହ ଅଜଣା କଲ ଆସୁଥିବାରୁ ଅଭିନେତ୍ରୀ ଜଣକ ଅଧିକାଂଶ ସମୟରେ ଫୋନ୍ ସୁଇଚ୍ ଅଫ୍ କରିବାକୁ ବାଧ୍ୟ ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଅଭିନେତ୍ରୀଙ୍କ ଘର ଚନ୍ଦ୍ରଶେଖରପୁର ଅଞ୍ଚଳରେ। ଟିଭି ଆଙ୍କରିଂରୁ ଅଭିନୟ ଦୁନିଆରେ ପାଦ ଦେଇଥିଲେ ଅଭିନେତ୍ରୀ ଜଣକ। ଖୁବ୍ କମ୍ ଦିନରେ ଓଲିଉଡରେ ବେଶ୍ ନାଁ କମାଇ ସାରିଛନ୍ତି। କଟକର ଯୁବକ ଜଣକ ଗତ କିଛିଦିନ ତଳେ ମେସେଞ୍ଜର ଜରିଆରେ ଅଭିନେତ୍ରୀଙ୍କ ସହ ଚାଟିଂ ଆରମ୍ଭ କରିଥିଲା। ନିଜକୁ ଓଲିଉଡ ଖବର ତିଆରି କରୁଥିବା ଜଣେ ସାମ୍ବାଦିକର ପରିଚୟ ଦେଇଥିଲା। ଏହା ସହ ଏକ ଇଣ୍ଟରଭ୍ୟୁ ନେବାକୁ ଚାହୁଁଛି ବୋଲି କହିବା ସହ କୌଶଳକ୍ରମେ ଅଭିନେତ୍ରୀଙ୍କ ଫୋନ୍ ନମ୍ବର ମାଗି ନେଇଥିଲା। ଅଭିନେତ୍ରୀ ତାଙ୍କୁ ଫୋନ୍ ନମ୍ବର ଦେଇଥିଲେ। ଏହା ପର ଠାରୁ ଯୁବକ ଜଣକ ତାଙ୍କ ସହ ଫୋନ୍ କରି କଥାବାର୍ତ୍ତା ହୋଇଥିଲା। ଦିନେ ଦୁଇ ଦିନ ପରେ ପୁଣି ଫୋନ୍ କରି ହଠାତ୍ ଅଶ୍ଳୀଳ କଥାବାର୍ତ୍ତା ଆରମ୍ଭ କରି ଦେଇଥିଲା। ଯୁବକର ଏଭଳି ଆଚରଣ ଦେଖି ଅଭିନେତ୍ରୀ ତାଙ୍କ ନମ୍ବରକୁ ବ୍ଲକ୍ କରି ଦେଇଥିଲେ। କିନ୍ତୁ ଯୁବକ ଜଣକ ବିଭିନ୍ନ ନମ୍ବରରୁ ଭିନ୍ନ ଭିନ୍ନ ସମୟରେ ତାଙ୍କୁ ଫୋନ୍ କରି ହଇରାଣ କରୁଥିଲା। ଏପରିକି ଅଭିନେତ୍ରୀଙ୍କ ନମ୍ବରକୁ ଯୁବକ ଜଣକ ନିଜର ଫେସବୁକ୍ ପେଜ୍, ଇନଷ୍ଟାଗ୍ରାମ୍, ସାଙ୍ଗସାଥୀଙ୍କୁ ସେୟାର କରି ଅଶ୍ଳୀଳ ମେସେଜ୍ ଲେଖିଥିଲେ। ଏହା ପରଠାରୁ ଅଭିନେତ୍ରୀଙ୍କ ପାଖକୁ ଦିନକୁ ଶହ ଶହ କଲ୍ ଆସିବା ଆରମ୍ଭ ହୋଇଥିଲା।

ଅଭିନେତ୍ରୀ ଏ କଥା ଜାଣିବା ପରେ ପ୍ରଥମେ ଇନ୍‌ଫୋସିଟି ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ। କିନ୍ତୁ ସେ ରହୁଥିବା ଅଞ୍ଚଳ ଚନ୍ଦ୍ରଶେଖରପୁର ଥାନା ଅଧୀନରେ ଆସୁଥିବା ଇନ୍‌ଫୋସିଟି ପୁଲିସ ପରାମର୍ଶ ଦେଇଥିଲା। ଏହା ପରେ ଅଭିନେତ୍ରୀ ଚନ୍ଦ୍ରଶେଖରପୁର ଥାନାକୁ ଯାଇଥିଲେ। କିନ୍ତୁ ମାମଲାଟି ସମ୍ବେଦନଶୀଳ ହୋଇଥିବା କହି ମହିଳା ଥାନାରେ ଅଭିଯୋଗ କରିବା ଲାଗି ଚନ୍ଦ୍ରଶେଖରପୁର ଥାନା ପୁଲିସ ପରାମର୍ଶ ଦେଇଥିଲା। ମହିଳା ଥାନାରେ ଅଭିଯୋଗ ପହଞ୍ଚିବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୁଲିସ ସମ୍ପୃକ୍ତ ଯୁବକକୁ ଖୁବଶୀଘ୍ର ଜେରା କରିବ ବୋଲି ଜଣାପଡ଼ିଛି।

କେଉଁ ପରିସ୍ଥିତିରେ ଯୁବକ ଅଭିନେତ୍ରୀଙ୍କୁ ଅଶ୍ଳୀଳ ମେସେଜ୍‌ ପଠାଇଲା? ଫୋନ୍‌ ନମ୍ବର କାହିଁକି ସୋସିଆଲ୍ ମିଡିଆରେ ସେୟାର କଲା? ଅଭିନେତ୍ରୀଙ୍କ ନାଁରେ ସୋସିଆଲ ମିଡିଆରେ କାହିଁକି ଅପପ୍ରଚାର କଲା? ଏହା ପଛରେ କ’ଣ ଉଦ୍ଦେଶ୍ୟ ରହିଛି? ଆଇଟି ଆଇନକୁ ଉଲ୍ଲଂଘନ କରାଯାଇଛି କି? କେବଳ ଯୁବକର ସମ୍ପୃକ୍ତି ରହିଛି ନା ଆଉ କେହି ସାମିଲ ରହିଛନ୍ତି? ଏ ସବୁ ଉପରେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି। ଗତ କିଛିଦିନ ତଳେ ଜଣେ ମହିଳା ଏଭଳି ଅଭିଯୋଗ କରିଥିଲେ। ମହିଳାଙ୍କ ଅଭିଯୋଗକ୍ରମେ ଜଣେ ପୁଲିସ ଏଏସ୍ଆଇ ଗିରଫ ହୋଇଥିଲେ।

ସମ୍ବନ୍ଧିତ ଖବର