ଦୁଇ ମାସ ପରେ ଖୋଲିଲା ଏମ୍ସ ଓପିଡି

ଲକ୍‌ଡାଉନ୍‌ ସତ୍ତ୍ବେ ଗାଡ଼ି ଭଡ଼ା କରି ଆସିଲେ ରୋଗୀ, ପ୍ରଥମ ଦିନରେ ଡାକ୍ତର ଦେଖାଇଲେ ୧୪୧୭ ଜଣ

ଭୁବନେଶ୍ବର : ଦୁଇ ମାସ ହେଲା ଅପେକ୍ଷାରେ ଥିଲେ ରୋଗୀ। ତେଣୁ ଲକ୍‌ଡାଉନ୍‌ରେ ବସ୍‌ ସେବା ବନ୍ଦ ସତ୍ତ୍ବେ ଆଜି ଓପିଡି ଖୋଲୁଖୋଲୁ ଏମ୍ସକୁ ରୋଗୀଙ୍କ ସୁଅ ଛୁଟିଲା। ଓପିଡି ଖୋଲିବାର ପ୍ରଥମ ଦିନରେ ଆଜି ୧୪୧୭ ରୋଗୀ ଚିକିତ୍ସା କରାଇଛନ୍ତି। ଏଥିମଧ୍ୟରୁ ୯୬୪ ନୂତନ ଏବଂ ୪୫୩ ଜଣ ପୁରୁଣା ରୋଗୀ ବୋଲି ଏମ୍ସ ପକ୍ଷରୁ କୁହାଯାଇଛି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଆର୍ଥିକ ଦୁର୍ବଳ ଶ୍ରେଣୀର ହୋଇଥିଲେ ମଧ୍ୟ ସ୍ବାସ୍ଥ୍ୟଗତ ଆବଶ୍ୟକତା ଦୃଷ୍ଟିରୁ ଗାଡ଼ି ଭଡ଼ା କରି ଖର୍ଚାନ୍ତ ହୋଇ କିଏ ରବିବାର ସକାଳେ ତ ଆଉ କିଏ ବିଳମ୍ବିତ ରାତିରେ ଆସି ପହଞ୍ଚିଥିବା ଜଣାପଡ଼ିଛି।

ଆଜି ଆସିଥିବା ୧୪୧୭ ରୋଗୀଙ୍କ ମଧ୍ୟରୁ ୮୪୨ ପୁରୁଷ, ୫୭୩ ମହିଳା ଥିଲେ। ଏଥିମଧ୍ୟରୁ କମ୍ୟୁନିଟି ଆଣ୍ଡ ଫେମିଲି ମେଡିସିନ ବିଭାଗକୁ ସର୍ବାଧିକ ୨୦୬, ଟ୍ରମା ଏବଂ ଜରୁରୀକାଳୀନ ବିଭାଗକୁ ୮୦, ଅର୍ଥୋପେଡିକ୍ସ ୭୮, ଶ୍ବାସରୋଗ ବିଭାଗ ୫୯, ମେଡିସିନ ବିଭାଗକୁ ୬୮, ହୃଦରୋଗ ବିଭାଗ ୪୫,ଇଏନଟିକୁ ୫୬, ଜେନରାଲ ମେଡିସିନକୁ ୬୮, ସ୍ତ୍ରୀ ରୋଗ ବିଭାଗକୁ ୬୪ ଏବଂ ଅସ୍ତ୍ରୋପଚାର ପାଇଁ ୫୪ ରୋଗୀ ଆସିଥିଲେ।

ଗତବର୍ଷ ଅକ୍ଟୋବର ମାସରେ ଅଣ୍ଟାରେ ଜଟିଳ ଅସ୍ତ୍ରୋପଚାର କରାଇଥିଲେ ବାଲେଶ୍ବର ଜିଲ୍ଲା ଭୋଗରାଇର ଚାରୁବାଳା ସାହୁ(୬୦)। ହାଡ଼ ସ୍ଥିତି ଏଭଳି ଯେ ସେ ଚାଲି ପାରୁନଥିବାରୁ ପ୍ରତି ମାସେ କିମ୍ବା ଦୁଇ ମାସରେ ଥରେ ହ୍ବିଲଚେୟାରରେ ତାଙ୍କୁ ଏମ୍ସ ନେବାଆଣିବା କରାଯାଏ। ଶେଷ ଥର ପାଇଁ ଏପ୍ରିଲ ମାସରେ ଆସି ଦେଖାଇଥିଲେ, ଲକ୍‌ଡାଉନ୍‌ ଆଶଙ୍କାରେ ଡାକ୍ତର ତିନି ମାସର ଆଗୁଆ ଔଷଧ ଦେଇଥିଲେ। ଏହା ସତ୍ତ୍ବେ ଚାରୁବାଳାଙ୍କ କଷ୍ଟ ବଢ଼ିଥିଲା। କେବେ ଓପିଡି ଖୋଲିବ ଏବଂ ଚେକ୍‌ଅପ୍‌ କରାଯିବ ଏଥିପାଇଁ ଅପେକ୍ଷା ରହିଥିଲା। ଚାରୁବାଳାଙ୍କ ପୁଅଙ୍କ କହିବା ଅନୁସାରେ, ଲକ୍‌ଡାଉନ୍‌ରେ ତାଙ୍କ ଦୋକାନ ମାନ୍ଦା ପଡ଼ିଛି। ପ୍ରତିଥର ସେମାନେ ବସ୍‌ରେ ହିଁ ଆସିଥାଆନ୍ତି। ମାତ୍ର ମା’ଙ୍କ ଅବସ୍ଥା ଦେଖି ଓପିଡି ଖୋଲିବାର ପ୍ରଥମ ଦିନରେ ହିଁ ଗାଡ଼ି ଭଡ଼ା କରି ବିଳମ୍ବିତ ରାତିରୁ ଆସି ପହଞ୍ଚିଥିଲେ। ଆଜି ଲମ୍ବା ଧାଡ଼ିରେ ଛିଡ଼ା ହୋଇ ଟିକଟ କରି ଦେଖାଇଥିଲେ।

ସେହିପରି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ରାଜହଂସିନୀ ବିନ୍ଧାଣୀ କହନ୍ତି, ୨୦୧୯ ମସିହାରେ ତାଙ୍କ ଝିଅର ମସ୍ତିଷ୍କ ଅସ୍ତ୍ରୋପଚାର କରିଥିଲେ। ଲକ୍‌ଡାଉନ୍‌ ସମୟରେ ସିଲେଇ ଫିଟି ଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ମେ’ ମାସରେ ଆଉ ଦୁଇଟି ଅସ୍ତ୍ରୋପଚାର କରିଥିଲେ। ଚେକ୍‌ଅପ୍ ପାଇଁ ଅପେକ୍ଷା ଥିଲା, ତେଣୁ ଓପିଡି ଖୋଲିବା ମାତ୍ରେ ଆଜି ଆସି ଡାକ୍ତର ଦେଖାଇଛନ୍ତି। ଏହା ବ୍ୟତୀତ ପ୍ରଥମ ଦିନରେ ରାଜ୍ୟର ବିଭିନ୍ନ ଜିଲ୍ଲା ତଥା ପଶ୍ଚିମବଙ୍ଗରୁ ମଧ୍ୟ ଅନେକ ରୋଗୀ ଆସିଥିଲେ। ଏବେ କିନ୍ତୁ ଏମ୍ସ ଆଖପାଖରେ ରୋଗୀଙ୍କ ରହିବା ପାଇଁ ସ୍ଥାନାଭାବ ମଧ୍ୟ ରହିଛି। ଯେଉଁ ବ୍ୟକ୍ତିମାନେ ଭଡ଼ାରେ ଘର ଦେଇଥାଆନ୍ତି, ସେମାନେ ଲକ୍‌ଡାଉନ୍‌ ସମୟରେ ଭଡ଼ା ମଧ୍ୟ ବଢ଼ାଇ ଦେଇଛନ୍ତି। ଅନ୍ୟପକ୍ଷରେ ଏଣିକି ଓପିଡିରେ କଟକଣା ରହିବ ବୋଲି ପୂର୍ବରୁ ଏମ୍ସ କର୍ତ୍ତୃପକ୍ଷ କହିଥିଲେ। ବିଭାଗ ପିଛା ୨୫ରୁ ୩୦ ରୋଗୀଙ୍କୁ ଟିକଟ ଦେବା ପାଇଁ କୁହାଯାଇଥିଲା। ଏହା ସତ୍ତ୍ବେ ଆଜି ପ୍ରଥମ ଦିନରେ ଯେଉଁମାନେ ପହଞ୍ଚିଥିଲେ, ଚିକିତ୍ସା କ୍ଷେତ୍ରରେ ସେମାନଙ୍କର କାହାରି ଅସୁବିଧା ହୋଇନଥିବା ଏମ୍ସ ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ କୋଭିଡ୍‌ ସଂକ୍ରମଣ ବୃଦ୍ଧିକୁ ଲକ୍ଷ୍ୟ ରଖି ଏପ୍ରିଲ ମାସ ୨୬ ତାରିଖରୁ ଏମ୍ସର ଓପିଡି ବନ୍ଦ କରି ଦିଆଯାଇଥିଲା।

ସମ୍ବନ୍ଧିତ ଖବର