ଏସିଆ ଓସେନିଆ ଯୋଗ୍ୟତା ପର୍ଯ୍ୟାୟ: ଭାରତୀୟ ଯୁବ ଦଳରେ ଦେବାଶିଷ ଓ ସୋହିନୀ

ଭୁବନେଶ୍ବର: ଓଡ଼ିଶା ଟେନିସ୍ ପାଇଁ ଶନିବାର ବଡ଼ ଖୁସି ଖବର ମିଳିଛି। ରାଜ୍ୟର ଦୁଇ ଉଦୀୟମାନ ଟେନିସ୍ ପ୍ରତିଭା ଦେବାଶିଷ ସାହୁ ଓ ସୋହିନୀ ଏସ ମହାନ୍ତି ଭାରତୀୟ ଯୁବ ଦଳରେ ସ୍ଥାନ ପାଇଛନ୍ତି। ଏପ୍ରିଲ୍ ମାସରେ ନୂଆଦିଲ୍ଲୀର ଡିଏଲ୍‌ଟିଏ କଂପ୍ଲେକ୍ସରେ ଖେଳାଯିବାକୁ ଥିବା ଏସିଆ ଓସେନିଆ ଯୋଗ୍ୟତା ପର୍ଯ୍ୟାୟ ଲାଗି ଘୋଷିତ ଦୁଇ ଦଳରେ ଏମାନେ ଭାରତର ପ୍ରତିନିଧିତ୍ବ କରିବେ। ଦେବାଶିଷ ୧୬ ବର୍ଷରୁ କମ୍‌ ୪ ଜଣିଆ ଦଳରେ ସ୍ଥାନ ପାଇଥିବା ବେଳେ ସୋହ‌ିନୀ ୧୪ ବ‌ର୍ଷରୁ କମ୍‌ ବାଳିକା ଦଳରେ ସୁଯୋଗ ହାତେଇଛନ୍ତି। ପ୍ରତିଯୋଗିତାର‌ ଗୋଟିଏ ସପ୍ତାହ ପୂର୍ବରୁ ଏକ ସପ୍ତାହ ଧରି ଏକ ପ୍ରସ୍ତୁତି ଶିବିର ଅନୁଷ୍ଠିତ‌ ହେବ। ଦେବାଶିଷଙ୍କ ଅଭିଯାନ ଏପ୍ରିଲ୍‌ ୧୧ରୁ ଏବଂ ସୋହିନୀଙ୍କ ଅଭିଯାନ ଏପ୍ରିଲ୍‌ ୧୮ରୁ ଆରମ୍ଭ ହେବ। ଓଡ଼ିଶା ଟେନିସ୍ ପାଇଁ ଏହା ଅପୂର୍ବ ଉପଲବ୍‌ଧି ବୋଲି ବିବେଚନା କରାଯାଉଛି। ପଟିଆସ୍ଥିତ ଟେନିସ୍ କୋର୍ଟରେ ପ୍ରଶିକ୍ଷକ ଫାରହାନ୍‌ ଅଲୀଙ୍କ ଅଧିନରେ ପ୍ରଶିକ୍ଷିତ ଏହି ଦୁଇ ଖେଳାଳିଙ୍କ ଉତ୍‌ଥାନ କାରଣରୁ ସେମାନଙ୍କ ବିଦ୍ୟାଳୟ କିଟ୍‌ ଇଣ୍ଟରନ୍ୟାସନାଲ୍ ସ୍କୁଲ୍‌ରେ ମଧ୍ୟ ଖୁସିର ଲହରି‌ ଖେଳିଯାଇଛି। କିସ୍‌ ଓ କିଟ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଉଭୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସୋହିନୀ ଉପ ବିଜୟିନୀ
ଜାତୀୟ ଦଳରେ ସୁଯୋଗ ପାଇବା ଦିନ ହିଁ ୧୩ ବର୍ଷୀୟା ସୋହିନୀ ଏକ ଜାତୀୟ ପ୍ରତିଯୋଗିତାରେ ଉପ ବିଜୟିନୀ ହୋଇଛନ୍ତି। ଭିଲାଇରେ ଅନୁଷ୍ଠିତ ଆଇଟିଏଫ୍‌ ୧୮ ବର୍ଷରୁ କମ୍‌ ବିଶ୍ବ ମାନ୍ୟତା ପ୍ରତିଯୋଗିତାରେ ସୋହିନୀ ଆମେରିକାର ସାଇନା ଦେଶଙ୍କଠାରୁ ୦-୬, ୦-୨ରେ ପଛୁଆ ଥିବାବେଳେ ଆହତ କାରଣରୁ ଓହରିଯାଇଥିଲେ। ପୂର୍ବଦିନ ରିୟା ଡଗରଙ୍କୁ ୭-୬, ୪-୬, ୭-୬ରେ ପରାସ୍ତ କରି ଫାଇନାଲ୍‌ରେ ପହଞ୍ଚିଥିଲେ। ୧୩ ବର୍ଷ ବୟସରେ ଏକ ଆଇଟିଏଫ୍ ପ୍ରତିଯୋଗିତାର ଫାଇନାଲ୍‌ରେ ପହଞ୍ଚିବା ଏକ ବଡ଼ ସଫଳତା ବୋଲି ତାଙ୍କ ପ୍ରଶିକ୍ଷକ ଫାରହାନ୍‌ ପ୍ରକାଶ କରିଛନ୍ତି। ସେହିଭଳି ପୂର୍ବଦିନ ଫାରହାନ୍‌ଙ୍କ ଅନ୍ୟତମ ଶିଷ୍ୟା ଆରାଧ୍ୟା ବର୍ମା ହରିୟାଣାର କର୍ଣ୍ଣଲରେ ଅନୁଷ୍ଠିତ ସିଏସ୍‌ ୧୬ ବର୍ଷରୁ କମ୍‌ ବାଳିକା ଏକକ ବିଜେତା ହୋଇଥିଲେ। ଯୁଗଳ ବର୍ଗରେ କିନ୍ତୁ ଉପ ବିଜୟିନୀ ହୋଇଥିଲେ।

ସମ୍ବନ୍ଧିତ ଖବର