ବାଲିଅନ୍ତା : ବଇଁଚୁଆ କାଜରେ ବାଜି ଲାଗୁଛି ଜୀବନ

ବାଲିଅନ୍ତା : କୁଶଭଦ୍ରା ନଦୀରେ ବନ୍ୟାଜଳ ହ୍ରାସ ପାଇଥିଲେ ହେଁ ଏବେ ବି ବଇଁଚୁଆ କାଜ ଉପରେ ବନ୍ୟାଜଳ ଧନୁଆ ନଈକୁ ପ୍ରବାହିତ ହେଉଛି। କାଜ ସଂଲଗ୍ନ କଚ୍ଚା ରାସ୍ତା ଉପରେ ୪ ଫୁଟ୍‌ ଉଚ୍ଚରେ ବନ୍ୟା ପାଣି ଚାଲୁଛି। ଫଳରେ ଯାତାୟାତ ପାଇଁ ବିକଳ୍ପ ରାସ୍ତା ନଥିବାରୁ ଆଖପାଖ ଗ୍ରାମର ଲୋକେ ଜୀବନକୁ ବାଜି ଲଗାଇ ଏହି କାଜ ଉପରେ ଯାତାୟାତ କରୁଛନ୍ତି। ପୂର୍ବରୁ ଏହି କାଜ ଜଣକ ମୁଣ୍ଡ ନେଇଥିଲେ ବି ଲୋକେ ବାଧ୍ୟ ହୋଇ ଏହି ରାସ୍ତାରେ ଯା’ଆସ କରୁଛନ୍ତି।

ପଟୁପଡ଼ା, ଧବଳାହାର, ସାନ ବଇଁଚୁଆ, ବୁଢ଼ାଲୋ ଏବଂ ସୁବାଲେ ଗ୍ରାମକୁ ଯୋଗାଯୋଗର ଏକ ମାତ୍ର ରାସ୍ତା ହେଉଛି ଏହି କାଜ। ତେଣୁ ଲୋକମାନେ ଅତି ସନ୍ତର୍ପଣରେ କାଜ ରାସ୍ତାରେ ଯାତାୟତ କରୁଛନ୍ତି। କାଜ ଉପରେ ବନ୍ୟାପାଣି ସ୍ରୋତରେ ଜୀବନଙ୍କୁ ବାଜି ଲଗାଇ କିଛି ସ୍ଥାନୀୟ ଯୁବକ ଲୋକଙ୍କୁ ରାସ୍ତା ପାର୍‌ କରାଉଥିବା ଦେଖାଯାଇଛି। ୨୦୧୧ ପ୍ରଳୟଙ୍କରୀ ବନ୍ୟା ସମୟରେ କାଜ ଉପରେ ଯାଉଥିବା ବେଳେ ଜଣେ ବ୍ୟକ୍ତି ଭାସି ଯାଇଥିଲେ। ତେଣୁ ଏଠାରେ ଏକ ବ୍ରିଜ୍‌ ନିର୍ମାଣ କରିବାକୁ ସେହି ଦିନରୁ ଦାବି ହୋଇ ଆସୁଛି। ସ୍ଥାନୀୟ ଜନସାଧାରଣ ବାରମ୍ବାର ଆପତ୍ତି ଅଭିଯୋଗ କରିବା ପରେ ଗ୍ରାମ ଉନ୍ନୟନ ବିଭାଗ ଏଠାରେ ବ୍ରିଜ ନିର୍ମାଣ କରି ଉକ୍ତ ରାସ୍ତାକୁ ମହାତ୍ମା ସେତୁ ସହ ସଂଯୋଗ କରିବ ବୋଲି ସ୍ଥିର ହୋଇଥିଲା। ହେଲେ ଗ୍ରାମ ଉନ୍ନୟନ ବିଭାଗ ମାଧ୍ୟମରେ ପ୍ରସ୍ତୁତ ଫାଇଲ ବିଭାଗୀୟ ଦପ୍ତରରେ ନାଲି ଫିତା ତଳେ ଚାପି ହୋଇ ରହିଛି। ସ୍ଥାନୀୟ ବିଧାୟକ ଅରବିନ୍ଦ ଢାଲି ଗତ ଦୁଇ ଦିନ ତଳେ ବଇଁଚୁଆ କାଜ ପରିଦର୍ଶନ ବେଳେ ଲୋ‌କେ ପୁଣି ବ୍ରିଜ୍‌ ନିର୍ମାଣ ପ୍ରସଙ୍ଗ ଉଠାଇଥିଲେ। ତେଣୁ ସେ ଆବଶ୍ୟକ ଅର୍ଥ ମଂଜୁର କରିବା ଦିଗରେ ମନ୍ତ୍ରୀ ଓ କର୍ତୃପକ୍ଷଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର