ସୁର ବାବାଙ୍କ ଅଡ଼ୁଆ ବଢ଼ିଲା

ଭୁବନେଶ୍ବର: ବହୁ ଚର୍ଚ୍ଚିତ ତ୍ରାହି ଅଚ୍ୟୁତ ଆଶ୍ରମ କେଳେଙ୍କାରୀ ଘଟଣାରେ ଗିରଫ ହୋଇଥିବା ସୁର ବାବା ଓରଫ ସୁରେନ୍ଦ୍ର ମିଶ୍ର ଏବେ ପୁଣି ନୂଆ ବିବାଦରେ ଫସିଛନ୍ତି। ‌ଯୌନ ନିର୍ଯାତନା ମାମଲା ବାବାଙ୍କ ନାମରେ ଆସିଥିବାରୁ ସୁରବାବାଙ୍କ ଅଡ଼ୁଆ ବଢ଼ିଯାଇଛି। ସୁପ୍ରିମକୋର୍ଟରୁ ସର୍ତ୍ତମୂଳକ ଜାମିନ୍‌ ପାଇ ଝାରପଡ଼ା ଜେଲ୍‌ରୁ ମୁକୁଳିବାର ପ୍ରାୟ ୧୩ ମାସ ପରେ ସୁରବାବାଙ୍କ ନାମରେ ସଙ୍ଗିନ୍‌ ଅଭିଯୋଗ ଆସିଛି। ଅଭିଯୋଗ ପ୍ରମାଣିତ ହୋଇନଥିଲେ ବି ବାବା ଏହି ବିବାଦରୁ ମୁକୁଳିବା ସହଜ ହେବନି। ଝିଣ୍ଟି ଶାସନସ୍ଥିତ ତ୍ରାହି ଅଚ୍ୟୁତ ଆଶ୍ରମର ମୁଖ୍ୟ ସୁର ବାବାଙ୍କ ନାମରେ ଜମି ଠକେଇ, ଜାଲିଆତି, ହତ୍ୟାକାଣ୍ତ, ମହିଳାଙ୍କୁ ଯୌନ ନିଯାର୍ତନା ନେଇ ଅଭିଯୋଗ ହେବା ପରେ ଅଗଷ୍ଟ, ୨୦୧୫ରେ ସୁରବାବାଙ୍କୁ ପୁଲିସ ଗିରଫ କରିଥିଲା। ପ୍ରାୟ ୨୭ମାସ ଜେଲ୍‌ରେ ରହିବା ପରେ ସୁପ୍ରିମକୋର୍ଟରୁ ସର୍ତ୍ତମୂଳକ ଜାମିନ୍‌ ମିଳିଥିଲା। ଏହାପରେ ଡିସେମ୍ବର ୧, ୨୦୧୭ରେ ବାବା ଝିଣ୍ଟି ଶାସନସ୍ଥିତ ଆଶ୍ରମକୁ ଫେରିଥିଲେ। ସେବେଠାରୁ ପ୍ରତିଦିନ ବାବାଙ୍କ ଦରବାର ବସୁଥିଲା। ଆଶ୍ରମ ପୁଣି ଗହଳିଚହଳି ଜମିଥିଲା। ରାଜ୍ୟ ବାହାରୁ ବାବାଙ୍କ ଅନୁଗତ ଆସୁଥିଲେ। ବିଭିନ୍ନ ମହୋତ୍ସବ ବି ହେଉଥିଲା। କିନ୍ତୁ ବାବାଙ୍କ ନାମରେ ନୂଆ ଅଭିଯୋଗ ଆସିବା ପରେ ଆଶ୍ରମରେ ଗହଳିଚହଳି କମି ଯାଇଛି।

ସୂଚନାଯୋଗ୍ୟ ଯେ ୨୦୧୫ ଅଗଷ୍ଟ ମାସରେ ସୁରବାବଙ୍କ ବିରୋଧରେ ଜମି ଠକେଇ, ଜାଲିଆତି, ହତ୍ୟାକାଣ୍ତ, ମହିଳାଙ୍କୁ ଯୌନ ନିଯାର୍ତନା ନେଇ ଅଭିଯୋଗ ହୋଇଥିଲା। ସ୍ଥାନୀୟ ଲୋକ ବାବାଙ୍କ କାଣ୍ତ କାରଖାନ ଉପରେ ଖପ୍ପା ହୋଇ ଯାଇଥିଲେ। ଅଗଷ୍ଟ ୩୦ ତାରିଖରେ ହଜାର ହଜାର ସ˚ଖ୍ୟାରେ ଲୋକ ଆଶ୍ରମ ଉପରେ ଆକ୍ରମଣ କରିଥିଲେ। ଆଶ୍ରମରେ ପଶି ଭଙ୍ଗାରୁଜା କରିବା ସହିତ ନିଆଁ ଲଗାଇ ଦେଇଥିଲେ। ବିଳମ୍ବିତ ରାତିରେ କମିସନରେଟ୍‌ ପୁଲିସ ସୁର ବାବା ଓ ତାଙ୍କ ଦୁଇ ପୁଅ ତ୍ରିଲୋଚନ, ବିରଞ୍ଚିଙ୍କୁ ଗିରଫ କରିଥିଲା। ଗିରଫଦାରୀ ପରେ ମାମଲାକୁ ରାଜ୍ୟ ସରକାର କ୍ରାଇମ୍‌ବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ। କ୍ରାଇମ୍‌ବ୍ରାଞ୍ଚ ଆଶ୍ରମରେ ଚଢ଼ଉ କରି ଗୁଳିଗୋଳା, ବନ୍ଧୁକ, ଲକ୍ଷାଧିକ ଟଙ୍କା, ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଆଦି ଜବତ କରିଥିଲା। କିନ୍ତୁ ପୋଥିର ସନ୍ଧାନ ମିଳିନଥିଲା।

ସୁର ବାବାଙ୍କୁ ‌ନୋଟିସ୍‌
ଯୁବତୀଙ୍କୁ ଅନ୍ଧାର ଘରେ ଅସଦାଚରଣ କରିବା ଅଭିଯୋଗରେ ଫସିଥିବା ସୁରେନ୍ଦ୍ର ମିଶ୍ର ଓରଫ ସୁରବାବାଙ୍କୁ ପୁଲିସ ନୋଟିସ୍‌ କରିଛି। ଗଞ୍ଜାମର ଯୁବତୀଙ୍କ ଅଭିଯୋଗକ୍ରମେ ବାଲିପାଟଣା ଥାନା ପୁଲିସ ଏକ ମାମଲା ରୁଜୁ କରିଛି। ଏହି ମାମଲାକୁ ଆଧାର କରି ଜବାବ ରଖିବା ପାଇଁ ବାଲିପାଟଣା ଥାନା ପୁଲିସ ସୁର ବାବାକୁ ନୋଟିସ ଜାରି କରିଛି। ୧୫ ଦିନ ଭିତରେ ନୋଟିସ୍‌ର ଉତ୍ତର ରଖିବା ସହ ହାଜର ହେବା ପାଇଁ ମଧ୍ୟ କୁହାଯାଇଛି। ଗତ ୩ ତାରିଖରେ ଅଭିଯୋଗ ହୋଇଥିବା ବେଳେ ପୁଲିସ ୫ ତାରିଖରେ ମାମଲା ରୁଜୁ କରିଛି। ୧୨ ଦିନ ପରେ ବାବାକୁ ନୋଟିସ ହେବା ପଛରେ କ’ଣ କାରଣ ରହିଛି କାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଉଦ୍ଧାର କରିଥିଲା ପୁଲିସ
ଘଟଣା ଦିନ ଅଭିଯୋଗକାରିଣୀ ପୁଲିସ ଓ ତାଙ୍କ ଭାଇଙ୍କୁ ଫୋନ୍‌ କରି ଉଦ୍ଧାର କରିବାକୁ କହିଥିଲେ। ଅଭିଯୋଗକାରିଣୀଙ୍କ ଭାଇ ପହଞ୍ଚିବା ପୂର୍ବରୁ ବାଲିପାଟଣା ଥାନା ପୁଲିସ ପହଞ୍ଚି ଯାଇଥିଲା। ତେବେ ଯୁବତୀଙ୍କୁ ଆଶ୍ରମ ଭିତରୁ ଉଦ୍ଧାର କରିନଥିଲା। ଆଶ୍ରମଠାରୁ କିଛି ଦୂରରେ ଉଦ୍ଧାର କରିଥିଲା। ହେଲେ ଘଟଣାକୁ ଗୁରୁତ୍ବର ସହ ନେଇନଥିଲା। ଫଳରେ ଏବେ ପରିସ୍ଥତି ବିଗିଡ଼ି ଯାଇଛି।
ଅଭିଯୋଗକାରିଣୀଙ୍କ ଉପରେ ଚାପ
ଅଭିଯୋଗକାରିଣୀଙ୍କ ଉପରେ ପ୍ରବଳ ଚାପ ପଡ଼ିଛି। ତୁରନ୍ତ ମାମଲା ଉଠାଇବା ପାଇଁ ଧମକ ମିଳିବା ସହ ଇମୋସନାଲ ବ୍ଲାକମେଲ ମଧ୍ୟ କରାଯାଉଛି। ଫଳରେ ମାମଲା ପ୍ରତ୍ୟାହାର କରିବା ପାଇଁ ସେ ଚିନ୍ତା କରୁଥିବା ତାଙ୍କର ଜଣେ ଆତ୍ମୀୟ କହିଛନ୍ତି।

୧୨ ଦିନ ପରେ ତଦନ୍ତ
ଯୌନ ନିର୍ଯାତନା ନେଇ ଜଣେ ମହିଳା ଅଭିଯୋଗ କରିବାର ପ୍ରାୟ ୧୨ ଦିନ ପରେ ପୁଲିସ୍‌ ଆଜି ହଠାତ୍‌ ଚଳଚଞ୍ଚଳ ହୋଇଛି। ଆଜି ସନ୍ଧ୍ୟାରେ ଝିଣ୍ଟି ଶାସନସ୍ଥିତ ତ୍ରାହି ଅଚ୍ୟୁତ ଆଶ୍ରମରେ ବାଲିପାଟଣା ଥାନା ଭାରପ୍ରାପ୍ତ ଅଧିକାରୀ ଆକାଶ ରଣା, ତଦନ୍ତକାରୀ ଅଧିକାରୀ ସରସ୍ବତୀ ସାହୁ, ଏସିପି ଅମରେନ୍ଦ୍ର ପଣ୍ଡା ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସନ୍ଧ୍ୟା ସାଢ଼େ ୫ଟାରୁ ରାତି ସାଢ଼େ ୮ଟା ପର୍ଯ୍ୟନ୍ତ ତିନିଘଣ୍ଟା ଧରି ତଦନ୍ତ କରିଛନ୍ତି। ଆଶ୍ରମର ସିସିଟିଭି ଫୁଟେଜ୍‌ ଖୋଜିବା ସମେତ ଅନ୍ତେବାସୀଙ୍କ ସହ ଆଲୋଚନା କରିଛନ୍ତି। କିନ୍ତୁ କାହାରିକୁ ଗିରଫ କରିନାହାନ୍ତି। ଏତେ ଦିନ ପରେ ତଦନ୍ତ କାହିଁକି ହେଲା, ଅଭିଯୋଗ ହେବା ପରେ ପୁଲିସ କ’ଣ ପ୍ରମାଣ ଖୋଜୁଛି, ସେନେଇ ଚର୍ଚ୍ଚା ଜୋର୍‌ ଧରିଲାଣି।

ପ୍ରମାଣ ନଥିବାରୁ ଗିରଫ କରାଯାଇନି: ଡିସିପି
ଦୀର୍ଘ ୧୨ଦିନ ପରେ ତଦନ୍ତ ଆରମ୍ଭକୁ ନେଇ ଭିନ୍ନ କଥା କହିଛନ୍ତି ଡିସିପି ଅନୁପ ସାହୁ। ସେ କହିଛନ୍ତି ବିଳମ୍ବରେ ତଦନ୍ତ ହୋଇ ନାହିଁ। ପ୍ରଥମ ଦିନରୁ ହିଁ ତଦନ୍ତ ହୋଇଛି। ଯେହେତୁ ଅଭିଯୋଗ ହୋଇଥିବା ଘଟଣାରେ ସୁର ବାବାଙ୍କର ସମ୍ପୃକ୍ତିକୁ ନେଇ ପ୍ରମାଣ ମିଲିଲା ନାହିଁ, ସେଥିପାଇଁ କାର୍ଯ୍ୟାନୁଷ୍ଠାନ ହୋଇନି। ଆମେ ଏବେ ବି ପ୍ରମାଣ ଖୋଜୁଛି। ସିସିଟିଭି କିମ୍ବା ଅନ୍ୟ କୌଣସି ଉତ୍ସରୁ ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ନିଶ୍ଚୟ ହେବ। ଅନ୍ୟପଟେ ଅଭିଯୋଗକାରିଣୀ ମଧ୍ୟ ପଛଘୁଞ୍ଚା ଦେଉଥିବା ଅନୁମାନ କରାଯାଉଛି। ଅନେକଥର ଆମ ଆଡୁ ପଚରାଉଚରା ପାଇଁ ଯୋଗାଯୋଗ କରାଯାଇଥିବା ବେଳେ ଅଭିଯୋଗକାରୀଙ୍କଠାରୁ ସେହିପରି ସହଯୋଗ ମିଳିପାରି ନାହିଁ। ପୁର୍ବରୁ ଯେହେତୁ ଏଠାରେ ଗଣ୍ଡଗୋଳ ହୋଇଥିଲା, ସେଥିପାଇଁ ଆଶ୍ରମ ପରିସରରେ ପୁଲିସ ପାଟ୍ରୋଲିଂ ଭ୍ୟାନ୍‌ ପଇଁତରା ମାରିବା ପାଇଁ ପଠାଯାଇଛି।

ଆଶ୍ରମକୁ ବଦନାମ କରିବା ପାଇଁ ଯୋଜନା
ଆଗକୁ ଯଜ୍ଞ ଅଛି। ଆଶ୍ରମରେ ଲକ୍ଷ ଲକ୍ଷ ଭକ୍ତଙ୍କର ସମାଗମ ହେବ। ଆଶ୍ରମ ପକ୍ଷରୁ ଏଥିପାଇଁ ଜୋରଦାର୍ ପ୍ରସ୍ତୁତି ଚାଲିଛି। ଏହି ସମୟରେ ଏଭଳି ଅଭିଯୋଗ ଆଣି ଏହାକୁ ଭଣ୍ଡୁର କରିବା ପାଇଁ ଯୋଜନା ହୋଇଛି ବୋଲି ଆଶ୍ରମର ଜଣେ ଅନ୍ତେବାସୀ କହିଛନ୍ତି। ବାବାଙ୍କ ପାଖକୁ ଅଧିକାଂଶ ସମୟରେ ବହୁ ଲୋକ ପାରିବାରିକ ସମସ୍ୟା ସହ ବିଭିନ୍ନ କାମ ନେଇ ଆସୁଛନ୍ତି। କେଉଁଠି କାହାର କାମ ନ ହେଲେ କିମ୍ବା ବ୍ୟକ୍ତିଗତ ଆକ୍ରୋଶ ରଖି ଏଭଳି ଅଭିଯୋଗ କରାଯାଉଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର