ବିଏମ୍‌ସିର ବିଚିତ୍ର ଗଣିତ : ୯୯ ଠାରୁ ୪୬ ବେଶି

ରାଜଧାନୀରେ ୯୧ ପଜିଟିଭ୍, ୨୨ ଦିନରେ ହଜାରେ ଟପିଲା

ଭୁବନେଶ୍ୱର : କେଉଁ ସଂଖ୍ୟା ବଡ଼? ୪୬ ନା ୯୯। ହେଲେ ବିଏମ୍‌ସର ତର୍କ ଅନୁସାରେ ୪୬ ବଡ଼ ବୋଲି ଧରିବାକୁ ହେବ। ଆଜି ବିଏମ୍‌ସି ପକ୍ଷରୁ ଭୁବନେଶ୍ବରରେ ୯୧ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ଓ ୯୯ଜଣ ସୁସ୍ଥ ହୋଇଥିବା ବୁଲେଟିନ୍ ଜାରି କରାଯାଇଛି। ହେଲେ ସୁସ୍ଥ ହୋଇଥିବା ରୋଗୀ ଆଜିର ନୁହନ୍ତି। ଗତକାଲି ଖୋର୍ଧା ଜିଲ୍ଲାରୁ ସମୁଦାୟ ୪୬ଜଣ ସୁସ୍ଥ ହୋଇଥିବା ବେଳେ ଏଥିରେ ଉଭୟ ଭୁବନେଶ୍ବର ଓ ଖୋର୍ଧା ଜିଲ୍ଲାର ରୋଗୀ ରହିଛି। ଆଜି ମଧ୍ୟ ୮୩ଜଣ ସୁସ୍ଥ ହୋଇଛନ୍ତି, ଏଥିରେ ଭୁବନେଶ୍ବର ସମେତ ଅନ୍ୟ ଅଞ୍ଚଳର ରୋଗୀ ରହିଛନ୍ତି। ସାଧାରଣତଃ ବିଏମ୍‌ସି ପକ୍ଷରୁ ଯେଉଁ ସମୟରେ କରୋନା ବୁଲେଟିନ୍ ଜାରି ହେଉଛି ସେ ସମୟରେ ରାଜ୍ୟର ସୁସ୍ଥ ବ୍ୟକ୍ତିଙ୍କ ତାଲିକା ପ୍ରକାଶ ପାଉନାହିଁ। ତେଣୁ ଆଜି ବିଏମ୍‌ସି ପକ୍ଷରୁ ଦର୍ଶାଯାଇଥିବା ୯୯ଜଣ ସୁସ୍ଥ ରୋଗୀଙ୍କୁ ନେଇ ଦ୍ବନ୍ଦ୍ବ ଦେଖା ଦେଇଛି। ଏହି ସୁସ୍ଥ ହୋଇଥିବା ସମସ୍ତ ବ୍ୟକ୍ତି ଗତକାଲି କିମ୍ବା ଆଜିର ନୁହେଁ, ବରଂ କିଛିଦିନ ପୂର୍ବରୁ ସୁସ୍ଥ ହୋଇଛନ୍ତି। ବିଏମ୍‌ସି ପକ୍ଷରୁ ଏସବୁ ରୋଗୀମାନେ ସମଷ୍ଟିକୁ ନେଇ ଗୋଟିଏ ଦିନର ସୁସ୍ଥ ତାଲିକାରେ ଏହାକୁ ଦର୍ଶାଯାଉଛି। ଏଭଳି ଦ୍ବନ୍ଦ୍ବାତ୍ମକ ସୂଚନା କେବଳ ସୁସ୍ଥ ବ୍ୟକ୍ତି ନା ପଜିଟିଭ୍‌ଙ୍କ କ୍ଷେତ୍ରରେ ହେଉଛି ତାହାକୁ ନେଇ ପ୍ରଶ୍ନ ଉଠିଛି।

୨୨ ଦିନରେ ରାଜଧାନୀରେ କରୋନା ସଂଖ୍ୟା ହଜାର ପାର୍ କରିଛି। ଜୁଲାଇ ମାସ ଆରମ୍ଭରୁ ରାଜଧାନୀରେ ସଂଖ୍ୟା ୩୩୨ ଥିବା ବେଳେ ୨୨ତାରିଖ ବେଳକୁ ଏହା ୧୩୪୩ରେ ପହଞ୍ଚିଛି। ଏହା ଭିତରେ ୧୦୧୧ ଜଣ ରୋଗୀ ଚିହ୍ନଟ ହୋଇ ସାରିଲେଣି। ରାଜଧାନୀରେ କରୋନା ବୃଦ୍ଧି ହାର ୭.୨ ପ୍ରତିଶତ ରହିଛି। ଯାହାକି ରାଜ୍ୟର କରୋନା ବୃଦ୍ଧି ହାରଠାରୁ ଯଥେଷ୍ଟ ଅଧିକ। ରାଜଧାନୀର ବସ୍ତି, ହସ୍ପିଟାଲ ଓ କିଛି ଅଞ୍ଚଳରେ ବହୁ ସଂଖ୍ୟାରେ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୪ଘଣ୍ଟାରେ ରାଜଧାନୀରେ ୯୧ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ୭୨ଜଣ ସଙ୍ଗରୋଧରୁ ଓ ୧୯ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି। ସଙ୍ଗରୋଧରୁ ମଞ୍ଚେଶ୍ବରର ଏକ ଅଟା କଳର ୨୬ଜଣ କର୍ମଚାରୀ ସଂକ୍ରମିତ ହୋଇଛନ୍ତି। ଏହା ପୂର୍ବରୁ ସଂପୃକ୍ତ ଅଟାକଳରୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସଂପୃକ୍ତ ଅଟାକଳକୁ ସିଲ୍ କରି ଦିଆଯାଇଛି। ସେହିପରି ଆଇଆରସି ଭିଲେଜ ଗଜପତି ନଗର ବସ୍ତିରୁ ୧୪ଜଣ, ରାଜମହଲର ଏକ ନିର୍ମାଣ କମ୍ପାନିର ୯ଜଣ କର୍ମଚାରୀ, ନୂଆପଲ୍ଲୀ ତ୍ରିନାଥ ବସ୍ତିରୁ ୩ଜଣ, ମଞ୍ଚେଶ୍ବର ଓ ଆଇଗିଣିଆରୁ ୨ଜଣ ଲେଖାଏ ପଜିଟିଭ୍ ବାହାରିଛନ୍ତି। ଏହାବାଦ୍ ଅନ୍ୟ ଅଞ୍ଚଳରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ସ୍ଥାନୀୟ ଆକ୍ରାନ୍ତଙ୍କ ମଧ୍ୟରେ ସରକାରୀ କାର୍ଯ୍ୟାଳୟ, ହସ୍ପିଟାଲ ଓ ଘରୋଇ ହସ୍ପିଟାଲରୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେବେ ୧୧ଜଣ ରୋଗୀଙ୍କ ସଂପର୍କରେ ବିଏମ୍‌ସି ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ସେମା‌ନେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଛନ୍ତି କି ହଟ୍‌ସ୍ପଟ୍‌ ଅଞ୍ଚଳକୁ ଗସ୍ତ କରି ପଜିଟିଭ୍ ଚିହ୍ନଟ ହୋଇଛି ତାହା ସ୍ପଷ୍ଟ କରାଯାଇ ନାହିଁ। ରାଜଧାନୀରେ ଏବେ ସମୁଦାୟ ସଂଖ୍ୟା ୧୩୪୩ରେ ପହଞ୍ଚିଥିବା ବେଳେ ୭୨୪ଜଣ ସୁସ୍ଥ ହୋଇଛନ୍ତି। ୧୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୦୬ଜଣ ଏବେ ବି ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧିତ ଖବର