‘ଟେଲ୍‌ସ ଫ୍ରମ୍‌ ସେକ୍ସପିୟର’ର ଅନୁବାଦ କରିଥିଲେ ଅନ୍ନପୂର୍ଣ୍ଣା

ଭୁବନେଶ୍ୱର : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଆଜନ୍ମ କର୍ମଯୋଗିନୀ ଅନ୍ନପୂର୍ଣ୍ଣା ମହାରଣାଙ୍କୁ ସେବା ଓ ସଂଗ୍ରାମର ମୂର୍ତିମନ୍ତ ପ୍ରତୀକ ବୋଲି ସମସ୍ତେ ଜାଣନ୍ତି। ମାତ୍ର ଅନ୍ନପୂର୍ଣ୍ଣା ସ୍କୁଲ୍‌ ମାଟି ନମାଡ଼ି ଯେ, ୧୮୦୭ରେ ଚାର୍ଲସ୍‌ ଓ ମେରି ଲାମ୍ବ୍‌ଙ୍କ ରଚିତ ‘ଟେଲ୍‌ସ ଫ୍ରମ୍‌ ସେକ୍ସପିୟର’ର ଓଡ଼ିଆ ଅନୁବାଦ କରିଥିଲେ ତାହା ଅନେକ ଜାଣନ୍ତି ନାହିଁ। ଆଜି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମି ପକ୍ଷରୁ ପାନ୍ଥ ନିବାସରେ ଆୟୋଜିତ ଅନ୍ନପୂର୍ଣ୍ଣା ମହାରଣାଙ୍କ ଜନ୍ମ ଶତାବର୍ଷିକୀରେ ଏହି ଅନାଲୋଚିତ ତଥ୍ୟ ଦେଇଛନ୍ତି ପ୍ରଖ୍ୟାତ ଆଇନଜ୍ଞ ହରିହର ପଣ୍ଡା।

ଶ୍ରୀ ପଣ୍ଡା କହିଛନ୍ତି ଯେ, ଓଡ଼ିଆମାନଙ୍କ ପାଇଁ ଏହା ଏକ ମହାର୍ଘ ପାଣ୍ଡୁଲିପି। ଯେବେ ‘ସୁଚରିତା’ ପତ୍ରିକାରେ ସେ ଧାରାବାହିକ ଭାବେ ମହିୟସୀ ଅନ୍ନପୂର୍ଣ୍ଣା ମହାରଣାଙ୍କ ସହ କଥା ହୋଇ ଲେଖୁଥିଲେ ଏକଥା ଖୋଦ ଅନ୍ନପୂର୍ଣ୍ଣା ତାଙ୍କୁ କହିଥିଲେ ବୋଲି ସେ କହିଛନ୍ତି। ତେବେ ଅନ୍ନପୂର୍ଣ୍ଣାଙ୍କ ଏହି ପାଣ୍ଡୁଲିପି କେଉଁଠି ରହିଛି ତାହା ସବୁଠୁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ଏହି ଅବସରରେ ଅନ୍ନପୂର୍ଣ୍ଣା ମହରଣାଙ୍କର ଇଂରାଜୀ ଭାଷା ଶିଖିବା ପ୍ରୀତି ଏବଂ ବାନର ସେନାରେ ଥିବା ସମୟର ଅନ୍ନପୂର୍ଣ୍ଣାଙ୍କ ଅନୁଭୂତିକୁ ଏଠାରେ ଉଦ୍ଧାର କରିଥିଲେ। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଦୋଳଗୋବିନ୍ଦ ପ୍ରଧାନ ତାଙ୍କ ବକ୍ତବ୍ୟରେ ଅନ୍ନପୂର୍ଣ୍ଣା ମହାରଣା କିଭଳି ଶେଷ ପର୍ଯ୍ୟନ୍ତ ସରଳ ନିରାଡ଼ମ୍ବର ଜୀବନ ଜିଇଁ ସମାଜ ପାଇଁ ସମର୍ପିତ ଥିଲେ ସେ ସମ୍ପର୍କରେ କହିଥିଲେ। ପ୍ରାବନ୍ଧିକ ତଥା ଆଲୋଚକ ପାବକ କାନୁନ୍‌ଗୋ, ନିଶା ନିବାରଣ ଅଭିଯାନର ଅପର୍ଣ୍ଣା ନାୟକ ପ୍ରମୁଖ ଭାରତର ମୁକ୍ତି ସଂଗ୍ରାମ ଓ ନାରୀ ଚେତନା ଜାଗରଣରେ ଅନ୍ନପୂର୍ଣ୍ଣା ମହରଣାଙ୍କ ଅବଦାନ ସମ୍ପର୍କରେ କହିଥିଲେ।

ସାହିତ୍ୟ ଏକାଡେମିର ସଭାପତି ହରିହର ମିଶ୍ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ଏକାଡେମିର ସଚିବ ଡ.ଜୟନ୍ତୀ ରଥ ସ୍ୱାଗତ ଭାଷଣ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଶେଷରେ ପ୍ରଦୀପ କୁମାର ପୂଜାପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶାଶ୍ୱତୀ ସୋସିଆଲ୍‌ କଲ୍‌ଚରାଲ୍‌ ସେଣ୍ଟରର ଛାତ୍ରୀମାନେ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ।

ସମ୍ବନ୍ଧିତ ଖବର