ପରିବେଶ ସୁରକ୍ଷା ସଚେତନତା ଅଭିଯାନ

ଭୁବନେଶ୍ବର: ପ୍ରେରଣା ଗ୍ରିନ୍‌ ଆର୍ମି ପକ୍ଷରୁ ପରିବେଶ ସୁରକ୍ଷା ସଚେତନତା ଅଭିଯାନ କାର୍ଯ୍ୟକ୍ରମ ମାଷ୍ଟରକ୍ୟାଣ୍ଟିନ୍‌ ଛକଠାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ମୁଖ୍ୟ ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ପରିବେଶବିତ୍‌ ଜଲାଲଉଦ୍ଦିନ୍‌ ଅହମ୍ମଦ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସେ କହିଲେ, ବର୍ତ୍ତମାନ ପରିବେଶ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ, ବିଶ୍ବତାପନ ବୃଦ୍ଧି ଜନିତ ସମସ୍ୟା ଦିନକୁ ଦିନ ଉିତ୍କଟ ହେବାରେ ଲାଗିଛି। ସାମୁଦ୍ରିକ ବାତ୍ୟା, ଅଦିନିଆ ବର୍ଷା, ଝଡ଼ ଆଦିର ପ୍ରଭାବ ବେଳକୁ ବେଳ ଘନୀଭୂତ ହେଉଛି। ପ୍ରକୃତି ଉପରେ ଅବାରିତ ଆକ୍ରମଣ ଯୋଗୁଁ ପ୍ରକୃତି ଏବେ ଜବାବ୍‌ ଦେବା ଆରମ୍ଭ କରିଛି। ଆମେ ସଚେତନ ନହେଲେ ଆଗାମୀ ଦିନରେ ପରିସ୍ଥିତି ଭୟଙ୍କର ହେବ ବୋଲି ସେ କହିଥିଲେ। ସମ୍ମାନିତ ଅତିଥି ଭାବେ ରାଜ୍ୟ ସମାଜ ମଙ୍ଗଳ ବୋର୍ଡର ପୂର୍ବତନ ଅଧ୍ୟକ୍ଷା ସୁଲତା ଦେଓ, ଶିକ୍ଷକ ନେତା ରମାକାନ୍ତ ମହାପାତ୍ର, ବିଶିଷ୍ଟ ଆଇନଜୀବୀ ଅଶୋକ ସାମନ୍ତରାୟ, ଓଡ଼ିଶା ବୀର ମହାସ˚ଘର ସଭାପତି ପ୍ରକାଶ ଶ୍ରୀଚନ୍ଦନ, ପୂର୍ବତନ କର୍ପୋରେଟର ନବକିଶୋର ବେହେରା, ଅଭିନେତ୍ରୀ ଜିନା ସାମଲ, ଲିପ୍ସା ମିଶ୍ର ପ୍ରମୁଖ ଯୋଗଦେଇ ପରିବେଶ ସୁରକ୍ଷା ଉପରେ ଗୁରୁତ୍ବାରୋପ କରିଥିଲେ। ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା ସହ ‘ଆମ ପରିବେଶ, ଆମ ହାତରେ’ ସ˚ପର୍କିତ ତର୍କ ଓ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇ ଥିଲା। ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। ପରେ ଏକ ପଥପ୍ରାନ୍ତ ନାଟକ ‘ଆମ ଜୀବନ, ଆମରି ହାତେ’ ପ୍ରଦର୍ଶିତ କରାଯାଇଥିଲା।

ସମ୍ବନ୍ଧିତ ଖବର