ଭୁବନେଶ୍ୱରକୁ ପ୍ରଦୂଷଣ ଗ୍ରାସୁଛି : ତଥ୍ୟ ଲୁଚାଇ ଲୋକଙ୍କୁ ମାରୁଛନ୍ତି

ତଥ୍ୟ ଲୁଚାଉଛି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ
ପ୍ରଦୂଷିତ ରାଜଧାନୀକୁ ସୁସ୍ଥ ରାଜଧାନୀ କରିଦେଉଛନ୍ତି
ବିଏସ୍‌ସିଏଲ୍‌ ଯନ୍ତ୍ରରେ ବି ଦିନ ଯାକ ଏକ୍ୟୁଆଇ ସମାନ
ସରକାରୀ ସଂସ୍ଥାର ଯନ୍ତ୍ର କାରସାଦି

ଭୁବ‌େନଶ୍ବର, (ବିଶ୍ବଜିତ ଦାଶ): ଏବେ ନୂଆଦିଲ୍ଲୀର ବାୟୁ ପ୍ରଦୂଷଣକୁ ନେଇ ସବୁଠି ଚର୍ଚ୍ଚା। ଚାଲିଛି। ହେଲେ ରାଜଧାନୀ ଭୁବନେଶ୍ବର‌ର ଅଧିକାଂଶ ସ୍ଥାନ ଯେ, ଦିଲ୍ଲୀ ଭଳି ପ୍ରଦୂଷିତ ତାହା ଅନେକଙ୍କୁ ଅଜଣା। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତଥ୍ୟ ଲୁଚାଉଥିବାରୁ ଏହା ପ୍ରଘଟ ହେଉନି। ପ୍ରଦୂଷିତ ସହର ପାଲଟିଥିବା ଭୁବନେଶ୍ବରକୁ ପ୍ରଦୂଷଣମୁକ୍ତ ଏବଂ ବିପଦମୁକ୍ତ ଓ ସୁସ୍ଥ ସହର ଭାବେ ଉପସ୍ଥାପନ କରାଯାଉଥିବାରୁ କେହି ଏହାର ଟେର୍ ପାଉନାହାନ୍ତି।

ରାଜଧାନୀରେ ପ୍ରଦୂଷଣର ମାତ୍ରା କେଉଁ ସ୍ଥିତିରେ ଅଛି ତାହା ରବିବାରର ବାୟୁର ମାନରୁ ଜଣାପଡ଼ୁଛି। ରାଜଧାନୀର ସବୁଠୁ କମ୍‌ ଭିଡ଼ ଦିନ ଭାବେ ରବିବାର ଗଣା ହେଉଥିବାବେଳେ ଏହି ଦିନରେ ବି ରାଜଧାନୀର ବାୟୁ ଶରୀର ପାଇଁ ସ୍ବାସ୍ଥ୍ୟକର ନୁହେଁ। ଅତ୍ୟନ୍ତ ଅସ୍ବାସ୍ଥ୍ୟକର। ନଭେମ୍ବର ୩ତାରିଖ ଅର୍ଥାତ୍ ରବିବାର ରାଜଧାନୀର ୪ଟି ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ରେକର୍ଡ ହୋଇଥିବା ଏୟାର କ୍ବାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ)ରୁ ଜଣାପଡ଼ିଛି ଯେ, ମାଷ୍ଟରକ୍ୟାଣ୍ଟିନ ଛକରେ ଏକ୍ୟୁଆଇ ୨୪୯ଥିବାବେଳେ, ରମାଦେବୀ ନିକଟରେ ଏକ୍ୟୁଆଇ ୨୧୧, କିଟ୍‌ ଛକରେ ଏକ୍ୟୁଆଇ ୨୦୧, ୟୁନିଟ-୮ ଡିଏଭି ନିକଟରେ ଏକ୍ୟୁଆଇ ୨୩୯ ଥିଲା। ଏହା ହେଉଛି ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ (ବିଏସ୍‌ସିଏଲ୍‌) ପକ୍ଷରୁ ରାଜଧାନୀରେ ବିଭିନ୍ନ ସ୍ଥାନରେ ବସା ଯାଇଥିବା ବାୟୁ ମାପ ବିଶ୍ଳେଷକର ସୂଚନା। ଆଜି ଏହି ଚାରିଟି ସ୍ଥାନରେ ଏକ୍ୟୁଆଇ ଯଥାକ୍ରମେ ୯୦, ୯୫,୧୧୧ ଓ ୮୮ ରହିଛି। ବିନା ବର୍ଷାରେ ଏବଂ ରବିବାରଠାରୁ ଅଧିକ ଗାଡ଼ି ଚଳାଚଳ କରୁଥିବା ସୋମବାରରେ କିପରି ଏକ୍ୟୁଆଇ କମିଲା ସେନେଇ ବି ପ୍ରଶ୍ନ ଉଠିଲାଣି।

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏୟାର୍‌ ପଲ୍ୟୁସନ ଆନାଲାଇଜର୍‌ରେ ୨୪ଘଣ୍ଟିଆ ତଥ୍ୟ

ସରକାରୀ ସଂସ୍ଥା କିପରି ପ୍ରଦୂଷିତ ରାଜଧାନୀକୁ ସୁସ୍ଥ ରାଜଧାନୀ କରି ଦେଇଛନ୍ତି ତାହା ସେମାନଙ୍କର ଏୟାର ପଲ୍ୟୁସନ୍ ଆନାଲାଇଜର୍‌କୁ ଦେଖିଲେ ଜଣାପଡ଼ୁଛି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ପାୱାର ହାଉସ୍‌ ଛକରେ ଲାଗିଥିବା ଏୟାର ପଲ୍ୟୁସନ୍ ଆନାଲାଇଜର୍‌ ବୋର୍ଡରେ କେବଳ ୨୪ଘଣ୍ଟାର ହାରାହାରି ସୂଚନା ଦିଆଯାଉଥିବାରୁ ଦିନ ଯାକ ଏଥିରେ ଏକ୍ୟୁଆଇ ସମାନ ରହୁଛି। ଫଳରେ ରାତି ଓ ଦିନର ପ୍ରଦୂଷଣମାତ୍ରା ମିଶି ହାରାହାରି ପ୍ରଦୂଷଣ ମାତ୍ରା ବାହାରୁଥିବାରୁ ଏବଂ ଏହା ଅପେକ୍ଷାକୃତ କମ୍‌ ରହୁଥିବାରୁ ଏହାକୁ ଦେଖାଯାଉଛି। ଲୋକ ସିନା ପ୍ରଦୂଷଣ ବଢ଼ୁଛି ବୋଲି ଜାଣିଲେ ସଜାଗ ହେବେ କି ସରକାର ଭୁବନେଶ୍ବର ପ୍ରଦୂଷିତ ହେଲାଣି ବୋଲି ଜାଣିଲେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ପଦକ୍ଷେପ ନେବାକୁ କହିବେ। ଯଦି ତଥ୍ୟ ପ୍ରଦର୍ଶନରେ ଚଞ୍ଚକତା କରିଦିଆଯିବ ତେବେ ସରକାର କିଛି କହିବେନି କି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ କିଛି ପଦକ୍ଷେପ ନେବାକୁ ପଡ଼ିବନି।

‌କେବଳ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନୁହେଁ ବିଏସ୍‌ସିଏଲ୍ ପକ୍ଷରୁ ରାଜଧାନୀରେ ଲାଗିଥିବା ୧୦ଟି ଏୟାର ପଲ୍ୟୁସନ୍ ଆନାଲାଇଜର୍‌ ମଧ୍ୟରୁ ଏବେ ୪ଟି କାମ କରୁଥିବାବେଳେ ଏଥିରେ ବି ଚଞ୍ଚକତା କରାଯାଉଛି। ପୂର୍ବରୁ ଏଥି‌ରେ ଦିନର ବିଭିନ୍ନ ସମୟର ଏକ୍ୟୁଆଇ ପ୍ରଦର୍ଶିତ ହେଉଥିଲା। ବିଏସ୍‌ସିଏଲ୍‌ ଭୁବନେଶ୍ବରର ପ୍ରଦୂଷଣ କମାଇବାକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ସହ ଏକ ଘରୋଇ ସଂସ୍ଥାକୁ ନିୟୋଜିତ କରିଥିଲେ ହେଁ କେହି ଯେପରି କିଛି ନକରିପାରିବେ ସେଥିପାଇଁ ବାଟ ବନ୍ଦ କରିଦେଇଛନ୍ତି। ବିଏସ୍‌ସିଏଲ୍‌ ପକ୍ଷରୁ ପ୍ରକୃତ ସମୟ ତଥ୍ୟ ସର୍ଭେ (ଆରଟିଡିଏସ୍) ଯନ୍ତ୍ର ଲାଗିଥିଲେ ହେଁ ଏଥିରେ କେବଳ ଦିନକର ହାରାହାରି ତଥ୍ୟ ଦେଖାଯାଉଛି। ଭୁବନେଶ୍ବର ପ୍ରଦୂଷିତ ସହର ନୁହେଁ ବୋଲି ପ୍ରମାଣିତ କରିବାକୁ ଯଥା ସମ୍ଭବ ଉଦ୍ୟମ କରାଯାଇଛି।

ଏଠାରେ ପ୍ରଶ୍ନ ଉଠୁଛି ଯେ, ବାୟୁ ମଣ୍ଡଳରେ ଯଦି ପିଏମ୍‌୨.୫, ପିଏମ୍‌୧୦, ସଲ୍‌ଫର ଡାଇଅକ୍ସାଇଡ୍, ନାଇଟ୍ରୋଜେନ ଡାଇଅକ୍ସାଇଡ୍, ଓଜୋନ୍, କାର୍ବନ ମନୋକ୍ସାଇଡ୍, କାର୍ବନ ଡାଇଅକ୍ସାଇଡ୍‌ର ମାତ୍ରା ବଦଳୁଛି ତେବେ ଏକ୍ୟୁଆଇ କିପରି ଦିନଯାକ ସମାନ ରହୁଛି? ଏକ୍ୟୁଆଇ ଦିନ ଯାକ ସମାନ ରହିବା ଯୋଗୁଁ ଏବେ ପ୍ରଶ୍ନ ଉଠୁଛି ଯେ, ବିଏସ୍‌ସିଏଲ୍‌ କର୍ତ୍ତୃପକ୍ଷ ତଥ୍ୟ ବଦଳାଇ ଦେଉଛନ୍ତି କି? ଲାଗିଥିବା ଏୟାର ପଲ୍ୟୁସନ୍ ଆନାଲାଇଜର୍‌ ଯନ୍ତ୍ର କାମ କରୁନି କି? ନା ଏୟାର ପଲ୍ୟୁସନ୍ ଆନାଲାଇଜର୍‌ ଯନ୍ତ୍ରକୁ ଟାମ୍ପରିଂ କରାଯାଉଛି?

ସମ୍ବନ୍ଧିତ ଖବର