ବସ୍ତିରେ ଘର ଦଖଲ ଅଭିଯୋଗ : ମହିଳା ସରପଞ୍ଚ ଗିରଫ

ଚନ୍ଦ୍ରଶେଖରପୁର : ପଟିଆ ଅଞ୍ଚଳର ଏକ ବସ୍ତିରେ ଅନ୍ୟଜଣକ ଘରକୁ ଜୋର୍ ଜବରଦସ୍ତ ଦଖଲ କରିବା ଅଭିଯୋଗରେ ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ ଜଣେ ମହିଳା ସରପଞ୍ଚଙ୍କ ସମେତ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ, ରୁନୁ ଭୂୟାଁ, ସରିତା ମହାନ୍ତି, ଡେଜି ମହାନ୍ତି ଓ ଶିବପ୍ରସାଦ ନନ୍ଦ। ରୁନୁ ଯାଜପୁର ଜିଲ୍ଲା କ‌ନ୍ତୋର ପଞ୍ଚାୟତର ସରପଞ୍ଚ ବୋଲି ଜଣାପଡ଼ିଛି। ଜଣେ ବସ୍ତିବାସିନ୍ଦା ଧୀରେନ୍ଦ୍ର ବେଉରିଆଙ୍କ ଘରର ଜିନିଷପତ୍ର ଓ ଆସବାବପତ୍ର ବାହାରକୁ ଫିଙ୍ଗିଦେବା ସହ ଘରେ ତାଲା ପକାଇ ଦଖଲ କରିନେବା ଅଭିଯୋଗରେ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ବସ୍ତିରେ ରହୁଥିବା ଏହି ମହିଳା ସରପଞ୍ଚ ଗିରଫ ହେବା ଘଟଣାଟି ଆଜି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ଚନ୍ଦ୍ରଶେଖରପୁର ଥାନାରେ ଧୀରେନ୍ଦ୍ର କରିଥିବା ଅଭିଯୋଗ ଅନୁସାରେ, ସେ ପଟିଆ ଗାଁ ସଂଲଗ୍ନ ସରକାରୀ ଜମିରେ ଗଢ଼ି ଉଠିଥିବା ବସ୍ତିରେ ରହୁଛନ୍ତି। ଗତକାଲି ବିଡିଏ ଓ ବିଏମ୍‌ସି ପକ୍ଷରୁ ଏହି ବସ୍ତିର ବହୁ ଘରକୁ ଉଚ୍ଛେଦ କରାଯାଇଥିଲା। ପୁଣି ଆଗକୁ ଏହି ବସ୍ତିରୁ ଅଧିକ କିଛି ଘର ଭଙ୍ଗା ଯିବ ବୋଲି ମଧ୍ୟ ନୋଟିସ୍ ଦିଆଯାଇଛି। ତେବେ ଏହି ଉଚ୍ଛେଦରୁ ତାଙ୍କ ଘରଟି ବାଦ୍‌ ପଡ଼ିଥିଲା। ସନ୍ଧ୍ୟା ହୋଇଯାଇଥିବାରୁ ଉଚ୍ଛେଦ ସ୍କ୍ବାଡ୍‌ ଫେରି ଯାଇଥିଲେ। କିନ୍ତୁ ରୁନୁ ଓ ଅନ୍ୟ ଅଭିଯୁକ୍ତମାନେ ଏହା ଧୀରେନ୍ଦ୍ରଙ୍କ ଚାଲ୍‌ ବୋଲି ଅଭିଯୋଗ କରି ଆଜି ସକାଳେ ତାଙ୍କ ସହ ଗଣ୍ଡ‌ଗୋଳ କରିଥିଲେ। ଧୀରେନ୍ଦ୍ରଙ୍କ ଅଭିଯୋଗ ଅନୁସାରେ, ରୁନୁ ବସ୍ତିରେ କଙ୍ଗାରୁ କୋର୍ଟ ବସାଇ ତାଙ୍କୁ ଘର ଛାଡ଼ି ପଳାଇବାକୁ ଧମକ ଦେଇଥିଲେ। କିନ୍ତୁ ସେ ସେମାନଙ୍କ କଥା ନ ଶୁଣିବାରୁ ରୁନୁଙ୍କ ନିର୍ଦ୍ଦେଶରେ ଶିବ, ଡେଜି, ସରିତା ଓ ଅନ୍ୟମାନେ ଜୋର୍‌ଜବରଦସ୍ତ ତାଙ୍କ ଘରେ ପଶି ଜିନିଷପତ୍ର ବାହାରକୁ ଫୋପାଡ଼ି ଦେବା ସହ ଘରେ ତାଲା ପକାଇ ଦେଇଥିଲେ। ଘରଟି ତାଙ୍କ ଦଖଲରେ ରହିଲା ବୋଲି ରୁନୁ ଘୋଷଣା କରିଥିଲେ। ତେଣୁ ଧୀରେନ୍ଦ୍ର ଚନ୍ଦ୍ରଶେଖରପୁର ଥାନାର ଦ୍ବାରସ୍ଥ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ରୁନୁ ଓ ତାଙ୍କ ଗୋଷ୍ଠୀ ରାଜନୈତିକ ଛତ୍ରଛାୟାରେ ରହି ବସ୍ତି‌ରେ ଦାଦାଗିରି କରୁଥିଲେ। ଉକ୍ତ ଅଞ୍ଚଳରେ ସରକାରୀ ଜମି ଜବରଦଖଲ, ବିକାକିଣା ଓ ବସ୍ତିରେ ଘର କରି ଭଡ଼ା ଲଗାଇବା କାମକୁ ନିୟନ୍ତ୍ରଣ କରୁଥିଲେ।

ସମ୍ବନ୍ଧିତ ଖବର