କୁସଂସ୍କାରମୁକ୍ତ ସମାଜ ଗଠନ ହିଁ ଆମ୍ବେଦକରଙ୍କୁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି

ବାବାସାହେବଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ

ଭୁବନେଶ୍ୱର: ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଆଜି ଜୟଦେବ ଭବନଠାରେ ଆମ୍ବେଦକରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ ହୋଇଯାଇଛି। ବିଭାଗୀୟ ମନ୍ତ୍ରୀ ରଘୁନନ୍ଦନ ଦାସ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି କହିଲେ, ଭାରତରତ୍ନ ଭୀମରାଓ ରାମଜୀ ଆମ୍ବେଦକରଙ୍କ ଦ୍ୱାରା ପ୍ରଣିତ ସମ୍ବିଧାନ ଆଜି କୋଟି କୋଟି ଭାରତୀୟଙ୍କ ଜୀବନଧାରାରେ ମାର୍ଗଦର୍ଶିକା ହୋଇଛି। ସାମାଜିକ ନ୍ୟାୟ, ସାମ୍ୟବାଦ ପ୍ରତିଷ୍ଠା, ସମତାଭିତ୍ତିକ ସମାଜ ଗଠନରେ ତାଙ୍କ ଭୂମିକା ଅତୁଳନୀୟ ଥିଲା। ଛାତ୍ରଛାତ୍ରୀମାନେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାର ଆବଶ୍ୟକତା ରହିଛି। କୁ-ସଂସ୍କାରମୁକ୍ତ ସମାଜ ଗଠନ ହୋଇପାରିଲେ, ତାହା ଆମ୍ବେଦକରଙ୍କୁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ସେ କହିଥିଲେ।

ମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ, ବାବା ସାହେବ ନିଜର ସାଧନା ଓ ନିଷ୍ଠା ବଳରେ ବିଦେଶରେ ଭାରତର ଗୌରବକୁ ପ୍ରତିଷ୍ଠିତ କରିପାରିଥିଲେ। ସେ ଥିଲେ ଗଣତନ୍ତ୍ର ଓ ସମାଜବାଦର ଜଣେ ଦୃଢ଼ ପ୍ରବକ୍ତା। ବିଶିଷ୍ଟ ଶିକ୍ଷାବିତ୍ ଧନେଶ୍ୱର ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ, ବୁଦ୍ଧିଦୀପ୍ତ ସମାଜ ଗଠନରେ ବାବା ସାହେବଙ୍କ ଆଦର୍ଶ ଓ ଆହ୍ୱାନ ସର୍ବଦା ଅନୁକରଣୀୟ। ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭ୍ୟୁର ସମ୍ପାଦକ ଡ. ଲେନିନ୍ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଭିନ୍ନ କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ଉଦ୍ଦୀପନା ଆଣିବାକୁ ହେଲେ ବାବାସାହେବଙ୍କ ରାସ୍ତାକୁ ଆପଣେଇବା ଆବଶ୍ୟକ ବୋଲି କହିଥିଲେ। ବିଭାଗୀୟ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଅଧ୍ୟକ୍ଷତା କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ। ବିଭାଗର ବୈଷୟିକ ନିର୍ଦ୍ଦେଶକ ସୁରେନ୍ଦ୍ରନାଥ ପରିଡ଼ା ଧନ୍ୟବାଦ ଦେଇଥିଲେ। ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ ଦାସ, ସହକାରୀ ନିର୍ଦ୍ଦେଶକ(କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସଚ୍ଚିଦାନନ୍ଦ ବେହେରା ଜୟନ୍ତୀ ଉତ୍ସବର ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର