ବାଲିଆପଠା ବସ୍ତିରେ କରୋନା ଆକ୍ରାନ୍ତ : ୩୦ରୁ ଅଧିକ ଦୋକାନ ବନ୍ଦ କରାଇଲା ବିଏମ୍‌ସି

ଭୁବନେଶ୍ବର : ଆଜି ଖୋର୍ଦ୍ଧା ଜିଲ୍ଲାରୁ ତିନି ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ଜଣେ ଜିଜିପି କଲୋନି ନିକଟସ୍ଥ ବାଲିଆପଠା ବସ୍ତିର ବାସିନ୍ଦା। ମିଳିଥିବା ସୂଚନା ଅନୁଯା‌ୟୀ, ବାଲିଆପଠା ବସ୍ତିର ଏହି ଆକ୍ରାନ୍ତ ଜଣଙ୍କ ତିନି ଦିନ ତଳେ ଗଞ୍ଜାମ ଜିଲ୍ଲାରୁ ଫେରିଥିଲେ। ସେ ଜଣେ ଶ୍ରମିକ ହୋଇଥିବା ବେଳେ ଲକ୍‌ଡାଉନ୍‌ ଯୋଗୁଁ କାମଧନ୍ଦା ନ ମିଳିବାରୁ ନିଜ ଗାଁକୁ ପଳାଇଥିଲେ। ତିନି ଦିନ ତଳେ ସେ ଭୁବନେଶ୍ବର ଫେରିଥି‌ଲେ। ତାଙ୍କର ଥଣ୍ଡା ହେବା ସହ ନାକରୁ ପାଣି ବାହାରିବାରୁ ତାଙ୍କର କୋଭିଡ-୧୯ ପରୀକ୍ଷା କରାଯାଇଥିଲା। ରିପୋର୍ଟ ପଜିଟିଭ୍ ଆସିବା ପରେ ବିଏମ୍‌ସି କର୍ତ୍ତୃପକ୍ଷ ତାଙ୍କୁ ଶନିବାର ରାତିରେ ଆମ୍ବୁଲାନ୍ସରେ ନେଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏହା ପ‌ରଠାରୁ ବସ୍ତି‌ବାସିନ୍ଦା ଛାନିଆ ହୋଇଯାଇଛନ୍ତି। ଆଜି ସକାଳୁ ଉକ୍ତ ବ୍ୟକ୍ତିଙ୍କ ପରିବାରଲୋକ ଓ ତାଙ୍କ ପଡ଼ୋଶୀଙ୍କ ନମୁନା ସଂଗ୍ରହ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳକୁ ବିଶୋଧନ କରାଯାଇଛି।

ଏହାପରେ ବିଏମ୍‌ସି ପକ୍ଷରୁ ଜିଜିପି କଲୋନି ଓ ପାଣ୍ଡରା ଛକ ମଧ୍ୟରେ ଥିବା ନାଳ ବ୍ରିଜ୍‌ରୁ ଜଗନ୍ନାଥ ନଗରର ରୋଡ୍‌-୧୫ ପର୍ଯ୍ୟନ୍ତ ସମସ୍ତ ଦୋକାନକୁ ବନ୍ଦ କରାଯାଇଛି। ଏହି ବସ୍ତିକୁ ଲାଗିଥିବା ଦୋକାନ ଏବଂ ବସ୍ତିବାସିନ୍ଦା କରିଥିବା ଦୋକାନଗୁଡ଼ିକୁ ବନ୍ଦ କରାଯାଇଛି। ଆଗାମୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଦୋକାନ ବନ୍ଦ ରଖିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର