କରୋନା ଓ ଟିକାକୁ ନେଇ ଏବେ ମଧ୍ୟ ସାଧାରଣ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ ରହିଛି। ଭାରତରେ ଏବେ କରୋନାର ଦ୍ବିତୀୟ ଲହରକୁ ନେଇ ପୁଣିଥରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସେହିପରି ଭାରତରେ ଉପଲବ୍ଧ ଟିକା କେତେ ସୁରକ୍ଷିତ ଓ କେତେ ପ୍ରଭାବୀ, ସେ ସଂପର୍କରେ ବି ଲୋକଙ୍କ ନିକଟରେ ଠିକ୍ ତଥ୍ୟ ନାହିଁ। ଅଶ୍ବିନୀ ହସ୍ପିଟାଲର ୧୫ ବର୍ଷ ପୂର୍ତ୍ତି ଅବସରରେ ଗତ ଶନିବାର ଆୟୋଜିତ ‘ଅଶ୍ବିନୀ ସ୍ବାସ୍ଥ୍ୟ ସମ୍ମିଳନୀ’ରେ ବହୁ ବିଶିଷ୍ଟ ଚିକିତ୍ସକ ଯୋଗଦେଇ ଏ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ। କୋଭିଡ୍ ଯୋଦ୍ଧା ଭାବେ ରାଜ୍ୟର କିଛି ବିଶିଷ୍ଟ ଚିକିତ୍ସକଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ, ଯୁଗ୍ମ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ଅଶ୍ବିନୀ ହସ୍ପିଟାଲ ଗ୍ରୁପ୍ର ପ୍ରତିଷ୍ଠାତା ଡା.ମାୟା ଗନ୍ତାୟତ, ପ୍ରଫେସର ସିବିକେ ମହାନ୍ତି, ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀଙ୍କ ଭଳି ବହୁ ବିଶିଷ୍ଟ ଅତିଥିଙ୍କ ସହ ବରିଷ୍ଠ ଓ ଅଭିଜ୍ଞ ଡାକ୍ତରମାନେ ଯୋଗ ଦେଇଥିଲେ। ସମ୍ମିଳନୀର ଦୁଇଟି ଯାକ ଅଧିବେଶନକୁ ପରିଚାଳନା କରିଥିଲେ କନକ ନ୍ୟୁଜ୍ର ସଂପାଦକ ମନୋରଂଜନ ମିଶ୍ର।
ନିୟମାବଳି ମାନିବାକୁ ହେବ
ଆମ ଶରୀରରେ ଆଣ୍ଟିବଡି ବଢ଼ିଲେ ଆମ ଭୂତାଣୁ ସହିତ ଆହୁରି ସୁଦୃଢ଼ ଭାବେ ଲଢ଼ି ପାରିବା। ମାତ୍ର ଆଣ୍ଟିବଡି ବଢ଼ିଲେ ଯେ ଆଉ ସଂକ୍ରମଣ ହେବ ନାହିଁ, ତାହା ଭାବିବା ଭୁଲ୍। କାରଣ ବର୍ତ୍ତମାନ କେରଳ, ତାମିଲନାଡ଼ୁ, କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ସେମାନେ ବି ଆମ ଭଳି ନିଜ ନିଜ ଆଣ୍ଟିବଡି ବଢ଼ାଇଛନ୍ତି। କିନ୍ତୁ ସେଠି ଆକ୍ରାନ୍ତ ସଂଖ୍ୟା କାହିଁକି ବଢ଼ୁଛି, ଏହା ଭାବିବାକୁ ପଡ଼ିବ। ତେଣୁ ଆମେ ଆଣ୍ଟିବଡି ବଢ଼ାଇ ଦେଇଛନ୍ତି ଭାବି ଆତ୍ମସନ୍ତୋଷରେ ରହିଲେ ହେବ ନାହିଁ। ଆମକୁ ଯାହା କରୋନାର ନିୟମାବଳି ରହିଛି ଅର୍ଥାତ୍ ହାତ ଧୋଇବା, ମାସ୍କ୍ ପିନ୍ଧିବା, ଭିଡ଼କୁ ଯିବା ନାହିଁ, ସାମାଜିକ ଦୂରତା ରକ୍ଷା କରିବା ଆଦି ଉପରେ ଗୁରୁତ୍ବ ଦେବାକୁ ପଡ଼ିବ। କରୋନାରେ ପୀଡ଼ିତ ହୋଇ ଫୁସ୍ଫସ୍ଜନିତ ସମସ୍ୟା ସୃଷ୍ଟି ହୋଇଥିବା ଲୋକ ଏବେ ଧୀରେଧୀରେ ସେ ସମସ୍ୟାରୁ ମୁକୁଳି ସ୍ବାଭାବିକ ଜୀବନକୁ ଫେରିଲେଣି। ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଯଦି ଉପଯୁକ୍ତ ସମୟରେ ଆମେ ଏହାର ଚିକିତ୍ସା କରାଇନେବା, ତେବେ ଏହା କ୍ଷତିକାରକ ସାବ୍ୟସ୍ତ ହେବ ନାହିଁ।
ନୂଆ ଷ୍ଟ୍ରେନ୍କୁ ରୋକିବା ପାଇଁ ଆମକୁ ସଂକ୍ରମଣ ହାରକୁ କମାଇବାକୁ ପଡ଼ିବ। ତେବେ ବ୍ରାଜିଲ୍ରେ ଦେଖାଯାଉଥିବା ପି୧ ଷ୍ଟ୍ରେନ୍ କେବଳ ସେହି ଦେଶର ୬ଟି ସହରରେ ଦେଖାଯାଉଛି। ଏହାର ଭୂତାଣୁ ଆମ ଶରୀରରେ ତିଆରି ହେଉଥିବା ଆଣ୍ଟିବଡିଠାରୁ ୬ଗୁଣା ଅଧିକ ଶକ୍ତିଶାଳୀ। ମାତ୍ର ଆମ ଦେଶରେ ଯେଉଁ ଟିକା ତିଆରି ହୋଇଛି, ଏହା ପି୧ ଷ୍ଟ୍ରେନ୍କୁ ନିୟନ୍ତ୍ରଣ କରିପାରିବ। ତେଣୁ ପି୧ ଷ୍ଟ୍ରେନ୍କୁ ନେଇ ବ୍ୟସ୍ତ ନ ହୋଇ ତାଙ୍କ ଲୋକଙ୍କ ଭୁଲ୍ରୁ ଆମେ ଶିଖିବା। ଅର୍ଥାତ୍ ବ୍ରାଜିଲ୍ର ଲୋକେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବାକୁ ନେଇ କୌଣସି ଗୁରୁତ୍ବ ଦେଇନଥିଲେ, ଯାହା ବର୍ତ୍ତମାନ ତାଙ୍କ ପାଇଁ ବିପଦ ସାଜିଛି।
ଫୁସ୍ଫୁସ୍ଜନିତ କରୋନାକୁ ନେଇ ସତର୍କ ରହିବାକୁ ହେବ
କରୋନା ଯେତେ ବଢ଼ୁଛି, ଆମେ ସେ ବିଷୟରେ ସେତେ ଅଧିକ କଥା ଜାଣି ପାରୁଛେ। ସମୟ ଅନୁସାରେ ଆମେ ଚିକିତ୍ସାର ଲକ୍ଷ୍ୟ ମଧ୍ୟ ପରିବର୍ତ୍ତନ କରୁଛେ। ପ୍ରଥମେ ଏହାର ସଂକ୍ରମଣ ହାର କମ୍ କରିବା ଉପରେ ଗୁରୁତ୍ବ ଦେଇଥିଲେ। ଏହା ପରେ କରୋନାରୁ ବ୍ୟାପୁଥିବା ନିମୋନିଆ ସମେତ ଅନ୍ୟାନ୍ୟ ରୋଗକୁ ଭଲ କରିବା ପାଇଁ ତାଙ୍କୁ ଭେଣ୍ଟିଲେଟର୍ରେ ରଖିବା କି ଅନ୍ୟ କୌଣସି ପଦକ୍ଷେପ ନେବା ଉପରେ ଗୁରୁତ୍ବ ଦେଉଥିଲେ। ତେବେ ଯଦି ଜଣେ ସଂକ୍ରମିତ ବ୍ୟକ୍ତି ଦୀର୍ଘ ଦିନ ଧରି ବା ଏକ ମାସ ଧରି କରୋନାରେ ଆକ୍ରାନ୍ତ ହୋଇ ରହୁଛି, ତେବେ ଏହାକୁ ଫୁସ୍ଫୁସ୍ଜନିତ କରୋନା ବୋଲି କହୁଛୁ। ଏହି ଲୋକଙ୍କ ସଂଖ୍ୟା ଧୀରେଧୀରେ ବଢ଼ୁଛି। ତେବେ ସାରା ବିଶ୍ବରେ ପ୍ରାୟ ୧୦ରୁ ୧୫ ପ୍ରତିଶତ କରୋନା ସଂକ୍ରମିତ କରୋନାରୁ ଭଲ ହୋଇ ଆସିବା ପରେ ବି ତାଙ୍କ ପାଖରେ କରୋନା ଲକ୍ଷଣ ଦେଖାଯାଉଛି ଏବଂ ତାଙ୍କୁ ଚିକିତ୍ସା ଦରକାର ହେଉଛି। ଦେଖାଯାଉଛି ଯେ କରୋନା ଯୋଗୁଁ ସଙ୍ଗେ ସଙ୍ଗେ ଅନ୍ୟ କୌଣସି ରୋଗ ହୋଇନି। ପୂର୍ବରୁ ଦେହରେ ଥିବା ଅନ୍ୟାନ୍ୟ ରୋଗ କରୋନାର ପ୍ରବେଶରେ ସକ୍ରିୟ ହୋଇ ଦେହକୁ ଅଧିକ ଦୁର୍ବଳ କରୁଛନ୍ତି। ଏନେଇ ଆମକୁ ରୋଗୀଙ୍କ ସହ ସମୟ ନେଇ କଥା ହେବାକୁ ପଡ଼ିବ। ଟିକାକରଣ ପ୍ରତି ମନରେ ଥିବା ଡରକୁ ଦୂରେଇବାକୁ ପଡ଼ିବ। ବିଶେଷକରି ଯେଉଁମାନେ ଟିକା ନେବା ପାଇଁ ଚିହ୍ନଟ ହୋଇଛନ୍ତି ବା ଟିକା ସେମାନଙ୍କୁ ନିହାତି ଆବଶ୍ୟକ, ସେମାନଙ୍କୁ ଟିକାକରଣରେ ଉତ୍ସାହିତ କରିବାକୁ ପଡ଼ିବ।
ଡା.ସମ୍ପତ୍ ଦାଶ
ଛାତିରୋଗ ବିଶେଷଜ୍ଞ, ଅଶ୍ବିନୀ ହସ୍ପିଟାଲ
ଟିକାକରଣର ବ୍ୟାପକ ପ୍ରଚାରପ୍ରସାର ଲୋଡ଼ା
ଆମ ଦେଶରେ ବୟସ୍କଙ୍କୁ ଟିକାକରଣ କରାଇବାର ସଂସ୍କୃତି ବା ନିୟମ କେବେ ବିକଶିତ କରାଯାଇନାହିଁ। ଉଦାହରଣ ସ୍ବରୂପ, ୨୦୦୯ରେ ଯେତେବେଳେ ସ୍ବାଇନ୍ ଫ୍ଲୁ୍’ ହୋଇଥିଲା ଏତେ ବଡ଼ଧରଣର ଟିକାକରଣ ଦେଶରେ ହୋଇନଥିଲା। ଯେଉଁମାନେ ସ୍ବାଇନ୍ ଫ୍ଲୁ’ର ଚିକିତ୍ସା କରୁଥିଲେ, ସେହିମାନେ ହିଁ ପ୍ରତିବର୍ଷ ଟିକା ନେଉଥିଲେ। ତେବେ ରାଜ୍ୟରେ ସବୁଠାରୁ ଗୁରୁତର ରୋଗ ନିମୋନିଆ ଫୁସ୍ଫୁସ୍କୁ ସଂକ୍ରମିତ କରିବା ପରେ ଅଧିକାଂଶ ଲୋକେ ଆଇସିୟୁରେ ହିଁ ମୃତ୍ୟୁବରଣ କରନ୍ତି। ତେଣୁ ଉଭୟ ସ୍ବାଇନ୍ ଫ୍ଲୁ’ ଓ ନିମୋନିଆ ରୋଗ ପାଇଁ ଇନଫ୍ଲୁଏଞ୍ଜା ଟିକା ଓ ନିମୋନିଆ ଟିକା ପ୍ରତିବର୍ଷ ବୟସ୍କଙ୍କ ପାଇଁ ନେବାକୁ ବାଧ୍ୟତାମୂଳକ ରହିଛି। ମାତ୍ର କେହି ଏଥିପ୍ରତି ସଚେତନ ନାହାନ୍ତି। ଯେଉଁଥିପାଇଁ ଟିକା ନେବାର ପରମ୍ପରା ଦେଶରେ ତିଆରି ହୋଇନାହିଁ। ବୟସ୍କମାନେ ମଧ୍ୟ ଟିକା ନେବାକୁ ଗୁରୁତ୍ବପୂର୍ଣ୍ଣ ଭାବୁ ନାହାନ୍ତି। ସେହିଭଳି ଅନେକ ଲୋକ ଡାଇବେଟିସ୍, ରକ୍ତଚାପ ତଥା ଅନ୍ୟାନ୍ୟ ମାରାତ୍ମକ ରୋଗରେ ପୀଡ଼ିତ ହୋଇ ଉପଚାର ପାଇଁ ବିଭିନ୍ନ ଔଷଧ ସେବନ କରୁଛନ୍ତି। ଏହି ଅବସରରେ ସେମାନେ ଟିକା ନେବେ କି ନାହିଁ, ସେନେଇ ମେଡିକାଲ କମ୍ୟୁନିଟି ଲୋକଙ୍କ ମନରୁ ଦ୍ବନ୍ଦ୍ବ ଦୂର କରୁନାହାନ୍ତି। ଯାହା ଟିକାକରଣରେ ଆଉ ଏକ ସମସ୍ୟା ହୋଇ ରହିଛି। ତେଣୁ ଟିକା ପ୍ରସଙ୍ଗରେ ଏହାର ବ୍ୟାପକ ପ୍ରଚାରପ୍ରସାର କରାଯିବା ଉଚିତ। ବସ୍ତି ଅଞ୍ଚଳରେ ଲୋକେ କରୋନାକୁ ମହାମାରୀ ଭାବେ ଆଜି ପର୍ଯ୍ୟନ୍ତ ବିବେଚନା କରିନାହାନ୍ତି। ଯାହା ଆଉ ଏକ ସମସ୍ୟା ଭାବେ ଉଭା ହୋଇଛି। ସାମାଜିକ ଗଣମାଧ୍ୟମରେ ବ୍ୟାପୁଥିବା ନକାରାତ୍ମକ ଖବରକୁ ମଧ୍ୟ ରୋକ୍ ଲଗାଇବାକୁ ପଡ଼ିବ। ଉଭୟ କୋଭିସିଲ୍ଡ୍ ଓ କୋଭାକ୍ସିନ୍ ନେବା ପରେ ବି ଆମେ ମାସ୍କ ପିନ୍ଧିବା ଅନିର୍ବାଯ୍ୟ। କାରଣ ଟିକା ନେବା ପରେ ଏହା ଶରୀରରେ ଥିବା ସାଙ୍ଘାତିକ ରୋଗକୁ ନିପାତ କରିବା ସହିତ ଆଣ୍ଟିବଡି ବଢ଼ାଏ। ତେଣୁ ଟିକା କେବଳ ରୋଗରୁ ଆପଣଙ୍କୁ ରକ୍ଷା କରିବ; ସଂକ୍ରମିତ ହେବାରୁ ବଞ୍ଚାଇ ପାରିବ ନାହିଁ।
ସମୀର ସାହୁ, ମୁଖ୍ୟ ଇଣ୍ଟେନ୍ସିଭିଷ୍ଟ, ଆମ୍ରି ହସ୍ପିଟାଲ
ଟିକାକୁ ନେଇ ଦ୍ବନ୍ଦ୍ବ ରହିବା ଅନୁଚିତ
ଟିକାକରଣକୁ ନେଇ ସନ୍ଦେହ ସୃଷ୍ଟି ହେବା ପଛରେ ମୁଖ୍ୟତଃ ଦୁଇଟି କାରଣ ରହିଛି। ପ୍ରଥମଟି ହେଉଛି ଖୁବ୍ଶୀଘ୍ର ଟିକା ଆସିବା, ଦ୍ବିତୀୟଟି ଭୁଲ୍ ଖବର। ଏହି ସନ୍ଦେହ ଦୂର କରିବା ପାଇଁ ଗଣମାଧ୍ୟମର ଆବଶ୍ୟକତା ରହିଛି। ଲୋକଙ୍କ ଆଦର୍ଶ ବା ରୋଲ୍ ମଡେଲ୍ ଯେପର୍ଯ୍ୟନ୍ତ ଟିକା ନେଇନାହାନ୍ତି, ଲୋକଙ୍କ ମନରୁ ଭୟ ଯିବ ନାହିଁ। ତେବେ ବର୍ତ୍ତମାନ ପର୍ଯ୍ୟାୟରେ ପ୍ରାୟ ସମସ୍ତେ ପ୍ରତିଷ୍ଠିତ ବ୍ୟକ୍ତିମାନେ ଟିକା ନେବା ପରେ ଆଉ କୌଣସି ସମସ୍ୟା ନାହିଁ। କୋଭିସିଲ୍ଡ୍ ଓ କୋଭାକ୍ସିନ୍ ଦୁଇଟି ଯାକ ଟିକା ସଫଳ ଭାବେ ପରୀକ୍ଷଣ ହେବା ପରେ ବ୍ୟବହାରଉପଯୋଗୀ ପାଇଁ ଦିଆଯାଇଛି। ଏହା ବ୍ୟତୀତ କ୍ଲିନିକାଲ୍ ଟ୍ରାଏଲ୍ ମୋଡ୍ରେ ଆଇସିଏମ୍ଆର୍ ଓ ଭାରତ ବାୟୋଟେକ୍ କୋଭାକ୍ସିନ୍ର ମିଳିତ ଭାବେ ପ୍ରକିୟାକରଣ କରିଛନ୍ତି। ଆର୍ଏମ୍ଆର୍ସି ଦ୍ବାରା ୭ମ ଓ ୨୮ତମ ଦିନରେ ଲୋକଙ୍କୁ ଦିଆଯାଇଥିବା ଟିକାର ପରୀକ୍ଷଣ କରିବା ସହିତ ଲୋକଙ୍କ ପାର୍ଶ୍ବପ୍ରତିକ୍ରିୟା ସମ୍ପର୍କରେ ସାରା ଭାରତରୁ ତଥ୍ୟ ସଂଗ୍ରହ କରିଥିଲା। ଏହା ପରେ ଏହାକୁ ବ୍ୟବହାର ପାଇଁ ଛଡ଼ା ଯାଇଥିଲା। ଆଗାମୀ ଦିନରେ ପ୍ରାୟ ୧୬ରୁ ଅଧିକ ଟିକା ଆସିବ। ଯେତେବେଳେ ଯେଉଁ ଟିକା ମିଳୁଛି, କିଛି ବାଛ ବିଚାର ନକରି ନେଇଯିବା ଭଲ।
ଡା.ସଂଘମିତ୍ରା ପତି
ନିର୍ଦ୍ଦେଶିକା, ଆଞ୍ଚଳିକ ଚିକିତ୍ସା ଅନୁସନ୍ଧାନ କେନ୍ଦ୍ର