ଆନ୍ଧ୍ର ରାଜ୍ୟପାଳଙ୍କୁ ସମ୍ବର୍ଦ୍ଧନା, ଓଡ଼ିଆଙ୍କ ଗୌରବ ‘ବିଶ୍ବଭୂଷଣ’

ଭୁବନେଶ୍ବର,: ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ଆଜି ରବୀନ୍ଦ୍ର ମଣ୍ଡପ ପରିସରରେ ନାଗରିକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଓଡ଼ିଶା ନାଗରିକ ମହାମଞ୍ଚ ସହ ରାଜ୍ୟର ୩୦ରୁ ଊର୍ଦ୍ଧ୍ବ ଅନୁଷ୍ଠାନ ଏକାଠି ହୋଇ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଆନ୍ଧ୍ରପ୍ରଦେଶରେ ରାଜ୍ୟପାଳ ହେବା କେବଳ ତାଙ୍କ ପାଇଁ ଗର୍ବ ନୁହେଁ, ବରଂ ପ୍ରତ୍ୟେକ ଓଡ଼ିଆ ପାଇଁ ସେ ଗୌରବ ବୋଲି ମତ ପ୍ରକାଶ ପାଇଛି।

ଏହି ଅବସରରେ ଶ୍ରୀ ହରିଚନ୍ଦନ କହିଥିଲେ, ‘ହିଜ୍‌ ଏକ୍ସିଲେନ୍‌ସି’ ଶବ୍ଦକୁ ମୁଁ ଘୃଣା କରେ। ଲମ୍ବା ସମୟ ଧରି ଓଡ଼ିଶାର ସେବା କରିଛି। ଆନ୍ଧ୍ରର କେବଳ ମୁଁ ପ୍ରଥମ ନାଗରିକ ନୁହେଁ, ପ୍ରଥମ ସେବକ ମଧ୍ୟ। ଏଠାରେ ପ୍ରତ୍ୟେକସ୍ତରର ଲୋକ ମୋତେ ପ୍ରତ୍ୟେକ ଦିନ ଭେଟି ପାରିବା ଭଳି ମୁଁ ବ୍ୟବସ୍ଥା କରିଛି। ତେବେ ପ୍ରଥମ ସ୍ବାଧୀନତା ସଂଗ୍ରାମ ପାଇକ ବିଦ୍ରୋହର ସ୍ମାରକୀ ପ୍ରତିଷ୍ଠା ପାଇଁ ସରକାର ମାତ୍ର ୧୦ ଏକର ଜାଗା ଦେବା ଅତ୍ୟନ୍ତ ଦୁଃଖଦାୟକ। ଏହି ସ୍ମାରକୀରେ ପାଇକ ବିଦ୍ରୋହ ଉଜ୍ଜୀବିତ ହେବ। ମୁଖ୍ୟମନ୍ତ୍ରୀଙ୍କୁ ବିନୀତ ଅନୁରୋଧ, ଓଡ଼ିଆ ଜାତିର ଗର୍ବ ପାଇଁ ପ୍ରତିଷ୍ଠା ହେବାକୁ ଯାଉଥିବା ଏହି ସ୍ମାରକୀ ପାଇଁ ୩୦ ଏକର ଜାଗା ଦେଇ ଆନ୍ତରିକତାର ସହ ଆଗେଇ ଆସନ୍ତୁ। ଏହା ସମଗ୍ର ଭାରତବର୍ଷକୁ ଏଠାକୁ ଟାଣି ଆଣିବ ଏଥିରେ ସନ୍ଦେହ ନାହିଁ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ, ସମୟ ଅନୁସାରେ ବଦଳି ନଥିବା ଏକମାତ୍ର ଲୋକ ହେଉଛନ୍ତି ବିଶ୍ବଭୂଷଣ ହରିଚନ୍ଦନ। ଆଜି ସମ୍ବିଧାନିକ ମୁଖ୍ୟ ଭାବରେ ଜଣେ ଓଡ଼ିଆଙ୍କୁ ଆନ୍ଧ୍ରରେ ଦେଖିବା ପରେ ତାହା କାଞ୍ଚି ଅଭିଯାନ କଥା ମନେ ପକାଇ ଦେଉଛି। କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଲେ, ଗାଁ ଗାଁରେ ଠାକୁର କଂଗ୍ରେସ, ବିଜେପି, ବିଜେଡିରେ ଭାଗ ହୋଇଯାଇଥିବା ବେ‌ଳେ ଏଠାରେ ସବୁ ଦଳର, ସବୁ ବର୍ଗର ଲୋକ ଏକାଠି ହୋଇଛନ୍ତି। ତାହା ହିଁ ତାଙ୍କ ବ୍ୟକ୍ତିତ୍ବର ପରିଚୟ। ଆମେ ତାଙ୍କ ପାଇଁ ଗୌରାବାନ୍ବିତ। ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ, ରାଜ୍ୟପାଳ ହେବା ପାଇଁ ଯେଉଁ ସ୍ତରର ଜ୍ଞାନୀ, ମାନି, ଗୁଣି ହେବା ଆବଶ୍ୟକ ହୋଇଥାଏ ବିଶ୍ବଭୂଷଣ ସେ ସ୍ତରରୁ ବହୁତ ଉଚ୍ଚରେ ଅଛନ୍ତି। ବିଳମ୍ବରେ ହେଉ ପଛେ କେନ୍ଦ୍ର ସରକାର ତାଙ୍କୁ ଏହି ସମ୍ମାନ ଦେଇ ଓଡ଼ିଶାବାସୀଙ୍କ ସମ୍ମାନ ବଢ଼ାଇଛନ୍ତି।

ପାଇକ ବିଦ୍ରୋହର ସ୍ମାରକୀ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଜମି ଯୋଗାଇ ଦେଉଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଧନ୍ୟବାଦ ଦେଇଥିଲେ। ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ପ୍ରେରଣା ଗ୍ରିନ୍‌ ଆର୍ମିର କମାଣ୍ଡର ଇନ୍‌ ଚିଫ୍‌ ଡ. ଦିଲ୍ଲୀପ ଶ୍ରୀଚନ୍ଦନ, ଦାଶ ବେନହୁର, ସାହିତ୍ୟିକ ବିଜୟାନନ୍ଦ ସିଂହ ପ୍ରମୁଖ ବକ୍ତବ୍ୟ ରଖିବା ଅବସରରେ ବିଶ୍ବଭୂଷଣଙ୍କ ସହ ଥିବା ଅନୁଭୂତି ବାଣ୍ଟିଥିଲେ। ସାଂସଦ ଭର୍ତୃହରି ମହତାବ, ମନ୍ତ୍ରୀ ଅଶୋକ ପଣ୍ଡା, ବରିଷ୍ଠ ଆଇନଜୀବୀ ବିଭୁପ୍ରସାଦ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଗୁରୁ ପ୍ରଭାତ ସ୍ବାଇଁଙ୍କ ପକ୍ଷରୁ ନୃତ୍ୟ ନୈବେଦ୍ୟ ପ୍ରସ୍ତୁତ କରାଯାଇଥିଲା। ସ୍ବାଗତ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଓଡ଼ିଶା ନାଗରିକ ମହା ମଞ୍ଚର ଅଧ୍ୟକ୍ଷ ତଥା ଉତ୍ସବର ସଭାପତି ପ୍ରଦ୍ୟୁମ୍ନ ଶତପଥୀ। ଇଂ ଶିଶିର ନାୟକ ଧନ୍ୟବାଦ ଅର୍ପଣ କରିଥିବା ବେ‌ଳେ ଡ. ମିଲନ୍‌ ମଞ୍ଚ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର