ଏମ୍‌ସର ସମାବର୍ତ୍ତନ ଉତ୍ସବ, ମନୀଷାଙ୍କୁ ୧୧ ଓ ରୋଜାଲିନଙ୍କୁ ୧୩ ସ୍ବର୍ଣ୍ଣ

ରିସର୍ଚ୍ଚ ମାଇକ୍ରୋବିୟମ୍ ସେଣ୍ଟର ପାଇଁ ମିଳିବ ୨ ଲାବ୍‌

ଖଣ୍ଡଗିରି: ଶନିବାର ଭୁବନେଶ୍ବର ଏମ୍‌ସର ଦ୍ବିତୀୟ ଓ ତୃତୀୟ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପବ୍ଲିକ ହେଲ୍‌ଥ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆର ସଭାପତି ପଦ୍ମଭୂଷଣ ପ୍ରଫେସର ଡା. କେ ଶ୍ରୀନାଥ ରେଡ୍ଡୀ, ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍ ମେଡିକାଲ ରିସର୍ଚ୍ଚର ନିର୍ଦେଶକ ତଥା କେନ୍ଦ୍ର ସରକାରଙ୍କ ହେଲ୍‌ଥ ରିସର୍ଚ୍ଚ ବିଭାଗର ସମ୍ପାଦକ ପଦ୍ମଶ୍ରୀ ପ୍ରଫେସର ଡା. ବଳରାମ ଭାର୍ଗବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନଙ୍କୁ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିଥି‌ଲେ। ପରିଚାଳନା କମିଟିର ସଭାପତି ପଦ୍ମଶ୍ରୀ ପ୍ରଫେସର ଡା. ସୁବ୍ରତ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏମ୍‌ସ ନିର୍ଦେଶିକା ପ୍ରଫେସର ଡା. ଗୀତାଞ୍ଜଳି ବି., ରେଜିଷ୍ଟ୍ରାର ବିବି ମିଶ୍ର, ଡିନ୍‌ ପ୍ରଫେସର ଏସ୍‌ସି ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ପ୍ରଫେସର ଭାର୍ଗବ ଭୁବନେଶ୍ବର ଏମ୍‌ସରେ ପ୍ରତିଷ୍ଠା ହେବାକୁ ଯାଉଥିବା ଗବେଷଣା କେନ୍ଦ୍ର ‘ରିସର୍ଚ୍ଚ ମାଇକ୍ରୋବିୟମ୍ ସେଣ୍ଟର’ ପାଇଁ ବିଏସ୍‌ଏଲ୍‌-୩ ଓ ମାଇକୋଲୋଜି ଲାବ୍‌ ପାଇଁ ମଞ୍ଜୁରି ଓ ଅନୁଦାନ ପ୍ରଦାନ କରି‌ବେ ବୋଲି ଘୋଷଣା କରିଥି‌ଲେ।

ପ୍ରଥମ ପର୍ଯ୍ୟାୟରେ ୨୦୧୩ ବ୍ୟାଚ୍‌ ଓ ଦ୍ବିତୀୟ ପର୍ଯ୍ୟାୟରେ ୨୦୧୪ ବ୍ୟାଚ୍‌ର ଏମ୍‌ବିବିଏସ୍‌, ବିଏସ୍‌ସି ନର୍ସିଂ, ବିଏସ୍‌ସି ପାରାମେଡିକାଲ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନଙ୍କୁ ଡିଗ୍ରି ଓ ଉପାଧି ପ୍ରଦାନ କରାଯାଇଥିଲା। ଏମ୍‌ବିବିଏସ୍‌ ବର୍ଗରୁ ୧୯୨, ବିଏସ୍‌ସି ନର୍ସିଂରୁ ୧୦୮, ବିଏସ୍‌ସି ପାରାମେଡିକାଲ ବର୍ଗରୁ ୨୮ ଓ ସ୍ନାତକୋତ୍ତର ଏମ୍‌ଡି/ଏମ୍‌ଏସ୍ ବର୍ଗରୁ ୧୭ଜଣଙ୍କୁ ଡିଗ୍ରି ପ୍ରଦାନ ସହ ସମ୍ବର୍ଧିତ କରାଯାଇଥିଲା। ଡା. ମନୀଷା ମହାନ୍ତିଙ୍କୁ ୨୦୧୩ ମସିହାର ଶ୍ରେଷ୍ଠ ଏମ୍‌ବିବିଏସ୍‌ ଗ୍ରାଜୁଏଟ୍‌ ଭାବେ ୧୧ଟି ସ୍ବର୍ଣ୍ଣପଦକ ପ୍ରଦାନ କରାଯାଇଥିବା ବେଳେ ୨୦୧୪ ମସିହା ପାଇଁ ଡା. ରୋଜାଲିନ ପାଇଥିଲେ ୧୩ଟି ସ୍ବର୍ଣ୍ଣପଦକ। ସେହିପରି ବିଏସ୍‌ସି ନର୍ସିଂ ବର୍ଗରୁ ରାଜଲକ୍ଷ୍ମୀ, ଆସ୍‌ଲି ଜୋସ୍‌ ଏବଂ ବିଏସ୍‌ସି ପାରାମେଡିକାଲ ବର୍ଗରୁ ନବନିତ କୁମାର, ସାମୁଗାସୁନ୍ଦରମ୍‌ ଓ ଜାଗଜ୍ୟୋତି ମିଶ୍ରଙ୍କୁ ସ୍ବର୍ଣ୍ଣପଦକ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର