ଭୁବନେଶ୍ୱର : ରାଜ୍ୟ ଆୟୁଷ ମିସନ୍, ରାଜ୍ୟ ଆୟୁଷ ନିର୍ଦେଶାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମିଳିତ ଉଦ୍ୟମରେ ଆଜି ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟରେ ଦ୍ୱିତୀୟ ଆୟୁର୍ବେଦ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ବିଷୟବସ୍ତୁ ଥିଲା ‘ଆୟୁର୍ବେଦ ସହାୟତାରେ ଯନ୍ତ୍ରଣା ଉପଶମ ଓ ଆୟୁର୍ବେଦର ଆଜିର ଅବସ୍ଥା’।
Sambad is now on WhatsApp
Join and get latest news updates delivered to you via WhatsApp
ମନୁଷ୍ୟ ଶରୀର ପଞ୍ଚଭୂତରେ ତିଆରି ହୋଇଛି। ରୋଗୀ ଓ ଯନ୍ତ୍ରଣା ପରସ୍ପର ସହ ଜଡ଼ିତ। ଯନ୍ତ୍ରଣା ନ ଥିଲେ ଡାକ୍ତରଙ୍କ ଆବଶ୍ୟକତା ନ ଥାନ୍ତା। ବିଦେଶରେ ଡାକ୍ତରଙ୍କ ସଂଖ୍ୟା କମ୍ ଥିବା ବେଳେ ବିଭିନ୍ନ ରୋଗ ଉପରେ ଅଧିକ ଗବେଷଣା କରାଯାଉଛି। ଯାହାଫଳରେ ବିଦେଶୀ ଡାକ୍ତରମାନେ ବିଶ୍ୱରେ ସୁନାମ ଅର୍ଜନ କରିପାରୁଛନ୍ତି। ମାତ୍ର ଭାରତରେ ଏଭଳି ବ୍ୟବସ୍ଥା ନାହିଁ। ରାଜ୍ୟରେ ଆୟୁଷ ଔଷଧର ଅଭାବ ରହିଛି। ବିଭିନ୍ନ କାରଣରୁ ରୋଗୀଙ୍କୁ ଗୁଣାତ୍ମକ ଚିକିତ୍ସା ଯୋଗାଇବା ସମ୍ଭବ ହୋଇପାରୁ ନାହିଁ। ଯାହାଫଳରେ ଆୟୁର୍ବେଦ ଡାକ୍ତରମାନେ ରୋଗୀଙ୍କୁ ହରାଉଛନ୍ତି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।
ଏଥିରେ ମୁଖ୍ୟ ଅତିଥିଭାବେ ରାଜ୍ୟ ଆୟୁଷ ନିର୍ଦେଶାଳୟର ନିର୍ଦେଶକ ଗୋପବନ୍ଧୁ ଶତପଥୀ, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ବିଜୟ ନାୟକ, ପ୍ରଫେସର ପି.କେ ନାଥଶର୍ମା, ପ୍ରଫେସର ବି.ଏନ୍ ମିଶ୍ର ଓ ଆୟୁଷର ଉପ-ନିର୍ଦେଶକ ଡା. ଆର.ଏନ୍ ପ୍ରହରାଜ ପ୍ରମୁଖ ଯୋଗ ଦେଇଥିଲେ। ଆୟୁର୍ବେଦିକ ହସ୍ପିଟାଲର ଉପ-ଅଧୀକ୍ଷକ ସି.ରାୟଗୁରୁ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ। ଡା.ଗୌରୀଶଙ୍କର ପ୍ରସାଦ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଦ୍ୱିତୀୟ ଆୟୁର୍ବେଦ ଦିବସ ଅବସରରେ ହସ୍ପିଟାଲ ପରିସରରେ ଏକ ମାଗଣା ମଧୁମେହ କ୍ୟାମ୍ପ ଅନୁଷ୍ଠିତ ହୋଇଥିଲା। ଏହାସହ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା।