ଭୁବନେଶ୍ୱର ଆର୍ଟ ଫେୟାର : ମନ ଜିଣୁଛି ଦେଢ଼ଶହ ଶିଳ୍ପୀଙ୍କ ସୃଜନ ସାମଗ୍ରୀ

ଭୁବନେଶ୍ୱର : ଆଧୁନିକ ତଥା ପାରମ୍ପରିକ ଚିତ୍ରକଳାର ସମ୍ଭାର ସହ ରବିବାରଠାରୁ ଆରମ୍ଭ ହୋଇଛି ପ୍ରଥମ ‘ଭୁବନେଶ୍ୱର ଆର୍ଟ ଫେୟାର’। ସ୍ଥାନୀୟ ଲଲିତ କଳା ଏକାଡେମିଠାରେ ‘ମାଗାଜିନ୍‌’ ଓ ‘ସୁଭଦ୍ରା ଟ୍ରଷ୍ଟ’ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ମେଳାରେ ପ୍ରାୟ ୧୫୦ଜଣ କଳାଶିଳ୍ପୀ ଅଂଶଗ୍ରହଣ କରି ନିଜ ସୃଜନଶୀଳତା ପ୍ରଦର୍ଶନ କରିଛନ୍ତି। କିଏ ଏଠାରେ ନିଜ କଳା ମାଧ୍ୟମରେ କଇଁଛ ସଂରକ୍ଷଣ ପାଇଁ ସଚେତନତା ସୃଷ୍ଟି କରିଛି ତ’ ପୁଣି କିଏ ସମୟ ସହ ହଜିଯାଉଥିବା ପାରମ୍ପରିକ ସାମଗ୍ରୀକୁ ସଂଗୃହ କରି ପ୍ରଦର୍ଶନ କରୁଛି। ସେହିପରି କିଏ ବିନା ରଙ୍ଗତୂଳୀ ବ୍ୟବହାରରେ କାଠ ଖୋଦେଇ କାମ କରିଛି, ପୁଣି କିଏ ସଉରା ପେଣ୍ଟିଂର ଅସ୍ତିତ୍ୱକୁ ହଜିଯିବାକୁ ଦେଇନି।

ପାରମ୍ପରିକ ଡିବିର ସମ୍ଭାର

ବିଦ୍ୟୁତ୍‌ର ଏତେ ବ୍ୟାପକ ବ୍ୟବହାର ନଥିବା ସମୟରେ ସଂଧ୍ୟା ପରେ ପ୍ରତ୍ୟେକ ଘରେ ଜଳି ଉଠୁଥିଲା ‘ଡିବି’ର ଧପ୍‌ ଧପ୍‌ ଆଲୋକ। ଏହା ଯେ, କେବଳ ଅନ୍ଧାର ଦୂର କରୁଥିଲା, ତାହା ନୁହେଁ, ପରମ୍ପରାର ଏକ ଚିହ୍ନ ଭାବେ ମଧ୍ୟ ଦଣ୍ଡାୟମାନ ଥିଲା। ଏପରିକି ବିବାହ ବେଳେ ଝିଅଟିଏ ଶାଶୂଘରକୁ ଯୌତୁକରେ ଡିବିଟିଏ ନିଶ୍ଚେ ଆଣୁଥିଲା। ହେଲେ ଆଜିର କମ୍ପ୍ୟୁଟର୍‌ ଯୁଗରେ ଡିବି ହଜିଗଲାଣି। କିନ୍ତୁ ଅତୀତରେ ବ୍ୟବହୃତ ଏହି ସାମଗ୍ରୀକୁ କାଚ ବାକ୍ସ ଭିତରେ ବନ୍ଦ କରି ପରପିଢ଼ିକୁ ଦେଖାଇବାକୁ ଅଣ୍ଟା ଭିଡ଼ିଛନ୍ତି ରଣଜିତ୍‌ ସାହୁ। ନୟାଗଡ଼ କଣ୍ଟିଲୋରୁ ଆସିଥିବା ଶ୍ରୀ ସାହୁ ଏବେ ସୁଦ୍ଧା ଖଣ୍ଡପଡ଼ା, ଖଳି ସାହି, ଗଣିଆ ଓ କଣ୍ଟିଲୋ ଆଦି ଅଞ୍ଚଳରୁ ପ୍ରାୟ ୭୦ରୁ ଊର୍ଧ୍ୱ ବିଭିନ୍ନଧରଣର ‘ଡିବି’ ଓ ପ୍ରାୟ ୧୫ଟି ଭିନ୍ନ ଭିନ୍ନ ଲଣ୍ଠନ ମଧ୍ୟ ସଂଗ୍ରହ କରିଛନ୍ତି। ବର୍ତ୍ତମାନ ସେ ଆର୍ଟ ଫେୟାରକୁ ୪୦ଟି ଡିବି ଆଣିଛନ୍ତି। ଏଥିମଧ୍ୟରେ ରହିଛି ଗଣିଆର ଡୋକ୍ରା ଡିବି, କଣ୍ଟିଲୋର ପତ୍ରା ଡିବି, ରାଜ ରାଜକୀୟ ସମୟରେ ବ୍ୟବହୃତ ବିଭିନ୍ନ ଡିବି ସହ ସ୍ଥାନୀୟ ଲୋକମାନେ କାଚ ବୋତଲ, ଟିଣ ଡବା, ଔଷଧ ଶିଶିରେ ସାଇକେଲ ଟ୍ୟୁବ୍‌ ଖଞ୍ଜି ତିଆରି ହୋଇଥିବା ବିଭିନ୍ନ ଧରଣର ଡିବି। ଶ୍ରୀ ସାହୁ କୁହନ୍ତି, ଗାଁ ଗହଳିକୁ ଏବେ ବିଦ୍ୟୁତ୍‌ ସଂଯୋଗ ଫଳରେ ଲୋକମାନେ ଏସବୁ ଡିବି ଫୋପାଡ଼ି ଦେଉଛନ୍ତିି। ଏଭଳି ବହୁ ଡିବି ବାହାରେ ପଡ଼ିଥିବା ଦେଖି ମୁଁ ଏହାକୁ ସଂଗ୍ରହ କଲି। ଆଗକୁ ଓଡ଼ିଶାର ବିଭିନ୍ନ ଜିଲ୍ଲା ତଥା ରାଜ୍ୟ ବାହାରୁ ବିଭିନ୍ନ ପ୍ରକାର ଡିବି ଓ ଲଣ୍ଠନ ସଂଗ୍ରହ କରି ପରପିଢ଼ି ପାଇଁ ସଂରକ୍ଷିତ କରି ରଖିବି।

ସମ୍ବନ୍ଧିତ ଖବର