ବମିଖାଲ ଓଭରବ୍ରିଜ୍‌ ଦୁର୍ଘଟଣା : ଅନ୍ୟ ସଂସ୍ଥାକୁ ଦିଆଯିବ ନିର୍ମାଣ କାର୍ଯ୍ୟ

ଭୁବନେଶ୍ୱର: ବମିଖାଲ ଓଭରବ୍ରିଜ୍‌ ନିର୍ମାଣ ସମୟରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ବେଳେ ୮ମାସ ମଧ୍ୟରେ ଦୁଇ ଜଣଙ୍କର ମୃତ୍ୟୁ ହେଲାଣି। ଏପରିକି ଏହି ବ୍ରିଜ୍‌ ନିର୍ମାଣ କରୁଥିବା ସଂସ୍ଥା ପଣ୍ଡା ଇନଫ୍ରାଟେକ୍‌କୁ ପୂର୍ତ୍ତ ବିଭାଗ ୭ମାସ ତଳେ କଳା ତାଲିକାଭୁକ୍ତ କରିଥିବା ବେଳେ ଧାର୍ଯ୍ୟ ସମୟରେ ଧାର୍ଯ୍ୟ ମୂଲ୍ୟରେ ଶେଷ କରିବା ପାଇଁ ଉକ୍ତ ସଂସ୍ଥାକୁ କାର୍ଯ୍ୟ କରିବାକୁ ଅନୁମତି ଦେଇଥିଲା। କିନ୍ତୁ ଗୁରୁବାରର ଦୁର୍ଘଟଣା ପରେ ପୂର୍ତ୍ତ ବିଭାଗ ଆଉ ରିସ୍କ ନେବାକୁ ଚାହୁନି। ପୂର୍ତ୍ତ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବମିଖାଲ ଓଭରବ୍ରିଜ୍‌ କାର୍ଯ୍ୟ ଜୁନ୍‌ରେ ଶେଷ କରିବାକୁ ନିଷ୍ପତ୍ତି ହୋଇଛି। କିନ୍ତୁ ଗୁରୁବାରର ଦୁର୍ଘଟଣା ପରେ କାମ ବନ୍ଦ ହୋଇଯାଇଛି। ଏବେ ତଦନ୍ତ ଚାଲିଥିବାରୁ କାମ ବନ୍ଦ ରହିଛି। ଖୁବ୍‌ ଶୀଘ୍ର କାମ ଆରମ୍ଭ ହେବ। କିନ୍ତୁ ଏଥର ପଣ୍ଡା ଇନଫ୍ରାଷ୍ଟ୍ରକଚର୍‌କୁ କାର୍ଯ୍ୟ ଦିଆଯିବନି। ଆଉ ଏକ ସଂସ୍ଥାକୁ ବାକି କାର୍ଯ୍ୟ କରିବାକୁ ଦିଆଯିବ। ଦେଢ଼ ମାସ ମଧ୍ୟରେ ଯେପରି ବ୍ରିଜ୍‌ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ, ସେଥିପାଇଁ ଆମେ ପଦକ୍ଷେପ ନେଉଛୁ।

ଓଭରବ୍ରିଜ୍‌ ବୁଲି ଦେଖିଲେ ଧର୍ମେନ୍ଦ୍ର
ଭୁବନେଶ୍ୱର: ଦୁର୍ଘଟଣାଗ୍ରସ୍ତ ବମିଖାଲ ଓଭର୍‌ବ୍ରିଜ୍‌କୁ ଆଜି ବୁଲି ଦେଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଘଟଣାରେ ଶ୍ରୀ ପ୍ରଧାନ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଅଳ୍ପ ମାସ ବ୍ୟବଧାନରେ ଭୁବନେଶ୍ୱରରେ ନିର୍ମାଣାଧୀନ ଓଭର୍‌ବ୍ରିଜ୍‌ରେ ଦୁଇ ଦୁଇ ଥର ଦୁର୍ଘଟଣା ହେବା ରାଜ୍ୟ ସରକାରଙ୍କ ସ୍ଥାଣୁତା ଓ ଅପାରଗତାର ଚରମ ନିଦର୍ଶନ। ସେବା ନିବୃତ୍ତ ହୋଇସାରିଥିବା କର୍ମଚାରୀଙ୍କୁ ପୁନର୍ବାର ଏ ବିଭାଗର ସର୍ବେସର୍ବା ଦାୟିତ୍ୱ ଦେବା, ଅସାଧୁ ଲୋକଙ୍କୁ ଏକାଠି କରି ରାଜ୍ୟ ସ୍ୱାର୍ଥକୁ ଜଳାଞ୍ଜଳି ଦେବା ଘୋର ନିନ୍ଦନୀୟ କାର୍ଯ୍ୟ। ଯେତେବେଳେ ଏପରି କୌଣସି ଦୁର୍ଘଟଣା ଘଟେ, ସେତେବେଳେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ। ଅତି କମ୍‌ରେ ସେହି ଠିକା ସଂସ୍ଥାକୁ ରଦ୍ଦ କରାଯାଇ କାମ ଆଉ କାହାକୁ ଦିଆଯାଇଥାଏ। ଆଶ୍ଚର୍ଯ୍ୟର ବିଷୟ ସେହି ଠିକା ସଂସ୍ଥା ପୁଣି ଥରେ ସମାନ ପ୍ରକଳ୍ପର କାମ କରୁଛି। କେବଳ ଏହି ଗୋଟିଏ ପ୍ରକଳ୍ପ ନୁହେଁ, ଆହୁରି ଏକାଧିକ ପ୍ରକଳ୍ପ ସେହି ସଂସ୍ଥାକୁ ଦିଆଯାଇଛି। ଏହା ରାଜ୍ୟ ସରକାରଙ୍କ ଅସଲ ଚେହେରା ପଦାରେ ପକାଇ ଦେଉଛି। କେନ୍ଦ୍ର ମନ୍ତ୍ରୀଙ୍କ ସହ ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ, ପ୍ରବକ୍ତା ଗୋଲକ ମହାପାତ୍ର, ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଅମୀୟ ଦାଶ, ରାଜେନ୍ଦ୍ର ପଣ୍ଡା, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ସମେତ ଦଳୀୟ କର୍ମକର୍ତା ଉପସ୍ଥିତ ଥିଲେ। ଏହାର ନିରପେକ୍ଷ ତଦନ୍ତ ହୋଇ ସତ ପଦାକୁ ନ ଆସିଲେ ବିଜେପି ଏହାକୁ ଆନ୍ଦୋଳନର ରୂପ ଦେବ ବୋଲି ନେତାମାନେ ଚେତାବନୀ ଦେଇଥିଲେ।

ସମ୍ବନ୍ଧିତ ଖବର