ସ୍କୁଟିରେ ଅଧକୋଟି ଟଙ୍କାର ବ୍ରାଉନସୁଗାର

ଜଳେଶ୍ବରରୁ ଚାଲାଣ ହେଉଥିଲା ଭୁବନେଶ୍ବର

ହ୍ବାଟ୍‌ସଆପ୍‌ରେ ଯୋଗାଯୋଗ, ଫୋନ ପେ’ରେ କାରବାର
ଜଣେ ଗିରଫ, ୫୭୭ ଗ୍ରାମ ବ୍ରାଉନସୁଗାର ଜବତ

ଭୁବନେଶ୍ବର : ସ୍କୁଟିରେ ଜଳେଶ୍ବରରୁ ଭୁବନେଶ୍ବର; ଡିକିରେ ଅଧକୋଟି ଟଙ୍କାର ବ୍ରାଉନସୁଗାର। ଯେମିତି କାହା ସନ୍ଦେହକୁ ନ ଆସିବ, ସେଥିପାଇଁ ଏଭଳି ଉପାୟ ଆପଣାଇଥିଲା ଯୁବକ। ଏତେ ସତର୍କ ଥିଲା ଯେ ଗ୍ରାହକ ସହ ଫୋନ୍ କ୍‌ଲ‌ରେ କଥା ନ ହୋଇ ହ୍ବାଟସଆପ୍ କଲ୍‌ରେ କଥାବାର୍ତ୍ତା ହେଉଥିଲା। ଫୋନ ପେ’ରେ କାରବାର କରିବା ପାଇଁ ଯୋଜନା କରିଥିଲା। କିନ୍ତୁ ସବୁ ଫେଲ୍ ମାରିଲା। ଶେଷରେ ପୁଲିସ ହାତରେ ଧରାପଡ଼ିଗଲା ବାଲେଶ୍ବରର ବିଟୁ ଖାନ୍। ତା’ଠାରୁ ୫୭୭ ଗ୍ରାମ ବ୍ରାଉନସୁଗାର, ସ୍କୁଟି ଓ ମୋବାଇଲ ଫୋନ୍ ଜବତ କରିଛି ବଡ଼ଗଡ଼ ଥାନା ପୁଲିସ। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୫୭ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଗିରଫ ଅଭିଯୁକ୍ତର ଘର ବାଲେଶ୍ବର ଜିଲ୍ଲା ସହଦେବଖୁଣ୍ଟା ଥାନା ଅରଡ଼ବଜାର ଅଞ୍ଚଳରେ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ବିଟୁ ଖାନ୍ ପୂର୍ବରୁ ମଧ୍ୟ ବ୍ରାଉନସୁଗାର ଆଣି ରାଜଧାନୀରେ ବିକ୍ରି କରିଛି। ଏ ଖବର ପୁଲିସ ପାଖରେ ପହଞ୍ଚିଥିଲା। ଗତକାଲି ସନ୍ଧ୍ୟାରେ ବିଟୁ ସ୍କୁଟି ଧରି ବଡ଼ଗଡ଼ ଚାରିଛକ ନିକଟରେ ବେପାରୀକୁ ଅପେକ୍ଷା କରିଥିଲା। ପ୍ରାୟ ଘଣ୍ଟାଏ କାଳ ଧରି ଛିଡ଼ା ହୋଇଥିବାରୁ ପାଟ୍ରୋଲିଂ କରୁଥିବା ପୁଲିସ ଟିମ୍ ସନ୍ଦେହ କରିଥିଲା। ଗାଡ଼ିର ବାଲେଶ୍ବର ରେଜିଷ୍ଟ୍ରେସନ ନମ୍ବର ଥିବାରୁ ସନ୍ଦେହ ଆହୁରି ବଢ଼ିଥିଲା। ପୁଲିସ ବିଟୁକୁ ଧରି ପଚରାଉଚରା କରିବା ପରେ ସେ ଠିକ୍ ଭାବେ କିଛି କହି ପାରି ନ ଥିଲା। ତେବେ ଗାଡ଼ି ଡିକି ଯାଞ୍ଚ ପରେ ପୁଲିସ ସେଥିରେ ବ୍ରାଉନସୁଗାର ଥିବା ଦେଖିବାକୁ ପାଇଥିଲା। ଏହାପରେ ତାକୁ ଧରି ଥାନାକୁ ଆଣି ପଚରାଉଚରା କରିଥିଲା। ବିଟୁ ପୂର୍ବରୁ ମଧ୍ୟ ବ୍ରାଉନସୁଗାର ଆଣି ବେପାର କରୁଥିବା ଜଣାପଡ଼ିଛି।

ଏ ସଂକ୍ରାନ୍ତରେ ବଡ଼ଗଡ଼ ଥାନାରେ ଏକ ମାମଲା ରୁଜୁ ହୋଇଛି। ଆଜି ବିଟୁକୁ କୋର୍ଟଚାଲାଣ କରାଯାଇଛି। ବିଟୁ କାହାକୁ ବିକ୍ରି କରିବାକୁ ଆଣିଥିଲା ସେ ସମ୍ପର୍କରେ ଅଧିକ ସୂଚନା ମିଳିପାରି ନାହିଁ।

ସମ୍ବନ୍ଧିତ ଖବର