ଝିଅ ମନୀଷାଙ୍କ ପାଇଁ ଗର୍ବିତ ବିଶିକେଶନ

ଭୁବନେଶ୍ବର: ବିଶିକେଶନ ପ୍ରଧାନ। ପରିବାର ପ୍ରତିପୋଷଣ ପାଇଁ କୁଲି କାମ କରନ୍ତି। ପ୍ରତିଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ନିଜ ମୁଣ୍ଡରେ ଅନ୍ୟର ବୋଝ ବୁହନ୍ତି। ଯେତିକି ପାଉଣା ପାଆନ୍ତି ସେତିକିରେ କଷ୍ଟେମଷ୍ଟେ ତିନି ପ୍ରାଣୀ କୁଟୁମ୍ଭ ଚଳେ। ମାତ୍ର ଏହି ସ୍ବଳ୍ପ ରୋଜଗାରରେ ପିଲାଙ୍କୁ ପାଠ ପଢ଼ାଇବା ସମ୍ଭବ ନଥିଲା। ଯେଉଁଥିପାଇଁ ସ୍ବାମୀଙ୍କୁ ସହଯୋଗ କରିବା ଲାଗି ତାଙ୍କ ପତ୍ନୀ ସନ୍ତୋଷିନୀ ମଧ୍ୟ ରାସ୍ତା ପାର୍ଶ୍ବରେ ଜରି ପକାଇ ଚୁଡ଼ି ବିକ୍ରି ଆରମ୍ଭ କଲେ। ଅନେକ ସମୟରେ ଜାଗା ନ ମିଳିଲେ ଚୁଡ଼ି ବିକ୍ରି କରିପାରନ୍ତି ନାହିଁ।

କେବଳ ଏତିକି ନୁହେଁ। କରୋନା ଯୋଗୁଁ ଗତ ଦୁଇବର୍ଷରେ ବିଶିକେଶନଙ୍କୁ କାମ ମଧ୍ୟ ମିଳି ନ ଥିଲା। ଦୈନିକ ଯେତିକି ରୋଜଗାର କରୁଥିଲେ ତାହା ବି ବନ୍ଦ ହୋଇଯାଇଥିଲା। ଅନେକ ଦିନ ଉପବାସ ରହିବାକୁ ପଡ଼ିଥିଲା। ଏତେ କଷ୍ଟ ଭିତରେ ବି ସେ ପିଲାଙ୍କ ପାଠପଢ଼ାରେ ହେଳା କରି ନଥିଲେ। କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ିରେ ରହୁଥିବା ବିଶିକେଶନ ପିଲାଙ୍କ ପାଠପଢ଼ା ଯେମିତି ପ୍ରଭାବିତ ନ ହୁଏ ସେଥିପାଇଁ ସବୁ କିଛି କରିଥିଲେ। ପିଲାମାନେ ଯେଉଁଠି ପଢ଼ିବାକୁ ଇଚ୍ଛା କରିଛନ୍ତି ସେଠାରେ ପଢ଼ାଇଛନ୍ତି। ଝିଅ ମନୀଷା ପ୍ରଧାନ ଗାଁ ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହେବା ପରେ ପଢ଼ିବା ପାଇଁ ତାକୁ ସଂପର୍କୀୟଙ୍କ ଘରେ ରଖି ରମାଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ୨ କଳା ବିଭାଗରେ ନାମ ଲେଖାଇଥିଲେ। ସେହି ଝିଅ ଆଜି ଯୁକ୍ତ୨ କଳାରେ ୫୫୪ ମାର୍କ ରଖି ରାଜଧାନୀର ଏହି ପ୍ରମୁଖ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଟପ୍ପର ହୋଇ ବାପା ମା’ଙ୍କ ଶ୍ରମକୁ ସାର୍ଥକ କରିଛନ୍ତି।

ମନୀଷାଙ୍କ ସଫଳତାରେ ଉଭୟ ବାପା, ମା’ଙ୍କ ଖୁସି କହିଲେ ନ ସରେ। ‘ସମ୍ବାଦ’ ପକ୍ଷରୁ ଜୟଦେବ ଭବନଠାରେ ଆଜି ଆୟୋଜିତ ଯୁକ୍ତ୨ କଳା ଓ ବାଣିଜ୍ୟ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେଇ ମନୀଷାଙ୍କ ବାପା ଓ ମା’ ଝିଅ ପାଇଁ ନିଜକୁ ଗର୍ବିତ ଅନୁଭବ କରୁଥିବା କହିଛନ୍ତି। ବିଶିକେଶନ କହିଛନ୍ତି ଯେ ସମ୍ବାଦର ଏପରି କାର୍ଯ୍ୟକ୍ରମ ଆମ ପିଲାଙ୍କୁ ଉତ୍ସାହିତ କରିବା ସହ ଆଗକୁ ପାଠ ପଢ଼ାଇବାକୁ ମାନସିକ ଭାବେ ପ୍ରେରଣା ଯୋଗାଇବ। ମନୀଷା ଆଗକୁ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ହେବାକୁ ଇଚ୍ଛା ପ୍ରକାଶ କରିଛି।

ସମ୍ବନ୍ଧିତ ଖବର