କାମରେ ଆସୁନି ବିଲିପଡ଼ା ପାଣି ଯୋଗାଣ ପ୍ରକଳ୍ପ: ପ୍ରତିବାଦରେ ମହିଳାଙ୍କ ରାସ୍ତାରୋକ
ବର୍ଷକ ଭିତରେ ପାଣିରେ ପଡ଼ିଲା ୩ ଲକ୍ଷ ୪୧ ହଜାର
ବାଲିଅନ୍ତା: ମହାବାତ୍ୟା ‘ଫନି’କୁ ୫ମାସ ବିତି ଯାଇଥିଲେ ବି ଏଯାଏଁ କାର୍ଯ୍ୟକ୍ଷମ ହୋଇପାରୁନି ବାଲିଅନ୍ତା ବ୍ଲକ ଅଧୀନ ସରକଣା ପଞ୍ଚାୟତର ବିଲିପଡ଼ା ଗ୍ରାମରେ ଥିବା ସୌର ସେଲ୍ ପାନୀୟ ଜଳ ଯୋଗାଣ ପ୍ରକଳ୍ପ। ଫଳରେ ଶତାଧିକ ଗ୍ରାମବାସୀ ପିଇବା ପାଣି ପାଇଁ ହସ୍ତସନ୍ତ ହେଉଛନ୍ତି। ଫନି ମାଡ଼ରେ ଅଚଳ ହୋଇପଡ଼ିଥିବା ଏହି ପ୍ରକଳ୍ପକୁ ସଜାଡ଼ିବା ପାଇଁ ଗ୍ରାମବାସୀ ବାରମ୍ବାର ଦାବି କରିଥିଲେ ବି ଏନେଇ କୌଣସି ସୁଫଳ ମିଳିନି। ଫଳରେ ଆଜି ଗ୍ରାମର ପ୍ରତିବାଦର ସ୍ବର ଶାଣିତ ହୋଇଛି। ଶତାଧିକ ମହିଳା, ଯୁବକ ଓ ଛୋଟ ପିଲାମାନେ ଉକ୍ତ ପ୍ରକଳ୍ପ ନିକଟରେ ହାତରେ ବାଲଟି, ଗରା ଓ ହାଣ୍ଡି ଧରି ରାସ୍ତା ଅବରୋଧ କରି ପାନୀୟ ଜଳ ସମସ୍ୟାର ସମାଧାନ ଦାବିରେ ପ୍ରତିବାଦ କରିଥିଲେ। ପ୍ରକଳ୍ପ କାର୍ଯ୍ୟକ୍ଷମ ଦିଗରେ ଧ୍ୟାନ ଦିଆନଗଲେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି। ସରକଣା ପଞ୍ଚାୟତ ଜନପ୍ରତିନିଧି ଓ ବ୍ଲକ ଗ୍ରାମ୍ୟ ଜଳଯୋଗାଣ ତଥା ପରିମଳ ବିଭାଗର ଅବହେଳା ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ ଗ୍ରାମ୍ୟ ଜଳଯୋଗାଣ ବିଭାଗ ପକ୍ଷରୁ ୨୦୧୮ ମସିହାରେ ୩ ଲକ୍ଷ ୪୧ ହଜାର ଟଙ୍କା ବ୍ୟୟ ଅଟକଳରେ ଉକ୍ତ ପ୍ରକଳ୍ପ ନିର୍ମାଣ ହୋଇଥିଲା। ୮୦ ଫୁଟ ଗଭୀରତାରେ ୪ ଇଞ୍ଚିଆ ବୋରୱେଲ ଖନନ କରାଯାଇ ମଟର ସଂଯୋଗ ହୋଇଥିଲା। ସୌରଶକ୍ତି ମାଧ୍ୟମରେ ମଟରରୁ ପାଣି ଉଠାଇ ନିକଟରେ ଥିବା ଫାଇଭର ପାଣି ଟାଙ୍କିକୁ ଯୋଗାଣ ହେଉଥିଲା। ଦିନକୁ ଏଥିରେ ୫ ହଜାର ଲିଟର ପାଣି ମହଜୁଦ ହେଉଥିଲା। ଗ୍ରାମର ଦଳିତ ବର୍ଗର ୩୦ ପରିବାରର ପିଇବା ପାଣି ସମସ୍ୟା ଦୂର କରିବାରେ ଏହା ସକ୍ଷମ ହୋଇଥିଲା। ହେଲେ ବାତ୍ୟା ଫନିର ୪ ମାସ ପରେ ପ୍ରକଳ୍ପ ପୁନରୁଦ୍ଧାର ନେଇ ସଂପୃକ୍ତ ସଂସ୍ଥା କୌଣସି ପଦକ୍ଷେପ ନେଉନଥିବାରୁ ଯୋଜନା ଟଙ୍କା ପାଣିରେ ପଡ଼ିବା ନେଇ ଏବେ ଆଶଙ୍କା ଦେଖାଦେଇଛି। ଅନ୍ୟପକ୍ଷରେ ବାରମ୍ବାର ଅଭିଯୋଗ ସତ୍ତ୍ବେ ପରିଚାଳନା ଦାୟିତ୍ବରେ ଥିବା ବିଭାଗୀୟ ଅଧିକାରୀ ଓ ଜନ ପ୍ରତିନିଧି ସ୍ଥାଣୁ ପାଲଟି ଯାଇଛନ୍ତି। ଗ୍ରାମରେ ଥିବା ଦୁଇଟି ନଳକୂପ ମଧ୍ୟରୁ ଗୋଟିଏ ନଳକୂପରୁ ଲୌହଯୁକ୍ତ ପାଣି ବାହାରୁ ଥିବାରୁ ଗ୍ରାମରେ ଜଳ ସଂକଟ ଦେଖାଦେଇଛି। ତୁରନ୍ତ ପ୍ରକଳ୍ପ କାର୍ଯ୍ୟକ୍ଷମ ଦିଗରେ କର୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି। ଏ ସଂପର୍କରେ ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ରଜନୀକାନ୍ତ ପାଣିଗ୍ରାହୀଙ୍କୁ ଯୋଗାଯୋଗ କରିବାରୁ ସମସ୍ୟାର ସମାଧାନ ଦିଗରେ ସେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି।