ଜବରଦଖଲରେ କିନ୍ନର ଗୁଣ୍ଡା; ଘରେ ପଶି ବରିଷ୍ଠ ନାଗରିକଙ୍କୁ ଆକ୍ରମଣ, ପାଚେରି ଓ ଗେଟ୍ ଭାଙ୍ଗିଦେଲେ

ଭୁବନେଶ୍ବର : ଜମି ଜବରଦଖଲ, ରାସ୍ତା କବ୍‌ଜା ତଥା ବିଭିନ୍ନ ଗଣ୍ଡଗୋଳରେ ଏବେ କିଛି କିନ୍ନର ଗୁଣ୍ଡା ସାଜିଛନ୍ତି । ଗୁରୁବାର ଭରତପୁର ଦୁର୍ଗାମାଧବନଗର ଅଞ୍ଚଳରେ ଏକ ଜମିଜମା ବିବାଦକୁ କେନ୍ଦ୍ର କରି ଜଣେ ବ୍ୟକ୍ତି କିଛି କିନ୍ନର ଓ ଅସାମାଜିକଙ୍କୁ ଆଣି ନିର୍ଦ୍ଦିଷ୍ଟ ପରିବାର ଲୋକଙ୍କୁ ଆକ୍ରମଣ କରିଥିବା ଅଭି‌ଯୋଗ ହୋଇଛି। ସେମାନେ ତାଙ୍କ ଘରର ପାଚେରି ଭାଙ୍ଗିବା ସହିତ ଗ୍ରିଲ ଓପାଡ଼ି ଫୋପାଡ଼ି ଦେଇଛନ୍ତି। ଏ ନେଇ ଭରତପୁର ଥାନାରେ ଅଭିଯୋଗ ହେବା ପରେ ଆଜି ଶ୍ୟାମପୁର ଆଞ୍ଚଳିକ ଉନ୍ନୟନ ପରିଷଦ ମଧ୍ୟ ଆକ୍ରମଣକାରୀ କିନ୍ନର ଓ ଅନ୍ୟ ଦୁର୍ବୃତଙ୍କ ବିରୋଧରେ ଅଭିଯୋଗ କରିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ ଦୁର୍ଗାମାଧବନଗରର ନୀଳକଣ୍ଠ ବିଶ୍ବାଳ ଗତ ୭ବର୍ଷ ହେବ ସେଠାରେ ଘର ତିଆରି କରି ରହୁଛନ୍ତି। ତେବେ ଘର ତିଆରି ସମୟରେ ସେଠାରେ ରାସ୍ତା ପାଇଁ ଜାଗା ନଥିବାରୁ ସ୍ଥାନୀୟ ଲୋକଙ୍କ ଆପୋସ ବୁଝାମଣାରେ ରାସ୍ତା ପାଇଁ କିଛି ଜାଗା ଛାଡ଼ିବାକୁ ନିଷ୍ପତ୍ତି ହୋଇଥିଲା। ମାତ୍ର ପରବର୍ତ୍ତୀ ସମୟରେ କିଛି ଲୋକ ବୁଝାମଣାରୁ ଓହରି ଯିବାରୁ ଜମିକୁ ନେଇ ବିବାଦ ଦେଖାଦେଇଥିଲା। ତେଣୁ ନୀଳକଣ୍ଠ ପଛ ପାର୍ଶ୍ବରେ ଥିବା ଘର ମାଲିକ ରାଜେଶ କୁମାର ରାଉତରାୟ ଏନେଇ ତାଙ୍କୁ ଜାଗା ଛାଡ଼ିବାକୁ ଚାପ ପକାଉଥିଲେ। ମାତ୍ର ସେ ରାଜି ନ ହେବାରୁ ସେ କିଛି କିନ୍ନରଙ୍କୁ ଭଡ଼ାଟିଆ ଗୁଣ୍ଡା ଭାବେ ବ୍ୟବହାର କରିବା ସହିତ ନୀଳକଣ୍ଠଙ୍କ ଘରର ଗେଟ୍ ଓ ପାଚେରି ଭାଙ୍ଗିଥିଲେ। ଏହାକୁ ବିରୋଧ କରିବାରୁ ଉଭୟ ପରିବାର ହାତାହାତି ହେବା ସହିତ କିନ୍ନରଙ୍କ ସହ ମାର୍‌ପିଟ୍ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର