ସୂର୍ଯ୍ୟ ପାତ୍ର ଶ୍ରେଷ୍ଠ ମନ୍ତ୍ରୀ, ସରୋଜିନୀ ଓ ନଗେନ୍ଦ୍ର ଶ୍ରେଷ୍ଠ ସାଂସଦ

‘ଶ୍ରେଷ୍ଠ ନେତା ପୁରସ୍କାର-୨୦୧୭’

ଭୁବନେଶ୍ୱର: ରାଜ୍ୟର ପଞ୍ଚାୟତ ସ୍ତରରୁ ସାଂସଦ ପର୍ଯ୍ୟନ୍ତ ଜନପ୍ରତିନିଧିମାନଙ୍କୁ ନେଇ ଆଜି ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି ଦ୍ୱିତୀୟ ‘ଶ୍ରେଷ୍ଠ ନେତା ପୁରସ୍କାର-୨୦୧୭’। ଏଥିରେ ଶ୍ରେଷ୍ଠ ମନ୍ତ୍ରୀ ଭାବେ ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର, ଶ୍ରେଷ୍ଠ ରାଜ୍ୟସଭା ସାଂସଦ ଭାବେ ସରୋଜିନୀ ହେମ୍ବ୍ରମ୍‌ ଓ ଶ୍ରେଷ୍ଠ ଲୋକସଭା ସାଂସଦ ଭାବେ ସମ୍ବଲପୁର ସାଂସଦ ନଗେନ୍ଦ୍ର ପ୍ରଧାନ ପୁରସ୍କୃତ ହୋଇଛନ୍ତି। ଓଡ଼ିଶା କଲ୍‌ଚରାଲ୍‌ ଫାଉଣ୍ଡେସନ୍‌ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ତୃଣମୂଳସ୍ତରରୁ ଜନ ପ୍ରତିନିଧିମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହି କ୍ରମରେ ଶ୍ରେଷ୍ଠ ଓ୍ଵାର୍ଡମେମ୍ବର ଭାବେ ଭୋଗରାଇ ପାଣିଷଣ୍ଢାର ଜାମ୍‌ସେଦ୍‌ ଅଲ୍ଲି ଖାନ୍‌, ଶ୍ରେଷ୍ଠ ସରପଞ୍ଚ ଭାବେ ବଲାଙ୍ଗୀର ଚୂଡ଼ାପଲ୍ଲୀର ଘାସିରାମ ବେହେରା, ଶ୍ରେଷ୍ଠ ସମିତି ସଭ୍ୟ ଭାବେ ଖୋର୍ଧା ସାନରାଉତ ପଡ଼ାର ରୀତାଞ୍ଜଳି ରାଉତରାୟ, ଶ୍ରେଷ୍ଠ ବ୍ଲକ୍‌ ଅଧ୍ୟକ୍ଷ ଭାବେ ଯଶୀପୁରର ମାନଗୋବିନ୍ଦ ନାୟକ, ଶ୍ରେଷ୍ଠ ଜିଲ୍ଲା ପରିଷଦ ସଭ୍ୟ ଭାବେ ବିରିଡ଼ିର ପ୍ରତାପ ବେହେରା, ଶ୍ରେଷ୍ଠ ଏନ୍‌.ଏ.ସି କାଉନ୍‌ସିଲର୍‌ ଭାବେ କୋଟପାଡ଼ର ଏମ୍‌.ଶଙ୍କରୀ ରାଓ, ଶ୍ରେଷ୍ଠ ଉପାଧ୍ୟକ୍ଷ ଭାବେ କବିସୂର୍ଯ୍ୟନଗର ଏନ୍‌.ଏ.ସିର ମନୋରଞ୍ଜନ ମହାପାତ୍ର, ଶ୍ରେଷ୍ଠ ଅଧ୍ୟକ୍ଷ ଭାବେ ତରଭା ଏନ୍‌.ଏ.ସିର ମୋନିକାଲାଲ୍‌ ଅଗ୍ରଓ୍ଵାଲ୍‌, ଶ୍ରେଷ୍ଠ ମ୍ୟୁନିସିପାଲ କାଉନ୍‌ସିଲର୍‌ ଭାବେ ଉମରକୋଟ୍‌ର ଶିଶିର ନାୟକ, ଶ୍ରେଷ୍ଠ ମ୍ୟୁନିସିପାଲ୍‌ ଉପାଧ୍ୟକ୍ଷ ଭାବେ ନବରଙ୍ଗପୁରର ପ୍ରହଲ୍ଲାଦ ତ୍ରିପାଠୀ, ଶ୍ରେଷ୍ଠ ମ୍ୟୁନିସିପାଲ୍‌ ଅଧ୍ୟକ୍ଷ ଭାବେ କେନ୍ଦୁଝରର ସରୋଜ କୁମାର ସାହୁ, ଶ୍ରେଷ୍ଠ ବିଧାୟକ ଭାବେ ଚମ୍ପୁଆର ସନାତନ ମହାକୁଡ଼ ପ୍ରମୁଖ ପୁରସ୍କାର ଗ୍ରହଣ କରିଛନ୍ତି। ଆଜିର କାର୍ଯ୍ୟକ୍ରମରେ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ଏସ୍‌.ଏନ୍‌ ତିଓ୍ଵାରୀ, ନାଲ୍‌କୋର ପୂର୍ବତନ ଅଧ୍ୟକ୍ଷ ଏସ୍‌କେ ତାମୋଟିଆ, ସମାଜର ମୁଖ୍ୟ ସଂଯୋଜକ ସୁରେଶ ଚନ୍ଦ୍ର ମନ୍ତ୍ରୀ ପ୍ରମୁଖ ଅତଥି ଭାବେ ଯୋଗ ଦେଇଥିଲେ। ଅନୁଷ୍ଠାନର ସଭାପତି ଗୁରୁ ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ଜିତୁ ଦାଶ ମଞ୍ଚ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର