ବିବାଦ ତୁଟିଲା: ଭୁଆସୁଣିରେ ବର୍ଷକ ପାଇଁ ପଡ଼ିବ ଅଳିଆ

ଗ୍ରାମବାସୀଙ୍କ ନାମରେ ହୋଇଥିବା ମାମଲା ପ୍ରତ୍ୟାହାର ହେବ

ଭୁବନେଶ୍ବର: ଭୁଆସୁଣିରେ ରାଜଧାନୀର ଆବର୍ଜନା ପଡ଼ିବା ନେଇ ଚାଲିଥିବା ବିବାଦର ଆଜି ସା‌ମୟିକ ସମାଧାନ ହୋଇଛି। ଭୁଆସୁଣିରେ ଆଉ ବର୍ଷକ ପାଇଁ ଅଳିଆ‌ ପକାଇବାକୁ ବିଏମ୍‌ସି କରିଥିବା ଅନୁରୋଧକୁ ଦାରୁଠେଙ୍ଗ ଗ୍ରାମବାସୀ ଗ୍ରହଣ କରିଛନ୍ତି। ଏହାପରେ ଆଜି ବିଏମ୍‌ସି କର୍ତ୍ତୃପକ୍ଷ ପୁଲିସ ଫୋର୍ସ ସହାୟତାରେ ଭୁଆସୁଣିରେ ଅଳିଆ ପକାଇଛନ୍ତି।

ଡିସେମ୍ବର ୩୧, ୨୦୧୯ ପରେ ଭୁଅାସୁଣି‌ରେ ଆଉ ରାଜଧାନୀର ଆର୍ବଜନା ପଡ଼ିବନି ବୋଲି ବିଏମ୍‌ସି ଲିଖିତ ଭାବେ ଏନ୍‌ଜିଟିରେ ସତ୍ୟପାଠ ‌ଦାଖଲ କରିଥିଲା। ୧୩ ବର୍ଷ ହେଲା ଭୁଆସୁଣିରେ ହୋଇଥିବା‌ ଡମ୍ପିଂୟାର୍ଡକୁ ଦାରୁଠେଙ୍ଗ ଗ୍ରାମବାସୀ ବିରୋଧ କରୁଥିବା ବେଳେ ଏନ୍‌ଜିଟି ଓ ହାଇକୋର୍ଟରେ ଏନେଇ ମାମଲା ବିଚରାଧୀନ ଅଛି। ହେଲେ ବିଏମ୍‌ସି ଯେଉଁ ସତ୍ୟପାଠ ଦାଖଲ କରିଥିଲା, ତାହାକୁ ଗ୍ରାମବାସୀ କଣ୍ଟ କରିଥିଲେ। ଜାନୁଆରି ୧ରୁ ଭୁଆସୁଣିରେ ଅଳିଆ ପକାଇ ଦେଇ ନ ଥିଲେ। ଏହାପରେ ଗ୍ରାମବାସୀ ଓ ବିଏମ୍‌ସି ମଧ୍ୟରେ ବାରମ୍ବାର ଆଲୋଚନା ହେବା ପରେ ଆଜି ସମାଧାନ ହୋଇଛି। ବିଏମ୍‌ସି କର୍ତ୍ତୃପକ୍ଷ ଶୁକ୍ରବାର ଦାରୁଠେଙ୍ଗ ଗ୍ରାମବାସୀଙ୍କୁ ଲିଖିତ ଭାବେ ଜଣାଇଥିଲେ ଯେ ଭୁବନେଶ୍ବରରେ ବିଭିନ୍ନ ୱାର୍ଡରେ ୪୩ଟି କମ୍ପୋଷ୍ଟ ପ୍ଲାଣ୍ଟ ନିର୍ମାଣ ହେବ। ଏଥିରୁ ପ୍ରାୟ ୨୨ଟିର କାମ ଆରମ୍ଭ ହୋଇଛି। ସମସ୍ତ ପ୍ଲାଣ୍ଟ କାମ ବର୍ଷକ ମଧ୍ୟରେ ଶେଷ ହୋଇଯିବ। ଯେଉଁ ଅଞ୍ଚଳରେ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବ, ସେହି ଅଞ୍ଚଳର ଆବର୍ଜନା ଡମ୍ପିଂୟାର୍ଡକୁ ଆସିବନି। ତେଣୁ ଭୁଆସୁଣିରେ ଅଳିଆ ପକାଇବାକୁ ବର୍ଷେ ସମୟ ଦିଆଯାଉ।

ଏହାସହ ଗ୍ରାମବାସୀଙ୍କ ନାମରେ ଯେଉଁ ସବୁ ମାମଲା ବିଏମ୍‌ସି ପକ୍ଷରୁ ଦାୟର କରାଯାଇଛି, ସେଗୁଡ଼ିକୁ ଏହି ବର୍ଷକ ମଧ୍ୟରେ ପର୍ଯ୍ୟାୟକ୍ରମେ ଉଠାଯିବ। ଏପରିକି ହାଇକୋର୍ଟ ଓ ଏନ୍‌ଜିଟିରେ ଚାଲିଥିବା କେସ୍‌କୁ ପ୍ରତ୍ୟାହାର କରାଯିବ। ସେହିପରି ଭୁଆସୁଣି ଡମ୍ପିଂୟାର୍ଡର ବାଇଓମାଇନିଂ କାମ ଖୁବ୍ ଶୀଘ୍ର ଆରମ୍ଭ କରାଯିବ। ଏ‌େବ ଏନେଇ ଟେଣ୍ଡର ହୋଇଛି। ଟେଣ୍ଡର ଚୂଡ଼ାନ୍ତ ହେଲେ କାମ ଆରମ୍ଭ ହେବ। ଆବର୍ଜନା ପଡ଼ିବା ସମ୍ପୂର୍ଣ୍ଣ ବନ୍ଦ ହେଲେ ବର୍ଷକ ପରେ ଜୋରଦାର୍‌ କାମ ହେବ। ତିନି ବର୍ଷ ମଧ୍ୟରେ ଭୁଆସୁଣିରେ ଡମ୍ପିଂୟାର୍ଡ ଥିଲା ବୋଲି ଚିହ୍ନବର୍ଣ୍ଣ ରହିବନି। ଏଠାରେ ଏକ ସୁନ୍ଦର ପାର୍କ କରାଯିବ। ବିଏମ୍‌ସି କର୍ତ୍ତୃପକ୍ଷ ଏହିଭଳି ଭାବେ ଲିଖିତ ପ୍ରତିଶ୍ରୁତି ଦେବା ପରେ ଶୁକ୍ରବାର ଗ୍ରାମବାସୀମାନେ ଏନେଇ ଗାଁରେ ଆଲୋଚନା କରିଥିଲେ। ଏହାପରେ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ଅନୁରୋଧକୁ ଗ୍ରହଣ କରି ନେବାକୁ ସମ୍ମତି ଜଣାଇଥିଲେ। ହେଲେ ଆଜି ଗାଁର ସମସ୍ତ ପ୍ରମୁଖ ସଦସ୍ୟ ବିଏମ୍‌ସି କାର୍ଯ୍ୟାଳୟକୁ ଆଲୋଚନା ପାଇଁ ଆସି ନ ଥିଲେ। କିଛି ବରିଷ୍ଠ ଲୋକ ବିଏମ୍‌ସି ଅଫିସକୁ ଆସି ବିଏମ୍‌ସି କମିସନର ପ୍ରେମ ଚନ୍ଦ୍ର ଚୌଧରୀ ଏବଂ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଯେଉଁମାନେ ପୂର୍ବରୁ ଡମ୍ପିଂୟାର୍ଡକୁ କଡ଼ା ବିରୋଧ କରୁଥି‌ଲେ, ସେମାନେ ଆଜି ବିଏମ୍‌ସି କର୍ତ୍ତୃପକ୍ଷଙ୍କ ଅନୁରୋଧ ଗ୍ରହଣ କଲେ ବୋଲି କହିବାକୁ ବି ଆସି ନ ଥିଲେ। ଯେଉଁ ଲୋକମାନେ ଆସିଥିଲେ, ସେମାନେ ବିଏମ୍‌ସି କମିସନରଙ୍କୁ ଭେଟି ତାଙ୍କ ଅନୁରୋଧ ରକ୍ଷା କଲେ ବୋଲି କହିବା ସହ ଗ୍ରାମବାସୀଙ୍କ ଦାବି ପୂରଣ କରିବାକୁ ଅନୁରୋଧ କରି ଯାଇଥିଲେ।

ଏହାପରେ ବିଏମ୍‌ସି କର୍ତ୍ତୃପକ୍ଷ ଅପରାହ୍‌ଣ ୩ଟାରୁ ସୈନିକ ସ୍କୁଲ ନିକଟସ୍ଥ ଅସ୍ଥାୟୀ ଡମ୍ପିଂୟାର୍ଡରୁ ଆବର୍ଜନା ନେଇ ଭୁଆସୁଣିରେ ପକାଇଥିଲେ। ବିଏମ୍‌ସି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବାକୁ କିଛି ଗ୍ରାମବାସୀ ଆସି ନ ଥିବାରୁ କାଳେ ସେମାନେ ଭୁଆସୁଣି‌େର ବିରୋଧ କରି‌ବେ, ସେହି ଆଶଙ୍କାରେ ବିଏମ୍‌ସି କର୍ତ୍ତୃପକ୍ଷ ପୁଲିସ ଫୋର୍ସ ସହାୟତାରେ ଆଜି ଆବର୍ଜନା‌ ପକାଇଥିଲେ। ଅପରପକ୍ଷେ ଆଜି ବୈଠକକୁ ଯାଇନଥିବା ଗ୍ରାମବାସୀମାନେ କହିଛନ୍ତି ଯେ ଆମେ ଭୁଆସୁଣିରେ ଅଳିଆ ପକାଇବାକୁ ଏବେ ବିରୋଧ କରିବୁନି। ବର୍ଷକ ମଧ୍ୟରେ ବିଏମ୍‌ସି କର୍ତ୍ତୃପକ୍ଷ ଯେଉଁ ପ୍ରତିଶ୍ରୁତି ପାଳନ କରିବେ ବୋଲି କହିଛନ୍ତି ତାହାକୁ କିପରି ପାଳନ କରୁଛନ୍ତି, ତାକୁ ଦେଖିବା ବାକି ରହିଲା।

ସମ୍ବନ୍ଧିତ ଖବର